ଗାଁ ମଝିରେ ରହିଛି ପରିତ୍ୟକ୍ତ କୂଅ, ଘଟୁଛି ଦୁର୍ଘଟଣା

ଝୁମ୍ପୁରା: ଝୁମ୍ପୁରା ବ୍ଲକ ଗୁମୁରା ପଞ୍ଚାୟତର ଟୋଲକ ବାହାଳ ଗ୍ରାମର ମଝି ରେ ଏକ କୂଅ ବର୍ତ୍ତମାନ ପରିତ୍ୟକ୍ତ ଅବସ୍ଥାରେ ରହିଛି। ଏହି ପରିତ୍ୟକ୍ତ କୂଅରେ ଅନେକ ଛୋଟ ମୋଟ ଦୁର୍ଘଟଣା ଘଟୁଥିବାରୁ ପରିତ୍ୟକ୍ତ କୂଅଟିରେ ଢାଙ୍କୁଣି ଦିଆ ଯାଉ ନଚେତ ତାକୁ ସବୁ ଦିନ ପାଇଁ ବନ୍ଦ କରିଦିଆ ଯାଉ ବୋଲି ଗ୍ରାମବାସୀ ମତ ପ୍ରକାଶ କରିଛନ୍ତି। ପୂର୍ବରୁ ଗ୍ରାମରେ ପିଇବା ପାଣିର ସୁବିଧା ନଥିବରୁ ସରକାର ତରଫରୁ ଗ୍ରାମବାସୀଙ୍କୁ ପିଇବା ପାଣି ଯୋଗାଇ ଦେବା ନିମନ୍ତେ ଗ୍ରାମର ମଝି ଭାଗରେ ପଥରରେ କୂଅ ନିର୍ମାଣ କରିଥିଲେ। ବର୍ତ୍ତମାନ ସରକାର ପକ୍ଷରୁ ପ୍ରତି ଗ୍ରାମରେ ନଳକୂଅ, ଗଭୀର ନଳକୂଅ ତା ସହିତ ମେଗା ପାନୀୟ ଜଳ ପ୍ରକଳ୍ପରୁ ଗ୍ରାମକୁ ପିଇବା ପାଣିର ବ୍ୟବସ୍ଥା କରିବା ପରେ ଏହି ପଥର କୂଅ ସଂପୂର୍ଣ୍ଣ ଭାବରେ ଅଲୋଡା ହୋଇ ପଡିଛି। କୂଅକୁ ଗ୍ରାମବାସୀ ବ୍ୟବହାର କରୁନଥିବାରୁ ବର୍ତ୍ତମାନ କୂଅର ପାଣି ଦୂଷିତ ହେବା ସହିତ କିଛି ଅଂଶ ଭାଙ୍ଗି ଯାଇଛି।

 

ଏହି ପରିତ୍ୟକ୍ତ କୂଅରେ ଅନେକ ସମୟରେ କୁକୁଡା ଠାରୁ ଆରମ୍ଭ କରି ଛେଳି, ମେଣ୍ଢା ପଡି ମୃତ୍ୟୁ ବରଣ କରୁଥିବାରୁ ଏହି କୂଅକୁ ବିପଦ ମୁକ୍ତ କରିବା ନିମନ୍ତେ କୂଅରେ ପ୍ରଶାସନ ପକ୍ଷରୁ ଢାଙ୍କୁଣି ବ୍ୟବସ୍ଥା କରାଯାଉ ନଚେତ କୂଅ ଭିତରେ ମାଟି ପକାଇ ସବୁ ଦିନ ପାଇଁ ବନ୍ଦ କରି ଦିଆଯାଉ ବୋଲି ଗ୍ରାମବାସୀ ମତ ରଖିଛନ୍ତି। ଏହି ପରିତ୍ୟକ୍ତ କୂଅରେ ବର୍ତ୍ତମାନ କୁକୁଡା, ଛେଳି, ମେଣ୍ଢା ପଡୁଛନ୍ତି ଆଗାମୀ ଦିନରେ କୂଅର ଚଉତୁରା ଅଧିକ ଭାଙ୍ଗି ଗଲେ କୂଅରେ କୁନି କୁନି ପିଲା ମାନେ ଖେଳୁଥିବା ସମୟରେ ଅସାବଧାନତା ବସତଃ ପଡିଯିବାର ସମ୍ଭାବନ ଅଧିକ ରହୁଛି।

Comments are closed.