ଜାମ୍ମୁ କାଶ୍ମୀରରେ ପରିସ୍ଥିତି ସ୍ବଭାବିକ : ’ଗାଁକୁ ଫେରିଚାଲ’ କାର୍ଯ୍ୟକ୍ରମ ପାଇଁ ୫ କୋଟି

ଶ୍ରୀନଗର :  ଜାମ୍ମୁ ଓ କାଶ୍ମୀର ରାଜ୍ୟପାଳ ସତ୍ୟପାଳ ମଲିକ ଜାମ୍ମୁ କାଶ୍ମୀରର ଲଦାଖ ଅଞ୍ଚଳର ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ଶ୍ରୀନଗର ରାଜଭବନରେ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିଛନ୍ତି । ରାଜ୍ୟପାଳଙ୍କ ଉପଦେଷ୍ଟା ଓ ମୁଖ୍ୟ ଶାସନ ସଚିବ ଏହି ବୈଠକରେ ଯୋଗ ଦେଇଥିଲେ।

ବୈଠକରେ ଗାଁକୁ ଫେରିଚାଲ କାର୍ଯ୍ୟକ୍ରମ ସଂପର୍କରେ ମଧ୍ୟ ବୈଠକରେ ସମୀକ୍ଷା କରାଯାଇଛି । ଏହି କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ପାଇଁ ଜିଲ୍ଲା ପ୍ରତି ୫ କୋଟି ଟଙ୍କା ଏବଂ ରାଜସ୍ବ  ଡିଭିଜନ ପିଛା ୫ କୋଟି ଟଙ୍କା ଲେଖାଏଁ ଅନୁଦାନ ପ୍ରଦାନ କରାଯିବ। କେଉଁ ପଞ୍ଚାୟତ ଗୁଡ଼ିକରେ ଏହି ର୍ଯ୍ୟକ୍ରମଗୁଡ଼ିକୁ କାର୍ଯ୍ୟକାରୀ କରାଯିବ ତାହା ମଧ୍ୟ ଚିହ୍ନଟ କରାଯାଇଛି।

ଲୋକମାନଙ୍କୁ ବିଭିନ୍ନ ସାର୍ବଜନୀନ ସେବା ପ୍ରଦାନ ପରିସ୍ଥିତି ସଂକ୍ରାନ୍ତରେ ଆକଳନ କରିବାକୁ ରାଜ୍ୟପାଳ ପରାମର୍ଶ ଦେଇଛନ୍ତି। ତେବେ ରାଜ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀର ଅଭାବ ନାହିଁ ଓ ଯୋଗାଣ ସୁନିଶ୍ଚିତ କରାଯାଇଛି ବୋଲି ରାଜ୍ୟପାଳଙ୍କୁ ବୈଠକରେ ଅବଗତ କରାଯାଇଛି। ଆଇନ ଶୃଙ୍ଖଳା ପରିସ୍ଥିତି ଓ ସରକାରୀ କଳର ପ୍ରସ୍ତୁତି ସଂକ୍ରାନ୍ତରେ ସମୀକ୍ଷା ସମୟରେ ରାଜ୍ୟପାଳ, ସଦାସର୍ବଦା ସଜାଗ, ପ୍ରସ୍ତୁତି ଓ ବିଭିନ୍ନ ବିଭାଗ ଏବଂ ସଂସ୍ଥାଗୁଡ଼ିକ ମଧ୍ୟରେ ସମନ୍ୱୟ ରକ୍ଷା କରିବା ପାଇଁ ଗୁରୁତ୍ୱାରୋପ କରିଛନ୍ତି। ଫଳରେ ପରିସ୍ଥିତିର ଫଳପ୍ରଦ ମୁକାବିଲା କରାଯାଇ ପାରିବ ବୋଲି ସେ କହିଛନ୍ତି।
ଅନ୍ୟପକ୍ଷରେ  ବୁଧବାର କାଶ୍ମୀର ଉପତ୍ୟକାରେ ୩ ହଜାର ମାଧ୍ୟମିକ ସ୍କୁଲ୍‍ ମଧ୍ୟରୁ ୭୭୪ଟି ମାଧ୍ୟମିକ ସ୍କୁଲ୍‍ ଖୋଲାରହିଥିଲା। ଗତ ସୋମବାରରୁ କାଶ୍ମୀରଘାଟୀରେ ସବୁ ପ୍ରାଥମିକ ସ୍କୁଲ୍‍ଗୁଡ଼ିକ ଖୋଲିଥିଲା। ସୂଚନା ଓ ଲୋକସଂପର୍କ ବିଭାଗ ନିର୍ଦ୍ଦେଶକ ସୟଦ୍‍ ସେରିଶ୍‍ ଅଜଗର କହିଛନ୍ତି, ଉପତ୍ୟକାରେ କେତେକ ବେସରକାରୀ ବିଦ୍ୟାଳୟ ମଧ୍ୟ ଖୋଲିଛି। ସେ  କହିଛନ୍ତି କାଶ୍ମୀରରେ ବ୍ୟାଙ୍କ ଓ ହଷ୍ଟେଲ୍‍ଗୁଡ଼ିକ ସ୍ୱାଭାବକ ଭାବେ କାର୍ଯ୍ୟ କରୁଛି।

Comments are closed.