ଜାମ୍ମୁ-କାଶ୍ମୀରରେ ବ୍ୟକ୍ତିଗତ ସୁରକ୍ଷା ଦାୟିତ୍ୱରୁ ଏସ୍‍ପିଓ ପ୍ରତ୍ୟାହୃତ

0

ଶ୍ରୀନଗର : ଜାମ୍ମୁ-କାଶ୍ମୀରବାସୀଙ୍କୁ ଯୋଗାଇ ଦିଆଯାଇଥିବା ବ୍ୟକ୍ତିଗତ ସୁରକ୍ଷା ବ୍ୟବସ୍ଥାରେ ନିୟୋଜିତ ସ୍ୱତନ୍ତ୍ର ପୁଲିସ ଅଧିକାରୀ(ଏସ୍‍ପିଓ)ଙ୍କୁ ପ୍ରତ୍ୟାହାର କରାଯାଇଛି। ରାଜ୍ୟ ପୁଲିସ ପକ୍ଷରୁ ଏସ୍‍ପିଓମାନଙ୍କୁ ବିଧାୟକଙ୍କ ଭଳି ବହୁ ପଦାଧିକାରୀଙ୍କ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ (ପିଏସ୍‍ଓ) ଭାବେ ମଧ୍ୟ ନିଯୁକ୍ତ କରାଯାଉଥିଲା; ମାତ୍ର ନିକଟରେ ଦକ୍ଷିଣ କାଶ୍ମୀର ବିଧାୟକ ଐଜାଜ ଅହମ୍ମଦ ମିରଙ୍କ ସୁରକ୍ଷାରେ ନିଯୁକ୍ତ ଜଣେ ଏସ୍‍ପିଓ ଅଦିଲ ବସିର ୭ଟି ବନ୍ଧୁକ ନେଇ ଫେରାର ହୋଇଯିବା ଘଟଣା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଉପରୋକ୍ତ ପଦକ୍ଷେପ ଗ୍ରହଣ କରାଯାଇଛି। ଏଣିକି କୌଣସି ଏସ୍‍ପିଓଙ୍କୁ ପିଏସ୍‍ଓ ଭାବେ ମୁତୟନ ନ କରିବା ଲାଗି ଜିଲା ଏସ୍‍ଏସ୍‍ପିମାନଙ୍କୁ ଅତିରିକ୍ତ ପୁଲିସ ମହାନିର୍ଦେଶକ (ଏଡିଜିପି) ମୁନିର ଅହମ୍ମଦ ଖାନ କହିଛନ୍ତି। ଫେରାର ଏସ୍‍ପିଓ ଦୁଇଟି ବନ୍ଧୁକ ଧରି ଅନ୍ୟ ୪ ଜଣ ଆତଙ୍କବାଦୀଙ୍କ ଗହଣରେ ଛିଡା ହୋଇଥିବାର ଫଟୋ ସାମାଜିକ ଗଣମାଧ୍ୟମରେ ପ୍ରକାଶ ପାଇଥିଲା; ଯାହାଦ୍ୱାରା କି ସମ୍ପୃକ୍ତ ଏସ୍‍ପିଓ ଆତଙ୍କବାଦୀ ସଂଗଠନରେ ସାମିଲ ହୋଇଥିବା ସ୍ପଷ୍ଟ ହୋଇଥିଲା।

Leave A Reply