୧୮ ହୁରିଆତ୍‍ ନେତାଙ୍କ ସ୍ୱତନ୍ତ୍ର ନିରାପତ୍ତା ବ୍ୟବସ୍ଥା ପ୍ରତ୍ୟାହାର

0

ଶ୍ର୍ରୀନଗର : ଜମ୍ମୁ -କାଶ୍ମୀରର ୧୮ ଜଣ ହୁରିଆତ୍‍ ନେତାଙ୍କ ସ୍ୱତନ୍ତ୍ର ନିରାପତ୍ତା ବ୍ୟବସ୍ଥାକୁ ପ୍ରଶାସନ ପ୍ରତ୍ୟାହାର କରିନେଇଛି ଏବଂ ଅନ୍ୟ କେତେକଙ୍କର ନିରାପତ୍ତା ବ୍ୟବସ୍ଥାକୁ ହ୍ରାସ କରାଯାଇଛି। ରାଜ୍ୟ ଘରୋଇ ବିଭାଗର ଜଣେ ମୁଖପାତ୍ର କହିଛନ୍ତି ଯେ ଏହି ବିଚ୍ଛିନ୍ନତାବାଦୀ ନେତାମାନଙ୍କୁ ନିରାପତ୍ତା ବ୍ୟବସ୍ଥା ଯୋଗାଇଦେବା ଫଳରେ ସରକାରଙ୍କର ଅଯଥା ଅର୍ଥ ଖର୍ଚ୍ଚ ହେଉଥିଲା। ସେ ବାବଦ ଅର୍ଥକୁ ଅନ୍ୟ ଯଥାର୍ଥ କାର୍ଯ୍ୟରେ ବିନିଯୋଗ କରାଯିବ।
ଏସ୍‍.ଏସ୍‍. ଗିଲାନି, ଆଗା ସଏଦ୍‍ ମସ୍‍ଭି, ମୌଲବୀ ଆବାସ ଅନ୍‍ସାରୀ, ୟେସିନ୍‍ ମଲିକ, ସଲିମ୍‍ ଗିଲାନି, ସଇଦ୍‍ ଉଲ୍‍ ଇସ୍‍ଲାମ, ଜଫର ଆକବର ଭଟ୍‍, ନୈମ୍‍ ଅହମ୍ମଦ ଖାଁ, ମୁକ୍ତା ଅହମ୍ମଦ ୱାଜା, ଫାରୁକ ଅହମ୍ମଦ କିଚ୍‍ଲୁ, ମସ୍ରୁର୍‍ ଆବାସ ଅନ୍‍ସାରୀ, ଆଗାସ ସଇଦ୍‍ ଅବଦୁଲ ହୁସେନ, ଅବଦୁଲ ଗନୀ ଶାହା ଓ ମହମ୍ମଦ ମୁସାଦିକ୍‍ ଭଟ୍‍ ପ୍ରମୁଖ ହୁରିଆତ୍‍ ନେତାଙ୍କର ନିରାପତ୍ତା ବ୍ୟବସ୍ଥା ପ୍ରତ୍ୟାହୃତ ହୋଇଛି ଅବା ହ୍ରାସ କରାଯାଇଛି । ଏହା ପୂର୍ବରୁ ଗତ ରବିବାର ୪ ଜଣ ହୁରିଆତ୍‍ ନେତାଙ୍କ ନିରାପତ୍ତାକୁ ସରକାର ପ୍ରତ୍ୟାହାର କରିନେଇଥିଲେ। ଏହା ବ୍ୟତୀତ ରାଜ୍ୟ ସରକାର ପୂର୍ବରୁ ୧୫୫ ଜଣ ରାଜନୈତିକ ନେତାଙ୍କ ନିରାପତ୍ତାକୁ ପ୍ରତ୍ୟାହାର କରିନେଇଛନ୍ତି। ଏମାନେ ସରକାରୀ ନିରାପତ୍ତା ବ୍ୟବସ୍ଥା ପାଇବାକୁ ଯୋଗ୍ୟ ନୁହନ୍ତି ବୋଲି କୁହାଯାଇଛି।

Leave A Reply