ଜାମ୍ମୁ-କାଶ୍ମୀରରେ ଆତଙ୍କବାଦୀ ଓ ବିଚ୍ଛିନ୍ନତାବାଦୀମାନେ ବିଦେଶରୁ ପାଣ୍ଠି ସଂଗ୍ରହ କରୁଥିଲେ : ଏନ୍‍ଆଇଏ

ନୂଆଦିଲ୍ଲୀ : ଜାମ୍ମୁ-କାଶ୍ମୀରରେ ଆତଙ୍କବାଦୀ ଓ ବିଚ୍ଛିନ୍ନତାବାଦୀମାନଙ୍କୁ ବିଦେଶରୁ ପାଣ୍ଠି ମିଳୁଥିଲା ବୋଲି ତଦନ୍ତରୁ ସ୍ପଷ୍ଟ ହୋଇଛି । ଜାତୀୟ ତଦନ୍ତକାରୀ ସଂସ୍ଥା ଏନ୍‍ଆଇଏ ଏହି ସୂଚନା ଦେଇଛି । କିଛି ବିଚ୍ଛିନ୍ନତାବାଦୀ ନେତା ଏହି ବିଦେଶୀ ପାଣ୍ଠିକୁ ନିଜର ବ୍ୟକ୍ତିଗତ ସ୍ୱାର୍ଥରେ ବିନିଯୋଗ କରୁଥିବା ଏନ୍‍ଆଇଏ କହିଛି । ହୁରିୟତ୍‍ କନ୍‍ଫରେନ୍‍ସ ତଥା କାଶ୍ମୀରର ବିଭିନ୍ନ ସଙ୍ଗଠନର ନେତାମାନଙ୍କୁ ପଚରା ଉଚରା କରିବା ପରେ ଏନ୍‍ଆଇଏକୁ ଏହି ତଥ୍ୟ ମିଳିଛି।

ଏନ୍‍ଆଇଏ କହିଛି, କାଶ୍ମୀରରେ ବିଚ୍ଛିନ୍ନତାବାଦୀ କାର୍ଯ୍ୟକଳାପ ଓ ଅଶାନ୍ତି ସୃଷ୍ଟି କରିବାପାଇଁ ପାକିସ୍ତାନରୁ ଅର୍ଥ ସଂଗ୍ରହ କରିବା କଥା ହୁରିୟାତ୍‍ ସହ ଅନ୍ୟାନ୍ୟ କେତେକ ସଙ୍ଗଠନ ସ୍ୱୀକାର କରିଛନ୍ତି। ଦୁଃଖତ୍ରାନ-ଇ-ମିଲାତ୍‍ ସଙ୍ଗଠନର ନେତା ଆସିୟା ଅନ୍ଦ୍ରାବିଙ୍କୁ ପଚରାଉଚରାବେଳେ ସେ ବିଦେଶରୁ ପାଣ୍ଠି ସଂଗ୍ରହ କରିଥିବା ସ୍ୱୀକାର କରିଛନ୍ତି।

ସେହିଭଳି କଠୋରପନ୍ଥୀ ବିଚ୍ଛନ୍ନତାବାଦୀ ନେତା ସବିର ଶାହାଙ୍କ ବ୍ୟବସାୟ ସଂକ୍ରାନ୍ତରେ ମଧ୍ୟ ଜେରା କରାଯାଇଥିଲା। ପହଲ୍‍ଗାମ୍‍ରେ ତାଙ୍କର ହୋଟେଲ୍‍ ସମେତ ଅନ୍ୟାନ୍ୟ ବ୍ୟାବସାୟିକ ସଂସ୍ଥାପାଇଁ ପାକିସ୍ତାନରୁ ଅର୍ଥ ମିଳୁଥିବା ସେ ସ୍ୱୀକାର କରିଛନ୍ତି। ବର୍ତ୍ତମାନ ସୁଦ୍ଧା ଏନ୍‍ଆଇଏ ପକ୍ଷରୁ ୧୩ ଜଣ ଅଭିଯୁକ୍ତଙ୍କ ବିରୁଦ୍ଧରେ ଅଭିଯୋଗ ପତ୍ର ଦାଖଲ କରାଯାଇଛି। ସେମାନଙ୍କ ମଧ୍ୟରେ ଜମାତ୍‍-ଉଦ୍‍-ଦୱାର ହାଫିଜ୍‍ ମହମ୍ମଦ ସୟିଦ୍‍, ହିଜିବୁଲ୍‍ ମୁଜାହିଦ୍ଦିନ୍‍ର ସୟିଦ ସଲାହୁଦ୍ଦିନ୍‍, ୭ ଜଣ ବିଚ୍ଛିନ୍ନତାବାଦୀ ନେତା, ୨ ଜଣ ହାୱଲା ଦଲାଲ୍‍ ଏବଂ ୨ ଜଣ ପଥର ପିଙ୍ଗାଳି ଅଛନ୍ତି।

Comments are closed.