ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ହେମନ୍ତ ସୋରେନ

ଝାଡ଼ଖଣ୍ଡ: ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ନେତା ହେମନ୍ତ ସୋରେନ ରବିବାର ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ରାଞ୍ଚିସ୍ଥିତ ମୋରାବାଦି ପଡ଼ିଆରେ ଅପରାହ୍ନ୨ଟା ସମୟରେ ଏହି ଶପଥଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ ସୋରେନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ। ରାଜ୍ୟ କଂଗ୍ରେସ ସଭାପତି ରାମେଶ୍ୱର ଓରାଓଁ ଏବଂ ବରିଷ୍ଠ ଜେଏମ୍‍ଏମ୍‍ ନେତା ଷ୍ଟିଫେନ୍‍ ମାରାଣ୍ଡି ମଧ୍ୟ ସୋରେନ୍‍ଙ୍କ ସହିତ ଶପଥ ନେବାର ସମ୍ଭାବନା ରହିଛି।

ଏହି ଶପଥଗ୍ରହଣ ଉତ୍ସବରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ରାଜ୍ୟସଭା ଉପାଧ୍ୟକ୍ଷ, କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧୀଙ୍କ ସମେତ ପଶ୍ଚିମବଙ୍ଗ, ଦିଲ୍ଲୀ, ମଧ୍ୟପ୍ରଦେଶ, ଛତିଶଗଡ଼, ମହାରାଷ୍ଟ୍ର ଓ ରାଜସ୍ଥାନର ମୁଖ୍ୟମନ୍ତ୍ରୀମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ସେହିଭଳି ଏନ୍‍ସିପି ମୁଖ୍ୟ ଶରଦ ପାୱାର, ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ, ଆର୍‍ଜେଡି ନେତା ତେଜସ୍ୱୀ ଯାଦବ ଏବଂ ବହୁଜନ ସମାଜ ପାର୍ଟି ମୁଖ୍ୟ ମାୟାବତୀ ମଧ୍ୟ ଏହି ଶପଥଗ୍ରହଣ ଉତ୍ସବରେ ଉପସ୍ଥିତ ରହିବେ। ୮୧ ସଦସ୍ୟ ବିଶିଷ୍ଟ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ଜେଏମ୍‍ଏମ୍‍- କଂଗ୍ରେସ-ଆର୍‍ଜେଡି ମହାମେଣ୍ଟକୁ ୪୭ଟି ଆସନ ମିଳିଛି।

Comments are closed.