ଲଶ୍କର ସହ ହାତ ମିଳାଇଛି ବାଂଲାଦେଶୀ ଆତଙ୍କୀ ସଂଗଠନ ଜେଏମବି; ସୀମା ନିକଟରେ ଖୋଲୁଛି ବେସ୍‌ କ୍ୟାମ୍ପ

ନୂଆଦିଲ୍ଲୀ: ଭାରତରେ ଆତଙ୍କବାଦକୁ ବିସ୍ତାର କରିବା ଲାଗି ବାଂଲାଦେଶୀ ସଂଗଠନ ଜମାତ-ଉଲ-ମୁଜାହିଦ୍ଦିନ ବାଂଲାଦେଶ(ଜେଏମବି) ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଲଶ୍କର-ଏ-ତୋଇବା ସହ ହାତ ମିଳାଇଛି। ଏ ନେଇ ଗୋଇନ୍ଦା ସୂଚନା ମିଳିବା ପରେ କେନ୍ଦ୍ର ସରକାର ଜେଏମବିକୁ ଆତଙ୍କବାଦୀ ସଂଗଠନ ଭାବେ ଘୋଷଣା କରିଛନ୍ତି। ଏହା ପରେ ଜେଏମବି ପଶ୍ଚିମବଙ୍ଗ, ତ୍ରିପୁରା ଏବଂ ଆସାମ ସଂଲଗ୍ନ ଭାରତୀୟ ସୀମା ନିକଟରେ ବେସ୍‌ କ୍ୟାମ୍ପ ସ୍ଥାପନ କରିବା ଆରମ୍ଭ କରିଛି। ଜେଏମବି ମୁଖ୍ୟ ସଲାଉଦିନ ସାଲେହିନ ଭାରତରେ ଜିହାଦୀ କାର୍ଯ୍ୟକଳାପ ବୃଦ୍ଧି କରିବା ପାଇଁ ଆତଙ୍କୀ ସଂଗଠନ ଜେଏମଏଚ୍‌କୁ ପରାମର୍ଶ ଦେଇଥିବା ସୂଚନା ମିଳିଛି।

ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁସାରେ, ଜେଏମବି ପଶ୍ଚିମବଙ୍ଗ, ତ୍ରିପୁରା ଏବଂ ଆସାମରେ ଭାରତୀୟ ସୀମାଠାରୁ ୧୦ କିଲୋମିଟର ଦୂରତା ମଧ୍ୟରେ ବେସ୍‌ କ୍ୟାମ୍ପ କରିବାକୁ ଯୋଜନା କରୁଛି। ଏହି ଆତଙ୍କୀ ସଂଗଠନ ଇସଲାମିକ୍‌ ଷ୍ଟେଟ୍‌ର କଠୋରପନ୍ଥୀ ଉଗ୍ରବାଦ ଚିନ୍ତାଧାରାକୁ ଗ୍ରହଣ କରିବା ସହିତ ଦକ୍ଷିଣ ଭାରତରେ ନିଜର ନେଟୱର୍କ ବ୍ୟାପକ କରି ଭାରତୀୟ ଉପମହାଦେଶରେ ସାମ୍ରାଜ୍ୟ ବିସ୍ତାର କରିବାକୁ ଯୋଜନା ଚଳାଇଛି। ପୁଲିସ ଦ୍ବାରା ଗିରଫ ହୋଇଥିବା ଜେଏମବି ସଂଗଠନର ସଦସ୍ୟ ଜାହିଦୁଲ ଇସଲାମକୁ ପଚରାଉଚରା ସମୟରେ ଏଭଳି ତଥ୍ୟ ମିଳିଛି। ୨୦୧୮ ବୋଧଗୟା ବୋମା ବିସ୍ଫୋରଣ ଘଟଣାରେ ସମ୍ପୃକ୍ତ ଥିବା ଜେଏମବିର ଜାହିଦୁଲଙ୍କ ସମେତ ୧୨ ସଦସ୍ୟଙ୍କୁ ଗିରଫ କରାଯାଇଥିଲା।

ଜାହିଦୁଲର ଘର ବାଂଲାଦେଶରେ। ଜାହିଦୁଲଠାରୁ ମିଳିଥିବା ସୂଚନା ଅନୁସାରେ, ଭାରତର ଗୟା ସମେତ ଅନ୍ୟାନ୍ୟ ବୌଦ୍ଧ ପର୍ଯ୍ୟଟନସ୍ଥଳୀ ଜେଏମବି ଟାର୍ଗେଟରେ ରହିଛି। ମ୍ୟାନ୍‌ମାରରେ ରୋହିଙ୍ଗ୍ୟା ମୁସଲମାନଙ୍କୁ ନିର୍ଯାତନା ଦିଆଯାଉଥିବାରୁ ଏହାର ପ୍ରତିଶୋଧ ପାଇଁ ଜେଏମବି ଭାରତରେ ରୋହିଙ୍ଗ୍ୟା ମୁସଲମାନଙ୍କ ସହ ଏକତା ରକ୍ଷା କରିବା  ଲାଗି ଏଭଳି କାର୍ଯ୍ୟକଳାପ ଜାରି ରଖିଛି।

ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ ଜେଏମବି କ୍ୟାଡରମାନେ ପଶ୍ଚିମବଙ୍ଗରେ ବେଶ୍‌ ସକ୍ରିୟ ରହିବା ସହ ବର୍ଡୱାନ ଏବଂ ମୁର୍ସିଦାବାଦ ଜିଲାରେ ଥିବା ମଦ୍ରାସାକୁ ଆତଙ୍କବାଦୀଙ୍କୁ ପ୍ରଶିକ୍ଷଣ ଦେବା କାର୍ଯ୍ୟରେ ବହୁଳ ମାତ୍ରାରେ ବ୍ୟବହାର କରୁଛନ୍ତି। ଏଠାରେ ଆଇଇଡି ପ୍ରସ୍ତୁତ କରିବା, ଶାରୀରିକ ଅଭ୍ୟାସ ଏବଂ ଟାର୍ଗେଟ ହାସଲ ପାଇଁ ପ୍ରଶିକ୍ଷଣ ଦିଆଯାଉଛି।

ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ରିପୋର୍ଟ ମୁତାବକ, ଆସାମରେ ଜେଏମବିର ପ୍ରାଦୁର୍ଭାବ ବୃଦ୍ଧି ପାଇବାରେ ଲାଗିଛି। ତାବ୍ଲିଘି ଜମାତ ସଂଗଠନର ଛତ୍ରଛାୟା ତଳେ ରହି ଜେଏମବି ସ୍ଥାନୀୟ ମୁସଲମାନ ଯୁବକମାନଙ୍କୁ ଆତଙ୍କବାଦୀ କାର୍ଯ୍ୟକଳାପରେ ସାମିଲ ହେବାକୁ କ୍ୟାପ୍‌ସୁଲ କୋର୍ସ ପ୍ରଦାନ କରୁଛି। ମୁକଲମୁୱା ଥାନା ଅନ୍ତର୍ଗତ ଲାରକୁଚି, ଦାରାଙ୍ଗ ଜିଲାର ଯୋଗୀପଡ଼ା, ବାରପେଟା ଜିଲାରେ ମୁସଲମାନ ଯୁବକଙ୍କୁ ୩ ଦିନିଆ ପ୍ରଶିକ୍ଷଣ ଦିଆଯାଉଛି। ସେହିପରି ବୋରିଗାଓଁ ମସଜିଦ ଏବଂ ବାରପେଟାର ପାନପରାରେ ଦିନିକିଆ ପ୍ରଶିକ୍ଷଣ ଦିଆଯାଉଛି। ସୂଚନାଯୋଗ୍ୟ, ୨୦୦୫ ଫେବୃୟାରୀ ୨୩ରେ ବାଂଲାଦେଶରେ ଜେଏମବି ପ୍ରତିଷ୍ଠା ହୋଇଥିଲା। ଗତ ମେ ୨୩ ତାରିଖରେ କେନ୍ଦ୍ର ସରକାର ଭାରତରେ ଏହି ସଂଗଠନକୁ ନିଷିଦ୍ଧ ଘୋଷଣା କରିଛନ୍ତି।

Comments are closed.