ଜାଲ ସାର୍ଟିଫିକେଟରେ ଚାକିରୀ, ଥାନାଧିକାରୀଙ୍କ ନାମରେ ହାଇକୋର୍ଟରେ ମାମଲା

- ସମ୍ବଲପୁର ଟାଉନ ଥାନାଧିକାରୀଙ୍କ ନାମରେ ଜାଲିଆତି ଅଭିଯୋଗ

ସମ୍ବଲପୁର: ସମ୍ବଲପୁର ଜିଲା ଟାଉନ ଥାନା ଅଧିକାରୀ ରମେଶ ଚନ୍ଦ୍ର ଦୋରାଙ୍କ ନାମରେ ଜାଲି ସାର୍ଟିଫିକେଟ ଦେଇ ଚାକିରୀ କରିବା ସହିତ ପଦର ଅପବ୍ୟବହାର କରିବାର ସଙ୍ଗୀନ ଅଭିଯୋଗ ହୋଇଛି। ଏ ସଂକ୍ରାନ୍ତରେ ସମ୍ବଲପୁର ଜିଲା ବୁର୍ଲା ଥାନା ଅର୍ନ୍ତଗତ ସାହାଜବାହାଲ ନିବାସୀ ସୁରେନ୍ଦ୍ର କୁମାର ମହାପାତ୍ର ମାନ୍ୟବର ହାଇକୋର୍ଟରେ କ୍ରିମିନାଲ ପିଟିସନ ୩୪୭/୨୦୨୧ ଏବଂ ରିଟ ପିଟିସନ (ସି) ୬୮୨୦/୨୦୨୧ ଅନୁଯାୟୀ ମାମଲା ରୁଜୁ କରିଛନ୍ତି। ଇତି ମଧ୍ୟରେ ମାନ୍ୟବର ହାଇକୋର୍ଟ ଅଭିଯୋଗ ଗୁଡିକୁ ସ୍ୱିକାର କରି ଶୁଣାଣି ଆରମ୍ଭ କରିଥିବା ବେଳେ ମାମଲା ଗୁଡିକରେ ରାଜ୍ୟ ସରକାର, ଡିଜି ପୁଲିସ, ଉତ୍ତରାଞ୍ଚଳ ପୁଲିସ ରେଞ୍ଜ ଆଇଜି, ଉତ୍ତରାଞ୍ଚଳ ରାଜସ୍ୱ କମିଶନର, ଏସପି ସମ୍ବଲପୁର, ଓଡିଶା ଷ୍ଟାଫ ସିଲେକ୍ସନ କମିଶନର ଚେୟାରମେନ ଏବଂ ଟାଉନ ଥାନାଧିକାରୀ ରମେଶ ଚନ୍ଦ୍ର ଦୋରାଙ୍କୁ ପକ୍ଷଭୁକ୍ତ କରାଯାଇଛି। ହାଇକୋର୍ଟରେ ଦିଆଯାଇଥିବା ଆବେଦନ ପତ୍ର ଅନୁଯାୟୀ, ସଂପୃକ୍ତ ପୁଲିସ କର୍ମଚାରୀ ଜାଲିଆତି କରି ଚାକିରୀରେ ଯୋଗ ଦେବା ସହିତ ପଦୋନ୍ନତି ପାଉଛନ୍ତି।

ବରଗଡ ଜିଲାର ମୂଳ ନିବାସୀ ସଂପୃକ୍ତ ଅଧିକାରୀଙ୍କ ବରଗଡ ତହସିଲ ଓ ଅତାବିରା ତହସିଲ ଠାରେ ରହିଥିବା ଦୁଇଟି ପୃଥକ ପୃଥକ ଜମିରେ ତାଙ୍କର ଜାତି ଭିନ୍ନ ଭିନ୍ନ ରହିଥିବା ବେଳେ ଅଧିକାରୀ ଜଣକ ରାଜ୍ୟ ପୁଲିସ ବିଭାଗରେ ୧୯୯୭ – ୧୯୯୯ ମଧ୍ୟରେ କାଣ୍ଡଦୋରା (ଅନୁସୂଚିତ ଜାତି) ଭାବରେ ଦର୍ଶାଇ ଚାକିରୀ ହାସଲ କରିବା ସହିତ ୨୦୦୯ ମସିହାରେ ପଦୋନ୍ନତି ନେଇଛନ୍ତି ଏବଂ ୨୦୨୧ରେ ମଧ୍ୟ ପଦୋନ୍ନତି ପାଇବାକୁ ଯାଉଛନ୍ତି। ଏହା ଭାରତୀୟ ସମ୍ବିଧାନର ଆର୍ଟିକିଲ ୩୪, ୩୪୧ (୧) ଏବଂ ୩୪୨ର ଉଲ୍ଲଂଘନ ଅଟେ। ଏ ସର୍ମ୍ପକରେ ଜାନୁଆରୀ ୧୧ ତାରିଖରେ ମାନ୍ୟବର ରାଷ୍ଟ୍ରପତି ଏବଂ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବୋର୍ଡଙ୍କୁ ଅଭିଯୋଗ କରାଯିବା ପରେ ଓଡିଶା ରାଜ୍ୟ ପୁଲିସ ଡିଜି ଓ ଡିଜି ଅଫ ପୁଲିସ ଭିଜିଲାନ୍ସଙ୍କ ନିକଟରେ ମଧ୍ୟ ଅଭିଯୋଗ କରାଯାଇଛି। ଓଡିଶା ଆକ୍ଟ ୮/୨୦୧୪ ଅନୁଯାୟୀ, ଅନୁସୂଚିତ ଜାତି ଓ ଜନଜାତିଙ୍କୁ ଶୋଷଣରୁ ରକ୍ଷା କରିବା ପାଇଁ ଅଭ୍ୟାସଗତ ଶୋଷଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି।

ଏ ସର୍ମ୍ପକରେ ହାଇକୋର୍ଟରେ ଆବେଦନ କରିଥିବା ସୁରେନ୍ଦ୍ର ମହାପାତ୍ରଙ୍କ କହିଛନ୍ତି ଯେ, ମାନ୍ୟବର ରାଷ୍ଟ୍ରପତି ଏବଂ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବୋର୍ଡଙ୍କୁ ଅଭିଯୋଗ କରାଯିବା ପରେ ଓଡିଶା ରାଜ୍ୟ ପୁଲିସ ଡିଜି ଓ ଡିଜି ଅଫ ପୁଲିସ ଭିଜିଲାନ୍ସଙ୍କ ନିକଟରେ ମଧ୍ୟ ଅଭିଯୋଗ କରାଯାଇଛି। କିନ୍ତୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ବିଳମ୍ବ ହେବାରୁ ବାଧ୍ୟ ହୋଇ ସେ ମାନ୍ୟବର ଓଡିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏହା ସହିତ ଉକ୍ତ ଅଧିକାରୀ ଏବେ ପଦବରେ ରହିଥିବାରୁ ତଦନ୍ତରେ ବ୍ୟାଘାତ କରିବାର ଆଶଙ୍କା ଥିବାରୁ ତାଙ୍କୁ ତଦନ୍ତ ଶେଷ ହେବା ପର୍ଯ୍ୟନ୍ତ ପଦରୁ ଅବ୍ୟାହତି ଦିଆଯାଉ ବୋଲି ମଧ୍ୟ ଅଭିଯୋଗକର୍ତ୍ତା ଅନୁରୋଧ କରିଛନ୍ତି।

ଏ ସଂକ୍ରାନ୍ତରେ ସମ୍ବଲପୁର ଏସପି କହିଛନ୍ତି ଯେ, ଏଭଳି ଏକ ମାମଲା ସମ୍ମୁଖକୁ ଆସିଛି। ସାଧାରତଣତଃ ସରକାରୀ ଚାକିରୀ ଯୋଗ ଦେବା ପୂର୍ବରୁ ସମସ୍ତ ପରୀକ୍ଷା ପାସ କରିବା ପରେ ସମସ୍ତ ସାର୍ଟିଫିକେଟ ଗୁଡିକୁ ଯାଞ୍ଚ କରାଯାଇଥାଏ। ଏହା ସତ୍ୱେ ପୁର୍ନବାର ପ୍ରଶ୍ନ ଉଠିଥିବାରୁ ସଦର ଏସଡିପିଓଙ୍କୁ ଏ ସର୍ମ୍ପକରେ ଯାଞ୍ଚ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ଏବଂ ରିପୋର୍ଟ ଆସିଲେ ଆଗାମୀ ପଦକ୍ଷେପ ନିଆଯିବ ବୋଲି ଏସପି କହିଛନ୍ତି।

ଏ ସର୍ମ୍ପକରେ ଟାଉନ ଥାନାଧିକାରୀ ରମେଶ ଦୋରା କହିଛନ୍ତି ଯେ ଏବେ କୋର୍ଟରେ ମାମଲା ରହିଥିବାରୁ କିଛି କହିବା ସମ୍ଭବପର ନୁହେଁ। ଏହି ମାମଲାରେ ଉତ୍ତରାଞ୍ଚଳ ରାଜସ୍ୱ କମିଶନରଙ୍କ ଅତିରିକ୍ତ ସଚିବ ବରଗଡ ଜିଲାପାଳ ଓ ଏସପିଙ୍କୁ ଉକ୍ତ ଅଧିକାରୀଙ୍କ ଜାତିଗତ ପ୍ରମାଣପତ୍ର ଯାଞ୍ଚ କରି ଶୀଘ୍ର ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଜାରି କରିଛନ୍ତି।

Comments are closed.