ଜେଏନ୍‌ୟୁ ପ୍ରଫେସର ଓଡ଼ିଆ ଅଧ୍ୟାପକଙ୍କୁ ଦେବେ ପ୍ରଶିକ୍ଷଣ

ଅଧ୍ୟାପକଙ୍କ ଦକ୍ଷତା ବିକାଶ ପାଇଁ ପ୍ରସ୍ତାବ

ଭୁବନେଶ୍ୱର : ରାଜ୍ୟରେ ୫୦୦ରୁ ଉର୍ଦ୍ଧ୍ବ ସରକାରୀ ଓ ଅନୁଦାନପ୍ରାପ୍ତ ବେସରକାରୀ ଡିଗ୍ରୀ କଲେଜ ଅଧ୍ୟାପକଙ୍କୁ ଦେଶର ପ୍ରତିଷ୍ଠତ ବିଶ୍ବବିଦ୍ୟାଳୟର ପ୍ରଫେସରଙ୍କଦ୍ବାରା ପ୍ରଶିକ୍ଷଣ ଦିଆଯିବ। ଅଧ୍ୟାପକମାନେ ନିଜ ଘରେ ରହି ଅନ୍‌ଲାଇନ୍‌ରେ ପ୍ରଶିକ୍ଷଣ ନେଇ ସେମାନଙ୍କର ଦକ୍ଷତାର ବିକାଶ କରିପାରିବେ। ଅଧ୍ୟାପକଙ୍କୁ ନିୟମିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜରିଆରେ ଗୁଣାତ୍ମକ ଉଚ୍ଚଶିକ୍ଷା ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ପରିପ୍ରେକ୍ଷୀରେ ଜବାହରଲାଲ ନେହରୁ ବିଶ୍ବବିଦ୍ୟାଳୟ (ଜେଏନ୍‌ୟୁ)ରୁ କୁଳପତିଙ୍କୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି। ବିଭାଗୀୟ ସଚିବ ଏନେଇ ଚିଠି ଲେଖିଛନ୍ତି।

ବିଜ୍ଞାନ, କଳା ଓ ବାଣିଜ୍ୟ ବିଭାଗର ସ୍ନାତକ(ୟୁଜି) ଓ ସ୍ନାତକୋତ୍ତର(ପିଜି) ପାଠ୍ୟକ୍ରମ ଥିବା ଶିକ୍ଷାନୁଷ୍ଠାନରେ ଅଧ୍ୟାପକମାନଙ୍କୁ ନିୟମିତ ଭାବେ ପ୍ରଶିକ୍ଷଣର ଆବଶ୍ୟକତା ଅଛି। ଉଚ୍ଚଶିକ୍ଷା ବିଭାଗପକ୍ଷରୁ ଦେଶର ଶ୍ରେଷ୍ଠ ବିଶ୍ବବିଦ୍ୟାଳୟ ସହାୟତାରେ କଲେଜ ଅଧ୍ୟାପକଙ୍କ ପାଇଁ ଅନ୍‌ଲାଇନ୍‌ରେ ରିଫ୍ରେସର ପ୍ରଶିକ୍ଷଣ କାର୍ଯ୍ୟକ୍ରମ କରିବାକୁ ପ୍ରସ୍ତାବ ରହିଛି।

ଜେଏନ୍‌ୟୁ କୁଳପତିଙ୍କୁ ଦିଆଯାଇଥିବା ଚିଠିରେ ଉଲ୍ଲେଖ ରହିଛି ଯେ, ଅଧ୍ୟାପକଙ୍କୁ ନିୟମିତ ପ୍ରଶିକ୍ଷଣ ଦରକାର। ଏହାଦ୍ବାରା ସେମାନଙ୍କର ବିକାଶ ହୋଇପାରିବ। ବିଭିନ୍ନ କାରଣ ପାଇଁ ଅଧ୍ୟାପକଙ୍କୁ ନିୟମିତ ଭାବେ ପ୍ରଶିକ୍ଷଣ ଦିଆଯାଇପାରୁନି। ଏଭଳିସ୍ଥିତିରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଭିନ୍ନ ପ୍ରତିଷ୍ଠତ ବିଶ୍ବବିଦ୍ୟାଳୟକୁ ପ୍ରସ୍ତାବ ଦିଆଯାଇଛି। ଯଦି ସେମାନେ ଆଗ୍ରହୀ ଅଛନ୍ତି ତେବେ ଏହା ଉପରେ ଅଧିକ ଆଲୋଚନା କରାଯାଇ ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତ କରାଯିବ। ଜେଏନ୍‌ୟୁ ପକ୍ଷରୁ ପ୍ରସ୍ତାବ ପାଇଁ ସହମତି ମିଳିବା ପରେ ଏନେଇ ବିସ୍ତୃତ ଭାବେ ଆଲୋଚନା କରାଯିବ।

ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ଅନୁମୋଦନ ଅନୁଯାୟୀ ଏହି ଅନ୍‌ଲାଇନ୍‌ ରିଫ୍ରେସର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ହେବ। କେନ୍ଦ୍ର ଶିକ୍ଷା‌ ମନ୍ତ୍ରାଳୟର ବାର୍ଷିକ ରିଫ୍ରେସର ଶିକ୍ଷାଦାନ କାର୍ଯ୍ୟକ୍ରମ ଭାବେ ଏହାକୁ ଗ୍ରହଣ କରାଯିବ। ବିଶ୍ବବିଦ୍ୟାଳୟ ପକ୍ଷରୁ ଏକାଧିକ ବ୍ୟାଚ୍‌ କରାଯାଇ କେବଳ କଲେଜ ଅଧ୍ୟାପକଙ୍କ ପାଇଁ ଏହି ତାଲିମ କାର୍ଯ୍ୟକ୍ରମ ହେବ। ସମସ୍ତ ବିଷୟ ବଦଳରେ ନିର୍ଦିଷ୍ଟ ଭାବେ କିଛି ବିଷୟକୁ ଚିହ୍ନଟ କରାଯାଇ ସେଥିରେ ଅଧ୍ୟାପକଙ୍କୁ ଅନ୍‌ଲାଇନ୍‌ରେ ପ୍ରଶିକ୍ଷଣ ପ୍ରଦାନ କରାଯିବ।

Comments are closed.