ବିଳମ୍ବିତ ରାତିରେ ଜାତୀୟ ରାଜମାର୍ଗରୁ ଲୁଟ ଘଟଣା: ୪ ଗିରଫ

ଯୋଡା: ସୋମବାର ବିଳମ୍ବିତ ରାତି ପ୍ରାୟ ୧୧ଟା ସମୟରେ ଜାତୀୟ ରାଜମାର୍ଗ-୫୨୦ ଅନ୍ତର୍ଗତ କଣ୍ଡରା ସନ୍ନିକଟରେ ଏକ ଲୁହାପଥର ବୋଝେଇ ଭାରୀଯାନର ଚାଳକଙ୍କୁ ଆକ୍ରମଣ କରି ନଗଦ ଟଙ୍କା,ଏଟିଏମ,ଯାନର କାଗଜ ପତ୍ର ଓ ଗାଡିର ମରାମତି ଯନ୍ତ୍ରାଂଶ ଲୁଟ୍ ଘଟଣାରେ ଯୋଡା ପୁଲିସ ମଙ୍ଗଳବାର ଚାରି ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବାର ସୂଚନା ମିଳିଛି। ଅଭିଯୁକ୍ତଙ୍କ ନିକଟରୁ ଲୁଟ୍ ନଗଦ ଟଙ୍କା,ଏଟିଏମ,ମୋବାଇଲ ଓ ଲାଇସେନ୍ସ ସମେତ ଯାନର କାଗଜ ପତ୍ର ଓ ମରାମତି ଯନ୍ତ୍ରାଂଶ ଜବତ କରାଯିବା ସହ ଲୁଟେରା ସମୂହ ବ୍ୟବହାର କରିଥିବା ଟାଟା ସୁମୋକୁ ମଧ୍ୟ ପୁଲିସ ଜବତ କରିଥିବାର ଜଣାପଡିଛି।
ସୂଚନାରୁ ପ୍ରକାଶ,ସମ୍ପୃକ୍ତ ଭାରୀଯାନଟି ରବିବାର ରାତିରେ ଲୁହାପଥର ବୋଝେଇ କରି ଖଡଗପୁର ଅଭିମୁଖେ ଯାଉଥିଲା। ସୋମବାର ବିଳମ୍ବିତ ରାତିରେ ସମ୍ପୃକ୍ତ ଟାଟା ସୁମୋରେ ଏହି ଚାରି ଅଭିଯୁକ୍ତ ଯୋଜନାବଦ୍ଧ ରୂପେ ଜାତୀୟ ରାଜମାର୍ଗ-୫୨୦ ଅନ୍ତର୍ଗତ କଣ୍ଡରା ସନ୍ନିକଟରେ ସମ୍ପୃକ୍ତ ଭାରୀଯାନକୁ ଅଟକ କରି ଚାଳକ ନାରାୟଣ ପଣ୍ଡିତଙ୍କୁ ଆକ୍ରମଣ କରି ତାଙ୍କ ନିକଟରୁ ନଗଦ ୨୦୦୦ ଟଙ୍କା,ଏଟିଏମ କାର୍ଡ,ଲାଇସେନ୍ସ,ଗାଡିର କାଗଜ ପତ୍ର ଓ ମରାମତି ଯନ୍ତ୍ରାଂଶ ଲୁଟି ନେଇଥିଲେ। ମଙ୍ଗଳବାର ସକାଳେ ଚାଳକ ନିକଟରୁ ଖବର ପାଇ ଗାଡିର ମାଲିକ ବିଲେଇପଦା ଫାଣ୍ଡିରେ ଅଭିଯୋଗ କରିବା ପରେ ଫାଣ୍ଡି ଅଧିକାରୀ ରଞ୍ଜନ କୁମାର ବିଶ୍ୱାଳ ଘଟଣାର ତଦନ୍ତ କରି ମଙ୍ଗଳବାର ଯୋଡା ଥାନା ଅଞ୍ଚଳର ଚାରି ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ଲୁଟ୍ ସାମଗ୍ରୀ ଓ ନଗଦ ଟଙ୍କା ଉଦ୍ଧାର କରିଥିବାର ଖବର ମିଳିଛି। । ତେବେ ମଙ୍ଗଳବାର ଅପରାହ୍ନରେ ଚାରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି। ଏମାନେ ପୁଲିସ ନିକଟରେ ସମସ୍ତ ଦୋଷ ସ୍ୱୀକାର କରିଥିବା ସମୟରେ ପୂର୍ବରୁ ଏମାନଙ୍କ ନାମରେ ଅନ୍ୟ କୌଣସି ଅପରାଧିକ ମାମଲା ଥିବା ସମ୍ବନେ୍ଧ ପୁଲିସ ଅଧିକ ତଦନ୍ତ ଚଳାଇ ଥିବା ସମୟରେ ଏମାନଙ୍କ ସହ ଅନ୍ୟ କୌଣସି ଗ୍ୟାଙ୍ଗ ସଂଶ୍ଳିଷ୍ଟ ଅଛନ୍ତି ନାଁ ନାହିଁ ସେ ସମ୍ପର୍କରେ ତଦନ୍ତ ଚଳାଇଛି।

Comments are closed.