ଜେଏଲଜି ଋଣ ଅନିୟମିତତା ପ୍ରସଙ୍ଗ, ରାଜନୈତିକ ଲିଙ୍କ ଅଭିଯୋଗ

ବଲାଙ୍ଗିର: ବଲାଙ୍ଗିର ଜିଲା କେନ୍ଦ୍ର ସମବାୟ ବ୍ୟାଙ୍କରେ ଜେଏଲଜି ଋଣରେ କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଥିବା ନେଇ ସଙ୍ଗିନ ଅଭିଯୋଗ ହୋଇଥିଲା। ତେବେ ବିନା କୌଣସି ସୁରକ୍ଷା ପ୍ରମାଣ ପତ୍ର ନପାଇ କିଭଳି ଛୋଟ ଛୋଟ ଗୋଷ୍ଠୀକୁ ଏତେ ପରିମାଣର ଟଙ୍କା ଦିଆଗଲା ତାକୁ ନେଇ ପୂର୍ବତନ ନିର୍ଦ୍ଦେଶକ ପ୍ରଶ୍ନ ଉଠାଇଛନ୍ତି। ଏହି କାରବାର ପଛରେ ବ୍ୟାଙ୍କ ସଭାପତିଙ୍କ ପ୍ରଚ୍ଛନ୍ନ ହାତ ରହିଥିବା ପୂର୍ବତନ ନିର୍ଦ୍ଦେଶକ ସାନନ୍ଦ ମେହେର ଅଭିଯୋଗ ଆଣିଥିବା ବେଳେ ନିଜ ରାଜନୈତିକ ସ୍ପୃହାକୁ ମେଣ୍ଟାଇବାକୁ ଯାଇ ତତ୍କାଳୀନ ସଭାପତି ଏହି ବଡ ଧରଣର ଅନିୟମିତତା କରିଥିବା ସେ ଅଭିଯୋଗ କରିଛନ୍ତି।

ତତ୍କାଳୀନ ସଭାପତିଙ୍କ ଚାପରେ ପଡି ସମବାୟ ସମିତି ସମ୍ପାଦକମାନେ ଲାଞ୍ଚ ନେଇ ଜେଏଲଜି ଋଣ ବାଣ୍ଟିଥିବା ବେଳେ ଏବେ ବ୍ୟାଙ୍କକୁ ସେହି ଟଙ୍କା ଫେରିବା ନେଇ ସନ୍ଦେହ ସୃଷ୍ଟି ହୋଇଥିବା ସେ ଅଭିଯୋଗ ଆଣିଛନ୍ତି। ଗତ ପାଞ୍ଚ ବର୍ଷରୁ ଉର୍ଦ୍ଧ ସମୟ ଧରି ବଲାଙ୍ଗିର ଜିଲା କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ଭାବେ ଲକ୍ଷ୍ମଣ ମେହେର ନିର୍ବାଚିତ ହୋଇଥିଲେ। ଗତ କିଛି ମାସ ତଳେ ତାଙ୍କ କାର୍ଯ୍ୟକାଳ ପୁରାଣ ହୋଇଥିବା ବେଳେ ତାଙ୍କ ନାଁରେ ପୁଣି ସଙ୍ଗିନ ଅଭିଯୋଗ ହୋଇଛି।

୨୦୧୮-୧୯ରୁ ଜେଏଲଜି ଋଣ ପ୍ରଦାନରେ ଅନେକ ଅନିୟମିତତା କରାଯାଇଥିବା ବେଳେ ବ୍ୟାଙ୍କର କୋଟି କୋଟି ଟଙ୍କା ପାଣିରେ ବୁହାଇ ଦିଆଯାଇଥିବା ଅଭିଯୋଗ ଆଣିଛନ୍ତି ପୂର୍ବତନ ବ୍ୟାଙ୍କ ପରିଚାଳନା କମିଟି ନିର୍ଦ୍ଦେଶକ ସାନନ୍ଦ ମେହେର। ଅଭିଯୋଗ ଅନୁସାରେ ପୂର୍ବତନ ସଭାପତି ଶ୍ରୀ ମେହେର ସାଂସଦ ପ୍ରାର୍ଥୀ ଭାବେ ୨୦୧୯ ନିର୍ବାଚନ ଲଢିବା ପାଇଁ ପ୍ରସ୍ତୁତି ଚଳାଇଥିଲେ। କଂଗ୍ରେସ ଟିକେଟରୁ ସେ ଆଶାୟୀ ଥିବା ବେଳେ ଶେଷ ସମୟରେ ସେ ଟିକେଟରୁ ବାଦ ପଡିଥିଲେ। କିନ୍ତୁ ନିଜ ରାଜନୈତିକ ସାମ୍ରାଜ୍ୟକୁ ବିସ୍ତାର କରିବା ପାଇଁ ସେ ବ୍ୟାଙ୍କ ଟଙ୍କାକୁ ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଯୋଜନା ମୁତାବକ ଆଖି ବନ୍ଦ କରି ସେ ଜେଏଲଜି ଟଙ୍କା ଋଣ ଆକାରରେ ବାଣ୍ଟିଥିଲେ। ବିନା କୌଣସି ସୁରକ୍ଷା ପ୍ରମାଣ ପତ୍ରରେ ଚାରିରୁ ପାଞ୍ଚ ଜଣ ମିଶି ତିଆରି କରିଥିବା ଗୋଷ୍ଠୀକୁ ଏହି ଋଣ ପ୍ରଦାନ କରାଯାଇଥିଲା।

ସଭାପତିଙ୍କ ନିର୍ଦ୍ଦେଶ ପାଇ ଲାଞ୍ଚ ନେଇ ସମ୍ପାଦକ ମାନେ ଋଣ ଦେଇଥିବା ବେଳେ ଏବେ ଋଣ ଟଙ୍କା ପର୍ଯ୍ୟାୟକ୍ରମେ ଫେରସ୍ତ କରିବାକୁ ପଛଘୁଞ୍ଚା ଦେଉଛନ୍ତି। ଏକପ୍ରକାର ଫାଙ୍କି ଦେବାକୁ ଉଦ୍ୟମ କରୁଥିବା ବେଳେ ମୁହଁ ଲୁଚାଉଥିବା ଅଭିଯୋଗ ହେଉଛି। କେବଳ ସଭାପତିଙ୍କ ପାଇଁ ୨୦୧୮-୧୯ରେ ସର୍ବାଧିକ ଜେଏଲଜି ଋଣ ପ୍ରଦାନ କରାଯାଇଥିବା ସମ୍ପାଦକମାନେ କହିଥିବା ବେଳେ ପ୍ରାୟ ସମସ୍ତ ସମ୍ପାଦକ ତତକାଳୀନ ସଭାପତିଙ୍କ ଆଡକୁ ଆଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି। ଅନ୍ୟପକ୍ଷରେ ଗତ କିଛି ମାସ ତଳେ ସଭାପତିଙ୍କ କାର୍ଯ୍ୟକାଳ ସଂପୂର୍ଣ୍ଣ ହୋଇସାରିଥିବା ବେଳେ ବହୁ ବିଧାୟକ ସମବାୟ ବ୍ୟାଙ୍କରେ ବହୁ ଦୁର୍ନୀତି ହୋଇଥିବା ବିଧାନସଭାରେ ଅଭିଯୋଗ ଆଣିଥିଲେ। ଲୋକଙ୍କ ପାଇଁ କାମ କରୁଥିବା ଏହି ସମବାୟ ବ୍ୟାଙ୍କର କୋଟି କୋଟି ଋଣ ଟଙ୍କା ଏବେ ବକେୟା ପଡିଥିବା ବେଳେ ଏହାର ଭରଣା ହୋଇପାରୁ ନଥିବା ଭାରାପ୍ରାପ୍ତ ବ୍ୟାଙ୍କ ସମ୍ପାଦକ ରବୀନ୍ଦ୍ର ସାହୁ ସ୍ୱୀକାର କରିଛନ୍ତି।

କରୋନା କଟକଣା ଯୋଗୁ ଋଣ ପରିଶୋଧ ପାଇଁ ଚାପ ପକାଇ ପାରୁ ନଥିବାରୁ ଟଙ୍କା ବାକିପଡିଥିବା ଶ୍ରୀ ସାହୁ କହିଛନ୍ତି। ତେବେ କେବଳ ଜେଏଲଜି ଋଣରେ ନୁହଁ, ଗାଈ ଚାଷ ପାଇଁ ବଲାଙ୍ଗିର ଜିଲା କେନ୍ଦ୍ର ସମବାୟ ବ୍ୟାଙ୍କରେ କୋଟି କୋଟି ଟଙ୍କାର ଆର୍ଥିକ ଅନିୟମିତତା ହୋଇଥିବା ପୂର୍ବତନ ନିର୍ଦ୍ଦେଶକ ସାନନ୍ଦ ମେହେର ଅଭିଯୋଗ କରିଛନ୍ତି। ବିଭାଗୀୟ ତଦନ୍ତ ନକରି ଭିଜିଲାନ୍ସ ସ୍ତରୀୟ ତଦନ୍ତ କରାଗଲେ ଆର୍ଥିକ ଅନିୟମିତତାର ଅସଲ ଗୁମର ଖୋଲିବ ବୋଲି ସେ ଦାବି କରିଛନ୍ତି।

Comments are closed.