ବଡଡୁମୁରିଆ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ପ୍ରକୃତି ମିତ୍ର ପୁରସ୍କାର

ଝୁମ୍ପୁରା: ଝୁମ୍ପୁରା ବ୍ଲକ ବଡଡୁମୁରିଆ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବୈକୁଣ୍ଠନାଥ ମହାନ୍ତଙ୍କୁ ଓଡିଶା ସରକାର ତରଫରୁ ପ୍ରକୃତି ମିତ୍ର ପୁରସ୍କାର ମିଳିଥିବା ଜଣାଯାଇଛି। ବଡଡୁମୁରିଆ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ମହାନ୍ତ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷାଦାନ କରିବା ବ୍ୟତିତ୍ୱ ପରିବେଶବିତ୍‍ ଭାବେ ବେଶ ପରିଚତ। ସେ ବିଦ୍ୟାଳୟର ପରିବେଶକୁ ସରସ ସୁନ୍ଦର କରି ଗଢିବା ଦିଗରେ ତାଙ୍କର ଅବଦାନ ରହିଛି। ବିଦ୍ୟାଳୟ ପରିସର ମଧ୍ୟରେ ଖାଲି ରହିଥିବା ପଡିଆ ଚାରି ପାଖରେ ନାନା ପ୍ରକାର ଔଷଧିୟ ବୃକ୍ଷ ଲଗାଇ ତାର ସେବା ଯତ୍ନ ନେବା ସହିତ ବିଦ୍ୟାଳୟ ପରିସର ମଧ୍ୟରେ ଜାତି ଜାତିର ଫୁଲ ଗଛ ଠାରୁ ଆରମ୍ଭ କରି ସୋ ଗଛ ଲଗାଇ ବିଦ୍ୟାଳୟର ସୌନ୍ଦର୍ଯ୍ୟ ବଢାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରି ଆସୁଛନ୍ତି।

 

ଶ୍ରୀ ମହାନ୍ତ ନିଜ ବିଦ୍ୟାଳୟ ବ୍ୟତିତ ଅନ୍ୟ ବିଦ୍ୟାଳୟ ଗୁଡିକର ପରିବେଶକୁ ସରସ ସୁନ୍ଦର କରିବା ପାଇଁ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ପୁରାମର୍ଶ ଦେବା ସହିତ ବିଭିନ୍ନ ପ୍ରକାର ଗଛ ବିଦ୍ୟାଳୟ ଗୁଡିକୁ ପ୍ରଦାନ କରିଥାନ୍ତି। ଶ୍ରୀ ମହାନ୍ତ ବିଦ୍ୟାଳୟର ପରିବେଶକୁ ଅତ୍ୟନ୍ତ ସୁନ୍ଦର କରିଥିବାରୁ ବ୍ଲକ ସ୍ତରରେ ପୁରସ୍କୃତ ହେବା ସହିତ ବିଭିନ୍ନ ସେଚ୍ଛାସେବୀ ସଂଗଠନ ଗୁଡିକ ମଧ୍ୟ ଶିକ୍ଷକଙ୍କ ପରିବେଶ ସୁରକ୍ଷା ସଚେତନା ପାଇଁ ପୁରସ୍କାର ପ୍ରଦାନ କରିଛନ୍ତି। ପ୍ରଧାନ ଶିକ୍ଷକ ପରିବେଶ ସୁରକ୍ଷା ଠାରୁ ଆରମ୍ଭ କରି ସାମାଜିକ ସେବା କାର୍ଯ୍ୟ, ବନ୍ୟପ୍ରାଣୀ ମାନଙ୍କୁ ସୁରକ୍ଷା ପ୍ରଦାନ କରିବାରେ ବିଶେଷ ଭୂମିକା ଗ୍ରହଣ କରିଥାନ୍ତି। ଚମ୍ପୁଆ ରେଞ୍ଜ ଅଧିକାରୀ ବନ୍ୟପ୍ରାଣୀ ସୁରକ୍ଷା ସପ୍ତାହ ପାଳନ ଅବସରରେ ବଡଡୁମୁରିଆ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବୈକୁଣ୍ଠନାଥ ମହାନ୍ତଙ୍କୁ ପ୍ରକୃତି ମିତ୍ର ର ମାନପତ୍ର ସହିତ ପୁରସ୍କାର ପ୍ରଦାନ କରିଛନ୍ତି।

Comments are closed.