କହ୍ନେୟାଙ୍କ ସହଯାତ୍ରୀ ଓ ଗାଡ଼ି ଉପରକୁ ଆକ୍ରମଣ

0

ପାଟନା : ବିହାର ବେଗୁସରାଇଠାରେ ମଙ୍ଗଳବାର ସନ୍ଧ୍ୟାରେ ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ) ଛାତ୍ର ସଂସଦର ପୂର୍ବତନ ସଭାପତି କହ୍ନେୟା କୁମାରଙ୍କ ସହଯାତ୍ରୀ ଓ ଗାଡ଼ି ଉପରକୁ ଆକ୍ରମଣ ହୋଇଛି। ଏଥିରେ କହ୍ନେୟାଙ୍କ ସାଥିରେ ଥିବା ଅନେକ ଲୋକ ଆହତ ହୋଇଛନ୍ତି। କହ୍ନେୟାଙ୍କ ଗାଡ଼ି କାଚ ଭାଙ୍ଗି ଯାଇଛି। ତେବେ ଆକ୍ରମଣକାରୀଙ୍କୁ ଚିହ୍ନଟ କରାଯାଇ ପାରିନାହିଁ।
କୁହାଯାଉଛି ଯେ କହ୍ନେୟା ମାନସୁରଚକ ଅଞ୍ଚଳରେ ଏକ ସଭାରେ ଯୋଗଦେଇ ଫେରୁଥିଲା ବେଳେ ଭଗବାନପୁର ଥାନା ଅଧୀନ ଦହିୟା ଗ୍ରାମ ନିକଟରେ ଏହି ଆକ୍ରମଣ ହୋଇଛି। କହ୍ନେୟା ସହ ଆସୁଥିବା ସହଯାତ୍ରୀଙ୍କ ଅନେକ ଗାଡ଼ି ଭାଙ୍ଗି ଯାଇଛି। ଆକ୍ରମଣ ପାଇଁ କହ୍ନେୟା ବିହାର ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି। ବିହାର ସରକାରଙ୍କ ଇଙ୍ଗୀତରେ ଏହି ଆକ୍ରମଣ ହୋଇଥିବା ସେ ଅଭିଯୋଗ କରିଛନ୍ତି।
ଉଲ୍ଲେଖ ଯେ ୨୦୧୯ ଲୋକସଭା ନିର୍ବାଚନରେ ବେଗୁସରାଇ ନିର୍ବାଚନ ମଣ୍ଡଳୀରୁ ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆ) ପକ୍ଷରୁ କହ୍ନେୟା କୁମାର ପ୍ରାର୍ଥୀ ହେବେ ବୋଲି ଘୋଷଣା ହୋଇ ସାରିଛି। ସିପିଆଇ ସହ ମେଣ୍ଟ କରିଥିବା ଅନ୍ୟ ଦଳଗୁଡ଼ିକ ଏହାକୁ ସମର୍ଥନ ଜଣାଇ ସାରିଛନ୍ତି। ଏଥିପାଇଁ କହ୍ନେୟା ବେଗୁସରାଇ ଲୋକସଭା ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ସଭା ଓ ବୈଠକର ଆୟୋଜନ କରୁଛନ୍ତି।

Leave A Reply