ରାସନ କାର୍ଡରୁ ବଞ୍ଚିତ ବୃଦ୍ଧ ଦମ୍ପତି

ଝୁମ୍ପୁରା: ସଂପ୍ରତି କେନ୍ଦ୍ର ସରକାର ଠାରୁ ଆରମ୍ଭ କରି ରାଜ୍ୟ ସରକାର ପର୍ଯ୍ୟନ୍ତ ପ୍ରତି ଗରିବ ପରିବାରକୁ ମୁଣ୍ଡପିଛା ୫ କିଗ୍ରା ଚାଉଳ ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି। କିନ୍ତୁ ବ୍ଲକସ୍ତରରେ ରହିଥିବା ଯୋଗାଣ ବିଭାଗର ଅଧିକାରୀମାନେ ପାତର ଅନ୍ତର ନୀତି ଅବଲମ୍ବନ କରୁନଥିବାରୁ ରାସନକାର୍ଡ ପାଇବାରୁ ଅନେକ ଗରିବ ପରିବାର ବଞ୍ଚିତ ହୋଇ ରହିଥିବା ଦେଖିବାକୁ ମିଳିଛି। ଝୁମ୍ପୁରା ବ୍ଲକ ଅସନପାଟ ପଞ୍ଚାୟତ ଧାତିକା ଗ୍ରାମର ଅସହାୟ ବୃଦ୍ଧ ସମ୍ପତି ରାସନକାର୍ଡ ପାଇବାରୁ ବଞ୍ଚିତ ହୋଇ ରହିଥିବା ସମ୍ପର୍କରେ ଅଭିଯୋଗ ଆଣିଛନ୍ତି। ଧାତିକା ଗ୍ରାମର ନିଶିକାନ୍ତ ନାଏକ(୭୨) ଏବଂ ତାଙ୍କ ରୋଗୀଣା ସ୍ତ୍ରୀ ପଦ୍ମନୀ ନାଏକ(୬୮) ରାସନକାର୍ଡ ପାଇବାରୁ ବଞ୍ଚିତ ହୋଇ ରହିଛନ୍ତି। ନିଶିକାନ୍ତର ୨ ପୁଅ ତାଙ୍କ ଠାରୁ ଅଲଗା ହୋଇ ଯାଇଥିବାରୁ ବର୍ତ୍ତମାନ ବୃଦ୍ଧ ବୃଦ୍ଧା ଅତିକଷ୍ଟରେ ଦିନ କାଟୁଛନ୍ତି। କାମ କରିବାକୁ, ଚାଲିବାକୁ ବଳ ପାଉ ନଥିବାରୁ ବର୍ତ୍ତମାନ ବୃଦ୍ଧ ବୃଦ୍ଧା ହାତରେ ବାଡିଧରୀ ଚଳ ପ୍ରଚଳ କରୁଛନ୍ତି।

 

ବୃଦ୍ଧବୃଦ୍ଧାଙ୍କ ସମ୍ବଳ କହିଲେ ମାସିକ ପାଉଥିବା ଭତ୍ତା। ରାସନକାର୍ଡ ପାଇବା ଆଶାରେ ଆଜକୁ ୪ ବର୍ଷ ହେଲା ବ୍ଲକରେ ରହିଥିବା ଯୋଗାଣ ଅଧିକାରୀ ପାଖକୁ ଯାଇ କାକୁତି ମିନତୀ ହୋଇ ଆସୁଛନ୍ତି ରାସନକାର୍ଡ ଯୋଗାଇ ଦେବା ପାଇଁ ହେଲେ ଆଜି ପର୍ଯ୍ୟନ୍ତ ରାସନକାର୍ଡ ମିଳି ପାରିଲା ନାହିଁ। ଝୁମ୍ପୁରା ଯୋଗାଣ ଅଧିକାରୀ ବିଭାଗରେ ରହିଥିବା କର୍ମଚାରୀ ଠାରୁ ଆରମ୍ଭ କରି ଯୋଗାଣ ଅଧିକାରୀଣୀଙ୍କୁ ମୋଟା ଅଙ୍କର ହାତଗୁଞ୍ଜା ଯିଏ ଦେଇ ପାରିବ ତାଙ୍କୁ ସପ୍ତାହ ମଧ୍ୟରେ ରାସନକାର୍ଡ ମିଳୁଛି କିନ୍ତୁ ଗରିବ ମାନେ ତାଙ୍କ ପାଖରେ ହାତଗୋଡ ଧରି ନେହୁରା ହେଲେ ମଧ୍ୟ ହାତଗୁଞ୍ଜା ଦେଇ ପାରୁ ନଥିବାରୁ ତାଙ୍କୁ ରାସନକାର୍ଡ ମିଳିପାରୁ ନାହିଁ। ରାସନକାର୍ଡ ନଥିବାରୁ ନିଶିକାନ୍ତଙ୍କୁ ସ୍ୱାସ୍ଥ୍ୟ କାର୍ଡ ମଧ୍ୟ ମିଳିନଥିବା କହିଛନ୍ତି। ସ୍ୱାସ୍ଥ୍ୟ କାର୍ଡ ରହିଥିଲେ ରୋଗୀଣା ସ୍ତ୍ରୀକୁ ନେଇ ଡାକ୍ତରଖାନାରେ ଚିକିତ୍ସା କରିଥାନ୍ତେ ବୋଲି କହିଛନ୍ତି। ନିଶିକାନ୍ତଙ୍କ ଘରମଧ୍ୟ ମିଳିନଥିବାରୁ ବର୍ତ୍ତମାନ ଅଧାଭଙ୍ଗା ଘରେ ଶୀତ କାକରରେ ଅତି କଷ୍ଟରେ ଦିନ କାଟି ଚାଲିଛନ୍ତି। ବୃଦ୍ଧ ଦମ୍ପତିକୁ ରାସନକାର୍ଡ ଯୋଗାଇ ଦେବା ଦିଗରେ ଜିଲାପ୍ରଶାସନ ସ୍ୱତନ୍ତ ଦୃଷ୍ଟି ଦେବାକୁ ନିଶିକାନ୍ତ ତରଫରୁ ଦାବି ହେଉଛି।

Comments are closed.