ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପୁନଃ କାର୍ଯ୍ୟକ୍ଷମ କରାଯାଉ – ବିଧାୟକ ଜୟନାରାୟଣ

- ଜେଏମଜେ ହସ୍ପିଟାଲକୁ ସମ୍ପୁର୍ଣ୍ଣ କୋଭିଡ ହସ୍ପିଟାଲ ପାଇଁ ଜୟନାରାୟଣଙ୍କ ଦାବି - ହସ୍ପିଟାଲ ପରିଦର୍ଶନ ପରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିଧାୟକ ଜୟନାରାୟଣ

ସମ୍ବଲପୁର: ଦୁଇ ଦିନ ପୂର୍ବରୁ ସମ୍ବଲପୁର ଜିଲ୍ଲାପାଳ ଜେଏମଜେ ହସ୍ପିଟାଲକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପରିବର୍ଦ୍ଧିତ ଶାଖା ଭାବରେ ଘୋଷଣା କରିଥିଲେ। ତେଣୁ ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର, ରେଙ୍ଗାଲି ବିଧାୟକ ନାଉରି ନାଏକ ଓ ସମ୍ବଲପୁର ବିଜେପି ଜିଲ୍ଲା ସଭାପତି ଗିରିଶ ପଟେଲ ଜେଏମଜେ ହସ୍ପିଟାଲ ପରିଦର୍ଶନରେ ଯାଇ ପ୍ରକୃତ ସ୍ତିତି ଯାଞ୍ଚ କରି ଜେଏମଜେ ହସ୍ପିଟାଲ କତ୍ତୃପକ୍ଷଙ୍କ ସହିତ ସମସ୍ତ ବିଷୟରେ ସବିଶେଷ ଆଲୋଚନା କରିଥିଲେ। ଜେଏମଜେ ହସ୍ପିଟାଲର କେବଳ ଗୋଟିଏ ଅଂଶ ମାତ୍ର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପରିବର୍ଦ୍ଧିତ ଶାଖା ଭାବରେ କାମ କରିବ ଏବଂ ସେଠାରେ କେବଳ ମାତୃ ଓ ଶିଶୁ ରୋଗ ଓ ସାମାନ୍ୟ ଶଲ୍ୟ ଚିକିତ୍ସାର ସୁବିଧା କରାଯିବ ବୋଲି ଜାଣିବାକୁ ପାଇଥିଲେ। ଅଣ କୋଭିଡି ରୋଗୀଙ୍କ ପାଇଁ ସେଠାରେ ଚିକିତ୍ସାର ବ୍ୟବସ୍ଥା କରାଯାଇ ନାହିଁ

ଏଣୁ ଶୁକ୍ରବାର ଏହି ପ୍ରସଙ୍ଗରେ ପୂର୍ବତନ ମନ୍ତ୍ରୀ ତଥା ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର ଲେଖିଛନ୍ତି। ଜିଲ୍ଲାରେ ଅଣକୋଭିଡ ରୋଗୀମାନେ ଚିକିତ୍ସା ପାଇ ନ ପାରି ବହୁତ ହଇରାଣ ହେଉଛନ୍ତି। ଏହି ହସ୍ପିଟାଲ ସମ୍ପର୍କରେ ଜନତା ଅନଭିଜ୍ଞ ଥିବା ସହିତ ଏହା ସାଧାରଣ ରୋଗୀଙ୍କ ଜ୍ଞାତସାର ବାହାରେ ରହିଛି। ଏଣୁ ଜେଏମଜେ ହସ୍ପିଟାଲକୁ ସମ୍ପୁର୍ଣ୍ଣ କୋଭିଡ ହସ୍ପିଟାଲ ଭାବେ କାର୍ଯ୍ୟକ୍ଷମ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପୂର୍ବଭଳି ସାଧାରଣ ରୋଗୀଙ୍କ ଚିକିତ୍ସା ପାଇଁ କାର୍ଯ୍ୟକ୍ଷମ କରିବାକୁ ବିଧାୟକ ଜୟନାରାୟଣ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି। ହସ୍ପିଟାଲ ପରିଦର୍ଶନ ସମୟରେ ଅନ୍ୟମାନଙ୍କ ମଧ୍ୟରେ ଫଣି ଭୂଷଣ ମିଶ୍ର, ମୋହନ କୁମାର ଦାଶ, ଶିବ ଦିୱାନ, ଗୋପଲ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.