୪ଜି ଡାଉନଲୋଡ ସ୍ପିଡ ସାରଣୀ ଶୀର୍ଷରେ ରିଲାଏନ୍ସ ଜିଓ

ନୂଆଦିଲ୍ଲୀ: ଭାରତୀୟ ଦୂରସଂଚାର ବଜାରରେ ନିଜର ଆଧିପତ୍ୟ ବଜାୟ ରଖି ରିଲାଏନ୍ସ ଜିଓ ପୁଣିଥରେ ୪ଜି ସ୍ପିଡ ତାଲିକାରେ ଶୀର୍ଷ ସ୍ଥାନରେ ରହିିଛି ଏବଂ ୨୦୨୧ ଜୁନ୍ ମାସରେ ସେକେଣ୍ଡ ପ୍ରତି ୨୧.୯ ମେଗାବିଟ (ଏମବିପିଏସ) ହାରାହାରି ୪ଜି ଡାଉନଲୋଡ ସ୍ପିଡ ସହିତ ସର୍ବାଗ୍ରେ ରହିଥିବା ଭାରତୀୟ ଦୂରସଂଚାର ନିୟାମକ କର୍ତୃପକ୍ଷ (ଟ୍ରାଇ) ପକ୍ଷରୁ ସଦ୍ୟ ପ୍ରକାଶିତ ତଥ୍ୟରେ କୁହାଯାଇଛି।
ଟ୍ରାଇ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ ରିଲାଏନ୍ସ ଜିଓର ୪ଜି ନେଟୱର୍କ ସ୍ପିଡ ପୂର୍ବ ମାସ ତୁଳନାରେ ସାମାନ୍ୟ ବୃଦ୍ଧିପାଇଛି, ତେବେ ଜୁନ ମାସରେ ଜିଓର ହାରାହାରି ୪ଜି ଡାଉନଲୋଡ ସ୍ପିଡ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭୋଡାଫୋନ ଆଇଡିଆ ତୁଳନାରେ ତିନିଗୁଣରୁ ଅଧିକ ରହିଥିଲା। ଏହି ମାସରେ ଭୋଡାଫୋନ ଆଇଡିଆ ହାରାହାରି ଡାଉନଲୋଡ ସ୍ପିଡ ୬.୫ ଏମବିପିଏସ୍ ରହିଥିବା ବେଳେ ଭାରତୀ ଏୟାରଟେଲର ଉକ୍ତ ମାସରେ ହାରାହାରି ୪ଜି ଡାଉନଲୋଡ ସ୍ପିଡ ୫ ଏମବିପିଏସ ରହିଥିବା ଏହି ତଥ୍ୟରୁ ଜଣାପଡିଛି।
ତେବେ ହାରାହାରି ୪ଜି ଅପ୍ଲୋଡ ସ୍ପିଡରେ ଭୋଡାଫୋନ ଆଇଡିଆର ଜୁନ ମାସରେ ସର୍ବାଧିକ ୬.୨ ଏମବିପିଏସ ଥିବାବେଳେ ତାହା ପଛକୁ ରିଲାଏନ୍ସ ଜିଓର ହାରାହାରି ଅପ୍ଲୋଡ ସ୍ପିଡ ୪.୮ ଏମବିପିଏସ ଏବଂ ଏୟାରଟେଲର ୩.୯ ଏମବିପିଏସ ରହିଥିଲା।
ଉଲ୍ଲେଖଯୋଗ୍ୟ ଯେ ଡାଉନଲୋଡ ସ୍ପିଡ ଗ୍ରାହକଙ୍କୁ ଇଂଟରନେଟରୁ ଖୋଜି ବିଭିନ୍ନ ବିଷୟବସ୍ତୁ ଦେଖିବାରେ ସହାୟତା କରିଥାଏ ଏବଂ ଅପ୍ଲୋଡ ସ୍ପିଡ ସେମାନଙ୍କୁ ସେମାନଙ୍କ ସଂଯୋଗରେ ଥିବା ବ୍ୟକ୍ତିଙ୍କ ନିକଟକୁ ଫଟୋଚିତ୍ର ଅଥବା ଭିଡିଓ ପଠାଇବା ଅଥବା ସେମାନଙ୍କ ସହିତ ସହଭାଗିତା କରିବାରେ ସହାୟକ ହୋଇଥାଏ।

Comments are closed.