କରୋନା ମଧ୍ୟରେ ସଫଳତା, ୧୦୦ତମ ୱେବିନାର ଆୟୋଜନ କରୁଛି କଟକ ଜିଲ୍ଲାର ଜେ.ଏନ. ମହାବିଦ୍ୟାଳୟ

କରୋନା ମହାମାରୀକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମସ୍ତ ଯୁକ୍ତ ୨ ଓ ଡିଗ୍ରୀ ମହାବିଦ୍ୟାଳୟ ପ୍ରାୟ ୬ ମାସରୁ ଅଧିକ ସମୟ ହେବ ବନ୍ଦ ରଖିଥିବା ବେଳେ କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଅନ୍ତର୍ଗତ କୁଆଁପାଳ ସ୍ଥିତ ଜବାହାରଲାଲ ନେହେରୁ ମହାବିଦ୍ୟାଳୟ ୯୯ଟି ୱେବିନାର ଆୟୋଜନ ସହ ଆସନ୍ତାକାଲି (ଗୁରୁବାର) ୧୦୦ତମ ୱେବିନାର ଆୟୋଜନ କରିବାକୁ ଯାଉଛି। ସେହି ମହାବିଦ୍ୟାଳୟର ଇତିହାସ ଓ ରାଜନୀତି ବିଜ୍ଞାନ ବିଭାଗର ମିଳିତ ଉଦ୍ୟମ ତଥା ଓଡିଶା ସରକାରଙ୍କ ଆଦିବାସୀ ଗବେଷଣା ଓ ବିକାଶ କେନ୍ଦ୍ରର ନିର୍ଦେଶକ ବିକ୍ରମ କେଶୋରୀ ଜେନାଙ୍କ ସହଯୋଗରେ ଏଭଳି କାର୍ଯ୍ୟକ୍ରମ ଆୟୋଜନ ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟିଛି। କଲେଜର ଅଧ୍ୟକ୍ଷ ପ୍ରଫେସର ପଲ୍ଲବ ଚକ୍ରବର୍ତ୍ତୀ, ଇତିହାସ ବିଭାଗ ମୁଖ୍ୟ ପ୍ରଫେସର ଶରତ ଚନ୍ଦ୍ର ପ୍ରଧାନ, ଅଧ୍ୟାପକ ରୁଦ୍ର ନାରାୟଣ ଦାଶ, ରାଜନୀତି ବିଜ୍ଞାନ ବିଭାଗ ମୁଖ୍ୟ ପ୍ରଫେସର ଶୁଭମ ଦାଶ ଓ ଅଧ୍ୟାପିକା ପାୟଲ ଅଗ୍ରୱାଲଙ୍କ ପ୍ରତ୍ୟେକ୍ଷ ପ୍ରଚେଷ୍ଟାରେ ଏହି ଆଲୋଚନା ଚକ୍ର ଅନୁଷ୍ଠିତ ହେଉଛି ଓ ଏଥିରେ ଦେଶ ବିଦେଶରୁ ଅନେକ ପ୍ରାଧ୍ୟାପକ, ଅଧ୍ୟାପକ, ଗବେଷକ ଓ ଛାତ୍ରଛାତ୍ରୀ ଯୋଗ ଦେଉଛନ୍ତି।

ଆସନ୍ତାକାଲି ୧୦୦ତମ ୱେବିନାର ସକାଳ ୧୧ଟା ବେଳେ ଆୟୋଜନ ହେବାକୁ ଥିବା ବେଳେ ଗୁଗୁଲ ମିଟ ଲିଙ୍କ ‘https://meet.google.com/akg-ivop-ymz’ରେ ସମସ୍ତେ ଭାଗ ନେଇ ପାରିବେ ଏବଂ ଏହି ୱେବିନାର ମଧ୍ୟ ୟୁ-ଟ୍ୟୁବରେ ସିଧାସଳଖ ପ୍ରସାରଣ ହେବ ଯାହାର ଲିଙ୍କ ହେଉଛି ‘https://bit.ly/337U7s8’। ଏହି ଆଲୋଚନାଚକ୍ରରେ ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ପ୍ରାଧ୍ୟାପକ ପ୍ରଫେସର ଘନଶ୍ୟାମ ଶାହା ‘ଭାରତରେ ସାମାଜିକ ଆନ୍ଦୋଳନ’ ଏବଂ ଜାମିଆ ମିଲିଆ ଇସ୍ଲାମିଆ ବିଶ୍ୱବିଦ୍ୟାଳୟର ପ୍ରାଧ୍ୟାପକ ପ୍ରଫେସର ରିଜୱାନ କାଶୀର ‘ଆମ ସ୍ମୃତିରେ ଦେଶ ବିଭାଜନ’ ସମ୍ପର୍କରେ ଆଲୋଚନା କରିବେ। ଏଥିରେ ଅନ୍ୟତନ ଅତିଥି ଭାବେ ରେଭେନ୍ସା ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ପ୍ରକାଶ ଚନ୍ଦ୍ର ଷଡ଼ଙ୍ଗୀ ଭାଗ ନେବାର କାର୍ଯ୍ୟକ୍ରମ ରହିଛି। ରେଭେନ୍ସା ବିଶ୍ୱବିଦ୍ୟାଳୟର ଇତିହାସ ଅଧ୍ୟାପକ ଡଃ ପ୍ରିୟଦର୍ଶୀ କର ଏହି ଆଲୋଚନାଚକ୍ର ପରିଚାଳନା କରିବେ।

Comments are closed.