ସୋମବାରଠାରୁ ଜାମ୍ମୁ କାଶ୍ମୀରରେ ସ୍ୱାଭାବିକ ହେବ ପୋଷ୍ଟପେଡ୍‍ ମୋବାଇଲ୍‍ ଫୋନ୍‍

ଶ୍ରୀନଗର : ଜାମ୍ମୁ କାଶ୍ମୀରର ଅବଶିଷ୍ଟ ଅଞ୍ଚଳରେ ଆସନ୍ତା ସୋମବାର ଦିନ ମଧ୍ୟାହ୍ନ ୧୨ଟାଠାରୁ ସମସ୍ତ ପୋଷ୍ଟପେଡ୍‍ ମୋବାଇଲ୍‍ ଫୋନ୍‍ ସ୍ୱାଭାବିକ ଭାବେ କାର୍ଯ୍ୟକରିବ। ଜାମ୍ମୁ କାଶ୍ମୀର ସରକାର ଶନିବାର ଏହା ଘୋଷଣା କରିଛନ୍ତି। ଜାମ୍ମୁ କାଶ୍ମୀର ରାଜ୍ୟପାଳଙ୍କ ମୁଖପାତ୍ର ରୋହିତ କଂସଲ୍‍ ଶନିବାର ଶ୍ରୀନଗରଠାରେ କହିଛନ୍ତି, ରାଜ୍ୟରେ ଲାଗୁ କରାଯାଇଥିବା କଟକଣାର କୋହଳ ଦିଗରେ ଏହା ହେବ ଏକ ବଡ଼ ପଦକ୍ଷେପ ।

ସାମ୍ବାଦିକମାନଙ୍କୁ ଏ ସଂକ୍ରାନ୍ତରେ ସୂଚନା ଦେଇ ଶ୍ରୀ କଂସଲ୍‍ କହିଛନ୍ତି, ଲୋକମାନେ ଶାନ୍ତିଶୃଙ୍ଖଳା ରକ୍ଷା କରିଥିବା ଓ ସହଯୋଗ କରିଥିବାରୁ ସରକାର ସେମାନଙ୍କୁ ଧନ୍ୟବାଦ ଜଣାଉଛନ୍ତି। ଗତ ଅଗଷ୍ଟ ୫ ତାରିଖରୁ ରାଜ୍ୟରେ ମୋବାଇଲ୍‍ ଫୋନ୍‍ ସେବାକୁ ବାତିଲ କରି ଦିଆଯାଇଥିଲା। ତାହା ପୂର୍ବରୁ କେନ୍ଦ୍ର ସରକାର ସମ୍ବିଧାନର ଧାରା ୩୭୦କୁ ଉଚ୍ଛେଦ କରିଥିଲେ। ରାଜ୍ୟକୁ ପର୍ଯ୍ୟଟକମାନଙ୍କୁ ଗସ୍ତ କରିବା ପାଇଁ ଅନୁମତି ଦିଆଯିବାର ମାତ୍ର ଅଳ୍ପ ଦିନ ପରେ ମୋବାଇଲ୍‍ ଫୋନ୍‍ ଉପରୁ ଏହି କଟକଣାକୁ ପ୍ରତ୍ୟାହାର କରାଯିବା ବିଷୟ ଘୋଷଣା କରାଯାଇଛି। ଅଗଷ୍ଟ ୧୭ତାରିଖରୁ ରାଜ୍ୟରେ ଆଂଶିକ ଭାବେ ଲ୍ୟାଣ୍ଡଲାଇନ୍‍ ଟେଲିଫୋନ୍‍ ସେବା ପୁର୍ନସ୍ଥାପନ କରାଯାଇଥିଲା ଓ ସେପ୍ଟେମ୍ବର ୪ ତାରିଖରେ ସମସ୍ତ ଲ୍ୟାଣ୍ଡଲାଇନ୍‍ ଫୋନ୍‍ ରାଜ୍ୟରେ କାର୍ଯ୍ୟକ୍ଷମ ହୋଇଥିଲା।

Comments are closed.