ଜିଓ-ଫୋନ୍ ଗ୍ରାହକଙ୍କ ପାଇଁ “ଅଲ୍-ଇନ୍-ୱାନ” ପ୍ଲାନ ଘୋଷଣା

ନୂଆଦିଲ୍ଲୀ: ରିଲାଏନ୍ସ ଜିଓ ଏହାର ଜିଓ ଫୋନ୍ ଗ୍ରାହକମାନଙ୍କ ପାଇଁ ଶୁକ୍ରବାର “ଅଲ୍-ଇନ୍-ୱାନ” ପ୍ଲାନ ଘୋଷଣା କରିଛି। ପୂବରୁ ଜିଓ ପକ୍ଷରୁ ଏହାର ସ୍ମାର୍ଟଫୋନ୍ ଉପଭୋକ୍ତାଙ୍କ ପାଇଁ କିଛିଦିନ ତଳେ ଏହି “ଅଲ୍-ଇନ୍-ୱାନ” ପ୍ଲାନ ଘୋଷଣା କରାଯାଇଥିଲା। ଏହି “ଅଲ୍-ଇନ୍-ୱାନ” ପ୍ଲାନରେ ରିଲାଏନ୍ସ ଜିଓ ଡାଟା ସହିତ ଜିଓ ଟୁ ଜିଓ ଏବଂ ଅନ୍ୟ ନେଟୱର୍କୁ କଲିଂ ବ୍ୟବସ୍ଥା ମଧ୍ୟ ସାମିଲ କରିଛି।
ଜିଓ ଫୋନ୍ର ଏହି ନୂତନ ପ୍ଲାନ ଉପଭୋକ୍ତାମାନଙ୍କ ପାଇଁ ସରଳ ହେବା ସହିତ ଏହାକୁ ବୁଝିବା ପାଇଁ ମଧ୍ୟ ସହଜ ହେବ। ଜିଓ ନେଟୱର୍କରେ ଅସୀମିତ ଭଏସ କଲିଂ ଏବଂ ଡାଟା ବ୍ୟବହାର ପାଇଁ ରିଲାଏନ୍ସ ଜିଓ ପକ୍ଷରୁ ଏକ ୭୫ଟଙ୍କାର ପ୍ଲାନ ଜାରି କରାଯାଇଛି , ଯାହା ଏ କ୍ଷେତ୍ରରେ ଏହା ଦେଶର ସବୁଠାରୁ ଲାଭପ୍ରଦ ଯୋଜନା ବୋଲି ଦାବି କରାଯାଇଛି। ମାସିକ ୭୫ଟଙ୍କାର ଏହି ପ୍ଲାନରେ ୫୦୦ମିନିଟ୍ର ଅନ୍ୟ ନେଟୱର୍କ କଲିଂ ସହିତ ୩ଜିବି ଡାଟା ଉପଲବ୍ଧ ହେବ ଏବଂ ପୂର୍ବଭଳି ଜିଓରୁ ଜିଓକୁ ମାଗଣା ଅସୀମିତ କଲ୍ ବ୍ୟବସ୍ଥା ରହିବ।
ଏହା ବ୍ୟତୀତ ଜିଓ ଫୋନ୍ ଗ୍ରାହକମାନଙ୍କ ପାଇଁ ସ୍ୱତନ୍ତ୍ର ଭାବେ ଆଉ ତିନୋଟି “ଅଲ୍-ଇନ୍-ୱାନ” ପ୍ଲାନ ଘୋଷଣା କରାଯାଇଛି , ଯାହାର ମୂଲ୍ୟ ୧୨୫ଟଙ୍କା, ୧୫୫ଟଙ୍କା ଏବଂ ୧୮୫ଟଙ୍କା ରହିଛି। ସମସ୍ତ ପ୍ଲାନରେ ଜିଓରୁ ଜିଓ ଅସୀମିତ ମାଗଣା କଲିଂ ସୁବିଧା ରହିବା ସହ ୫୦୦ ମିନିଟ୍ର ଅନ୍ୟ ନେଟୱର୍କକୁ କଲିଂ ସୁବିଧା ରହିଛି। ଏହି ସମସ୍ତ ପ୍ଲାନର ଅବଧି ଏକମାସ (୨୮ଦିନ) ରହିଛି। ଏହି ପ୍ଲାନଗୁଡ଼ିକର ଆଉ ଏକ ବଡ଼ ଦିଗ ହେଲା, ମାତ୍ର ୩୦ଟଙ୍କା ଅତିରିକ୍ତ ଦେୟ ଭରଣା କରି ଗ୍ରାହକମାନେ ସେମାନଙ୍କ ଡାଟାକୁ ଦୁଇଗୁଣିତ କରିପାରିବେ। ୧୨୫ଟଙ୍କା ପ୍ଲାନରେ ୧୪ଜିବି ଡାଟା ମିଳୁଥିବା ବେଳେ ୧୫୫ ଟଙ୍କା ପ୍ଲାନ୍ରେ ୨୮ ଜିବି ଡାଟା, ୧୮୫ ଟଙ୍କାରେ ୫୬ ଜିବି ଡାଟା ଉପଲବ୍ଧ ହେଉଛି। କିନ୍ତୁ ଯଦି ଜଣେ ଗ୍ରାହକ ଏହି ପ୍ଲାନ ସହ ଆଉ ୩୦ଟଙ୍କା ପୈଠ କରି ୧୫୫ଟଙ୍କାର ପ୍ଲାନ କ୍ରୟ କରନ୍ତି, ତାଙ୍କର ଡାଟା ୨୮ଜିବି ହୋଇଯିବ। ସେହିପରି ୧୫୫ଟଙ୍କାର ପ୍ଲାନରେ ଅତିରିକ୍ତ ୩୦ଟଙ୍କା ଯୋଡ଼ିଲେ ୧୮୫ଟଙ୍କା ପ୍ଲାନ ଉପଲବ୍ଧ ହେବା ସହ ଗ୍ରାହକଙ୍କ ଡାଟା ସୀମା ଦୁଇଗୁଣିତ ହୋଇ ୫୬ଜିବି ହେବ।
ରିଲାଏନ୍ସ ଜିଓକୁ ବାଦ୍ ଦେଇ ଅନ୍ୟ କମ୍ପାନୀମାନେ ନିଜ ନେଟ୍ୱର୍କ ମଧ୍ୟରେ କଲ୍ ପାଇଁ ସେମାନଙ୍କ ଟୁ-ଜି ଗ୍ରାହକମାନଙ୍କଠାରୁ ଦେୟ ନେଉଛନ୍ତି। ସେହିପରି ଅନ୍ୟ କମ୍ପାନୀ ନେଟ୍ୱର୍କରେ କଲ ପାଇଁ ମଧ୍ୟ ଗ୍ରାହକଙ୍କୁ ଦେୟ ଭରଣା କରିବାକୁ ପଡୁଛି। କିନ୍ତୁ ଜିଓରୁ ଜିଓକୁ କଲ୍ ପାଇଁ ରିଲାଏନ୍ସ ଜିଓ ସମ୍ପୂର୍ଣ୍ଣ ଦେୟମୁକ୍ତ ରଖିଛି। ଏଥିପାଇଁ ଗ୍ରାହକଙ୍କୁ କୌଣସି ଦେୟ ଦେବାକୁ ପଡୁନାହିଁ।
ଜିଓ ଫୋନ୍ ପାଇଁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ଏହି ସମସ୍ତ “ଅଲ୍-ଇନ୍-ୱାନ” ପ୍ଲାନରେ ପ୍ରତିଦ୍ୱନ୍ଦୀ କମ୍ପାନୀମାନଙ୍କ ତୁଳନାରେ ୨୫ଗୁଣ ଅଧିକ ଡାଟା ଉପଲବ୍ଧ କରାଯାଉଛି ବୋଲି ଜିଓ ପକ୍ଷରୁ କୁହାଯାଇଛି। ଜିଓ ଫୋନ୍ ପାଇଁ ପୂର୍ବରୁ ରହିଥିବା ସମସ୍ତ ପ୍ଲାନ୍ ଯଥାବତ୍ ଜାରି ରହିବ କମ୍ପାନୀ ପକ୍ଷରୁ କୁହାଯାଇଛି।

Comments are closed.