ବିଦ୍ୟୁତ ସଂଯୋଗ ବିଛିନ୍ନ ଯୋଗୁଁ ପାନୀୟ ଜଳଯୋଗାଣ ବନ୍ଦ

ଝୁମ୍ପୁରା: ଝୁମ୍ପୁରା ପଞ୍ଚାୟତର ୭ ଓ ୮ ନମ୍ବର ୱାର୍ଡରେ ବସବାସ କରୁଥିବା ପରିବାରମାନଙ୍କୁ ବିଭାଗ ପକ୍ଷରୁ ଗଭୀର ନଳକୂଅ ଖନନ କରି ପାଇପ ଯୋଗେ ପ୍ରତି ପରିବାରକୁ ପାଣି ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି। ପାନୀୟ ଜଳ ପ୍ରକଳ୍ପ ଚାଲିବା ପାଇଁ ରହିଥିବା ପମ୍ପ ଚାଲିବା ପାଇଁ ବିଦ୍ୟୁତ୍‍ ସଂଯୋଗ ହୋଇଛି। ବିଦ୍ୟୁତ୍‍ ବିଲ ପଞ୍ଚାୟତ କର୍ତ୍ତୃପକ୍ଷ ପଇଠ କରୁନଥିବାରୁ ପାନୀୟ ଜଳ ପ୍ରକଳ୍ପକୁ ସଂଯୋଗ ହୋଇଥିବା ବିଦ୍ୟୁତ୍‍ ସଂଯୋଗକୁ ବିଚ୍ଛିନ୍ନ କରି ଦେବା ଫଳରେ ଦୁଇଦିନ ହେବ ଏହି ଦୁଇ ୱାର୍ଡର ଜନ ସାଧାରଣ ପାଣି ଟୋପାଏ ପାଇଁ ବାର ହିନସ୍ଥା ହେଉଛନ୍ତି।

ବିଦ୍ୟୁତ୍‍ ବିଭାଗର ଅଧିକାରୀ ଠାରୁ ମିଳିଥିବା ସୂଚନାରୁ ଜଣାଯାଏ ଯେ ଏହି ପାନୀୟ ଜଳ ପ୍ରକଳ୍ପକୁ ବିଦ୍ୟୁତ୍‍ ସଂଯୋଗ ହୋଇଛି କିନ୍ତୁ ମଟର ଚାଲିବା ପାଇଁ ଯେତିକି ବିଦ୍ୟୁତ୍‍ ଖର୍ଚ୍ଚ ହେଉଛି ତାର ବିଲ ପୈଠ କରୁ ନାହାନ୍ତି ପଞ୍ଚାୟତ କର୍ତ୍ତୃପକ୍ଷ। ବର୍ତ୍ତମାନ ସୁଦ୍ଧା ପାଞ୍ଚ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ବିଦ୍ୟୁତ୍‍ ବିଲ ବାକି ରହିଛି। ବିଦ୍ୟୁତ୍‍ ବିଭାଗ ତରଫରୁ ପ୍ରତି ମାସରେ ପଞ୍ଚାୟତ କର୍ତ୍ତୃପକ୍ଷଙ୍କୁ ବିଦ୍ୟୁତ୍‍ ବିଲର ରସିଦ ପ୍ରଦାନ କରା ଯାଉଥିଲେ ମଧ୍ୟ ପଞ୍ଚାୟତ କର୍ତ୍ତୃପକ୍ଷ ବିଲ ପୈଠ କରୁନଥିବାରୁ ପାନୀୟ ଜଳ ପ୍ରକଳ୍ପକୁ ସଂଯୋଗ ହୋଇଥିବା ବିଦ୍ୟୁତ୍‍ ସଂଯୋଗ କାଟି ଦିଆଯାଇଛି।

ବକେୟା ବିଦ୍ୟୁତ୍‍ ବିଲ ପୈଠ କରିବା ପାଇଁ ବିଭାଗ ତରଫରୁ ସପ୍ତାହେ ତଳେ ସରପଞ୍ଚଙ୍କୁ ନୋଟିସ ମାଧ୍ୟମରେ ଅବଗତ କରାଯାଇଛି ବୋଲି ଝୁମ୍ପୁରା ବିଦ୍ୟୁତ୍‍ ସେକ୍ସନର ବିଭାଗୀୟ ଯନ୍ତ୍ରୀ ଲମ୍ବୋଦର ବାରିକ ସୂଚନା ପ୍ରଦାନ କରିଛନ୍ତି। ଦୁଇଦିନ ହେଲା ପାନୀୟ ଜଳ ପ୍ରକଳ୍ପ ଅଚଳ ହୋଇ ପଡିଥିବାରୁ ଏହି ଦୁଇ ୱାର୍ଡର ଜନସାଧାରଣ ବର୍ତ୍ତମାନ ପାଣି ଟୋପାଏ ପାଇଁ ବାର ହିନସ୍ଥା ହେଉଛନ୍ତି। ପଞ୍ଚାୟତ କର୍ତ୍ତୃପକ୍ଷ କାହିଁକି ବିଦ୍ୟୁତ୍‍ ବିଲ ପୈଠ କରୁନାହାନ୍ତି ବୋଲି ଝୁମ୍ପୁରା ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରିଣୀ ଇତିଶ୍ରୀ ମହାରଣାଙ୍କ ସହିତ ଯୋଗାଯୋଗ କରିବାରୁ ସେ କହନ୍ତି ବିଦ୍ୟୁତ୍‍ ବିଲ ପୈଠ କରିବାର ବ୍ୟବସ୍ଥା ଚାଲିଛି ବୋଲି ସଫେଇ ଦେଇଛନ୍ତି।

Comments are closed.