ଜେଏନୟୁ ଛାତ୍ର ଶରଜୀଲ ଇମାମକୁ ବିହାରରୁ ଗିରଫ କଲା ଦିଲ୍ଲୀ ପୁଲିସ

ପାଟନା: ଦିଲ୍ଲୀର ସାହିନ ବାଗରେ ନାଗରିକତ୍ୱ ସଂଶୋଧନ ଆଇନ ଓ ଏନଆର୍‌ସିକୁ ନେଇ ବିରୋଧ ପ୍ରଦର୍ଶନର ସଂଯୋଜକ ଜେଏନୟୁ ଛାତ୍ର ଶରଜୀଲ ଇମାମକୁ ଦିଲ୍ଲୀ ପୁଲିସ ଗିରଫ କରିଛି। ଶରଜୀଲକୁ ବିହାରର ଜେହାନାବାଦରୁ ଦିଲ୍ଲୀ ପୁଲିସ ଗିରଫ କରିଥିବା ଜଣାପଡିଛି। ଏହା ପୂର୍ବରୁ ପୁଲିସ ମଙ୍ଗଳବାର ଶରଜୀଲକୁ ଗିରଫ କରିବା ପାଇଁ ତାର ଘରେ ଚଢଉ କରିଥିଲା। କିନ୍ତୁ ସେଠାରେ ଶରଜୀଲକୁ ନପାଇ ପୁଲିସ ତାର ଭାଇକୁ ଉଠାଇ ଆଣିଥିଲା। ଏହାପ‌ରେ ଦିଲ୍ଲୀ ପୁଲିସ ଶରଜୀଲକୁ ଗିରଫ କରିବା ପାଇଁ ମୁମ୍ବଇ,ପାଟଣା ଏବଂ ଦିଲ୍ଲୀରେ ଚଢଉ କରିଥିଲା। ଶରଜୀଲକୁ ଗିରଫ କରିବା ପାଇଁ ପୁଲିସ ବିହିତ ପଦକ୍ଷେପ ନେଇଥିଲା କାରଣ ଦିଲ୍ଲୀ ପୁଲିସର ଭୟ ଥିଲା ଯଦି ଶରଜୀଲ ବିହାର ଦେଇ ନେପାଳ ଚାଲିଯିବ ତାହାଲେ ସେଠାରେ ତାକୁ ଗିରଫ କରିବା ପାଇଁ ପୁଲିସ ପାଇଁ କଷ୍ଟକର ହୋଇ ପଡିଥାନ୍ତା।

ସୂଚନାଯୋଗ୍ୟ ଶରଜୀଲ ଦିଲ୍ଲୀର ସାହିନ ବାଗରେ ନାଗରିକତ୍ୱ ସଂଶୋଧନ ଆଇନ ଓ ଏନଆର୍‌ସିକୁ ନେଇ ବିରୋଧ ପ୍ରଦର୍ଶନର ସମୟରେ ଦେଶ ବିରୋଧୀ ମନ୍ତବ୍ୟ ଦେଇଥିଲେ। ଏହା ଛଡା ଶରଜୀଲ ଅଲିଗଡ ମୁସଲିମ୍ ବିଶ୍ୱବିଦ୍ୟାଳୟରେ ଏକ କାର୍ୟ୍ୟକ୍ରମରେ ଭାଗ ନେଇ ଆସାମକୁ ଭାରତରୁ ଅଲଗା କରିବା ଭଳି ଉତ୍ତେଜନାମୂଳକ ଭାଷଣ ଦେଇଥିଲେ । ଯାହାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା। ଶରିଜଲଙ୍କ ଏଭଳି ମନ୍ତବ୍ୟକୁ ଆଧାର କରି ଦିଲ୍ଲୀ ପୁଲିସ ତାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରିଥିଲା । ଏହା ବାଦ ଆସାମର ଗୌହାଟି ଏବଂ ଉତ୍ତର ପ୍ରଦେଶର ଅଲିଗଡ଼ରେ ଶରଜୀଲ ବିରୋଧରେ ଭିନ୍ନ ଭିନ୍ନ ମାମଲା ରୁଜୁ ହୋଇଛି। ଯେଉଁଥିରେ ଦେଶଦ୍ରୋହ ମାମଲା ମଧ୍ୟ ରହିଥିବା ଜଣାପଡିଛି।

Comments are closed.