ଜମ୍ମୁ-କାଶ୍ମୀର ନିର୍ବାଚନ ମଣ୍ଡଳୀ ପୁନଃ ସୀମା ନିର୍ଦ୍ଧାରଣ ଖବରକୁ ସରକାରଙ୍କର ଖଣ୍ଡନ

ନୂଆଦିଲ୍ଲୀ : ଜମ୍ମୁ-କାଶ୍ମୀରର ନିର୍ବାଚନ ମଣ୍ଡଳୀଗୁଡ଼ିକର ପୁନଃ ସୀମା ନିର୍ଦ୍ଧାରଣ ଓ ଏଥିପାଇଁ ସରକାର ଏକ କମିଶନ୍‍ ଗଠନ ସଂକ୍ରାନ୍ତ ଖବରକୁ ଆଜି କେନ୍ଦ୍ର ସରକାର ଖଣ୍ଡନ କରିଛନ୍ତି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସୂତ୍ରରୁ କୁହାଯାଇଛି, ଜମ୍ମୁକାଶ୍ମୀର ନିର୍ବାଚନ ମଣ୍ଡଳୀଗୁଡ଼ିକର ପୁନଃ ସୀମା ନିର୍ଦ୍ଧାରଣ ବିଷୟରେ ଆଦୌ ଆଲୋଚନା କରାଯାଇ ନାହିଁ।

ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍‍ ଶାହା ଏ ବିଷୟରେ କେନ୍ଦ୍ର ସ୍ୱରାଷ୍ଟ୍ର ସଚିବ ରାଜୀବ ଗୌବା ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନଙ୍କ ସହ ମଙ୍ଗଳବାର ନୂଆଦିଲ୍ଲୀରେ ଏକ ବୈଠକରେ ଆଲୋଚନା କରିଥିବାର ଗଣମାଧ୍ୟମରେ ଖବର ପ୍ରଚାରିତ ହୋଇଥିଲା। ତେବେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଜମ୍ମୁ-କାଶ୍ମୀର ପରିସ୍ଥିତିକୁ ନେଇ ବୈଠକରେ ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କୁ ଏକ ବିସ୍ତୃତ ରିପୋର୍ଟ ପ୍ରଦାନ କରାଯାଇଥିଲା। ଶ୍ରୀ ଶାହାଙ୍କୁ ଜମ୍ମୁ-କାଶ୍ମୀରର ସାମ୍ପ୍ରତିକ ବାସ୍ତବ ପରିସ୍ଥିତି ସମ୍ପର୍କରେ ଅବଗତ କରାଯାଇଥିଲା।

ଆସନ୍ତାମାସ ପହିଲାରୁ ଆରମ୍ଭ ହେଉଥିବା ବାର୍ଷିକ ଅମରନାଥ ଯାତ୍ରା ପାଇଁ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ମଧ୍ୟ ଶ୍ରୀ ଶାହା ସମୀକ୍ଷା କରିଥିଲେ। ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଏକ ଉଚ୍ଚସ୍ତରୀୟ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‍. ଜୟଶଙ୍କର, ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋୟଲ୍‍ ଓ ପେଟ୍ରୋଲିୟମ୍‍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ। ତୈଳର ମୂଲ୍ୟବୃଦ୍ଧି ପରିପ୍ରେକ୍ଷୀରେ ଅଶୋଧିତ ତୈଳର ବିତରଣ ସମସ୍ୟା ଉପରେ ଏହି ବୈଠକରେ ଆଲୋଚନା ହୋଇଥିବାର ଜଣାପଡ଼ିଛି।

Comments are closed.