ଜେଏନ୍‍ୟୁ ହିଂସା ମାମଲା – ୯ ଜଣକୁ ଚିହ୍ନଟ କଲା ଦିଲ୍ଲୀ ପୁଲିସ୍‍

ଦିଲ୍ଲୀ: ଜେଏନ୍‍ୟୁ ହିଂସା ମାମଲାରେ ଦିଲ୍ଲୀ ପୁଲିସ୍‍ ୯ଜଣ ସିନ୍ଦିଗ୍ଧଙ୍କୁ ଚିହ୍ନଟ କରିଛି। ଚଳିତ ମାସ ୫ ତାରିଖରେ ଘଟିଥିବା ଏହି ଘଟଣାର ତଦନ୍ତ ବିଷୟରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ପୁଲିସ୍‍ ଡେପୁଟି କମିଶନର ଜୟ ତିର୍କୀ କହିଛନ୍ତି, ପୁଲିସ୍‍ ସେହି ସନ୍ଦିଗ୍ଧମାନଙ୍କୁ ନୋଟିସ୍‍ ପଠାଇବ ଓ ସେମାନଙ୍କଠାରୁ ସ୍ପଷ୍ଟିକରଣ ମାଗିବ। ସେ କହିଛନ୍ତି, ଜେଏନ୍‍ୟୁ ଛାତ୍ର ସଂଘ ସଭାପତି ଆୟଶୀ ଘୋଷ ଆଡମିନ୍‍ଷ୍ଟ୍ରେଟିଭ୍‍ ବ୍ଲକ୍‍ର ସର୍ଭର ରୁମ୍‍ ଭଙ୍ଗାରୁଜା ଘଟଣାରେ ଲିପ୍ତ ଥିବା ଲୋକମାନଙ୍କ ମଧ୍ୟରେ ଦେଖିବାକୁ ମିଳିଛନ୍ତି। ସେ କହିଛନ୍ତି, ପଞ୍ଜିକରଣ ପ୍ରକ୍ରିୟାକୁ ଭଣ୍ଡୁର କରିବା ପାଇଁ ସେମାନେ ପ୍ରଚେଷ୍ଟା କରିଥିଲେ।

ଡେପୁଟି କମିଶନର କହିଛନ୍ତି, ବହୁ ସଂଖ୍ୟାରେ ଛାତ୍ରଛାତ୍ରୀମାନେ ପଞ୍ଜିକୃତ ହେବାକୁ ଚାହୁଁଥିବା ବେଳେ ଏମାନେ ସେମାନଙ୍କୁ ପଞ୍ଜିକୃତ ହେବାକୁ ଦେଉନଥିଲେ ବୋଲି ତଦନ୍ତରୁ ଜଣାପଡ଼ିଛି। ସେ କହିଛନ୍ତି, ହିଂସା ଘଟଣାରେ କିଛି ନିର୍ଦ୍ଦିଷ୍ଟ ଛାତ୍ରଙ୍କୁ ଆକ୍ରମଣ କରାଯାଇଛି। ତିର୍କୀ କହିଛନ୍ତି, ହିଂସା ଘଟଣା ଉପରେ ତିନୋଟି ମାମଲା ରୁଜୁ କରାଯାଇଛି ଓ ଏହା ଉପରେ ତଦନ୍ତ ଚାଲିଛି। ଦିଲ୍ଲୀ ପୁଲିସ୍‍ ମୁଖପାତ୍ର ଏମ୍‍.ଏସ୍‍. ରାନ୍ଧୱା କହିଛନ୍ତି, ଜେଏନ୍‍ୟୁ ହିଂସା ଘଟଣା ସମ୍ବନ୍ଧୀୟ ଫୌଜଦାରୀ ମାମଲାର ତଦନ୍ତ କ୍ରାଇମ୍‍ବ୍ରାଞ୍ଚ ଦ୍ୱାରା କରାଯାଉଛି। ସେ କହିଛନ୍ତି, ଘଟଣା ସଂକ୍ରାନ୍ତରେ ବହୁ ଅପପ୍ରଚାର ହୋଇଥିବାର ଦେଖିବାକୁ ମିଳିଛି।

Comments are closed.