ପଞ୍ଚାୟତ ସମିତି ବୈଠକରେ ଶିକ୍ଷା ଓ ମତ୍ସ୍ୟ ବିଭାଗର ଖାମଖିଆଲ ନୀତିକୁ ବିରୋଧ

ଝୁମ୍ପୁରା: ଝୁମ୍ପୁରା ବ୍ଲକ ପରିସର ମଧ୍ୟରେ ରହିଥିବା ସଭାଗୃହ ଠାରେ ଝୁମ୍ପୁରା ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ନାଏକଙ୍କ ସଭାପତିତ୍ୱରେ ପଞ୍ଚାୟତ ସମିତି ବୈଠକ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ପାଟଣା ବିଧାୟକ ଜଗନ୍ନାଥ ନାୟକ, କେନ୍ଦୁଝର ସଦର ବିଧାୟକ ତଥା ବିରୋଧି ଦଳର ମୁଖ୍ୟ ସଚେତକ ମୋହନ ଚରଣ ମାଝୀ, ବିଡିଓ ବିଜୟ କୁମାର ନାୟକ, ସହକାରୀ ଯନ୍ତ୍ରୀ କୃଷ୍ଣଚନ୍ଦ୍ର ସାହୁ, ପି ଏ ପିତାମ୍ବର ନାଏକ ପ୍ରମୁଖ ଉପସ୍ଥିତ ରହିଥିଲେ। ଏହି ବୈଠକରେ ଶିକ୍ଷା, ମତ୍ସ୍ୟ, ପଶୁସମ୍ପଦ, ଜଙ୍ଗଲ, ବିଦ୍ୟୁତ୍‍, କୃଷି, ଉନ୍ନୟନ, ମନରେଗା. ସ୍ୱାସ୍ଥ୍ୟ , ଯୋଗାଣ ବିଭାଗ,ଶିଳ୍ପ ,ଶିଶୁ ବିକାଶ ଉପରେ ବୈଠକରେ ଆଲୋଚନା ହୋଇଥିଲା। ଝୁମ୍ପୁରା ବ୍ଲକରେ ମତ୍ସ୍ୟ ବିଭାଗର ଅଧିକାରୀ ଠିକ୍‍ ଭାବରେ ବ୍ଲକର ହିତାଧିକାରୀମାନଙ୍କ ସହିତ ସମ୍ପର୍କ ରଖୁ ନାହାନ୍ତି।

ସରକାର ବର୍ତ୍ତମାନ ମତ୍ସ୍ୟଚାଷ ଉପରେ ଅଧିକ ଗୁରୁତ୍ୱ ଦେବା ସହିତ ଚାଷୀମାନେ ମାଛ ଚାଷ କରିବା ନିମନ୍ତେ ସରକାର ମୋ ପୋଖରୀ ଯୋଜନା କାର୍ଯ୍ୟଚାଲୁ ରଖିଛନ୍ତି। ଝୁମ୍ପୁରା ବ୍ଲକରେ ୧୪୯ଟି ଗ୍ରାମ ରହିଛି କିନ୍ତୁ ଏହି ୧୪୯ ଗ୍ରାମ ମଧ୍ୟରେ ଗୋଟାଏ ଗ୍ରାମର ଜଣେ ମାତ୍ର ଚାଷୀ ମତ୍ସ୍ୟ ଚାଷ କରିବା ପାଇଁ ମୋ ପୋଖରୀ କାର୍ଯ୍ୟ ସଂପୂର୍ଣ୍ଣ କରିଛନ୍ତି। ଦାୟିତ୍ୱରେ ରହିଥିବା ଅଧିକାରୀ ଜଣକ ବ୍ଲକରେ ବହୁ ଚାଷୀ ମାଛ ଚାଷ କରିବା ପାଇଁ ଆଗ୍ରହ ପ୍ରକାଶ କରୁଥିଲେ ମଧ୍ୟ ଅଧିକାରୀ ଚାଷୀମାନଙ୍କ ସହିତ ସୁସମ୍ପର୍କ ରଖୁ ନାହାନ୍ତି କିମ୍ବା ମତ୍ସ୍ୟ ଚାଷକୁ ବ୍ଲକରେ ବହୁଳ ଭାବରେ କରିବା ଦିଗରେ ଆଗ୍ରହ ପ୍ରକାଶ କରୁନଥିବାରୁ ଦୁଇ ବିଧାୟକ ଏବଂ ୧୭ ନମ୍ବର ଜିଲା ପରିଷଦ ସଭ୍ୟ ଅନୁବ୍ରତ ବେହେରା ଅସନ୍ତୋଷ ପ୍ରକାଶ କରିଥିଲେ।

ବ୍ଲକର ପ୍ରତି ଗ୍ରାମରେ ୧୦ ଜଣ ଚାଷୀ କିପରୀ ମତ୍ସ୍ୟ ଚାଷ କରି ପାରିବେ ସେଥିପ୍ରତି ବିଭାଗୀୟ ଅଧିକାରୀ ସ୍ୱତନ୍ତ ଧ୍ୟାନ ଦେବାକୁ ଦୁଇ ବିଧାୟକ ପରାମର୍ଶ ଦେଇଥିଲେ। ସେହିପରି ଝୁମ୍ପୁରା ବ୍ଲକ ଶିକ୍ଷା ଅଧିକାରୀ ବ୍ଲକର କୌଣସି ସ୍କୁଲ ପରିଦର୍ଶନ କରୁ ନାହାନ୍ତି ଯାହା ଫଳରେ ବ୍ଲକରେ ୮ରୁ ୧୦ ଶ୍ରେଣୀରେ ଅଧ୍ୟୟନ କରୁଥିବା ପିଲାଙ୍କ ଶିକ୍ଷାଦାନ ଠିକ୍‍ ଭାବରେ ହୋଇପାରୁ ନାହିଁ ତା ସହିତ ସ୍କୁଲ ଗୁଡିକୁ ବିଭାଗୀୟ ଅଧିକାରୀ ମାନେ ପରିଦର୍ଶନ କରୁ ନାହାନ୍ତି ଯାହା ଫଳରେ ବିଦ୍ୟାଳୟ ସ୍ୱଚ୍ଛତା ପ୍ରତି ବିଦ୍ୟାଳୟ କର୍ତ୍ତୃପକ୍ଷ ଆଦୌ ଧ୍ୟାନ ଦେଉ ନାହାନ୍ତି। ବର୍ତ୍ତମାନ ବ୍ଲକର ବିଭିନ୍ନ ଉଚ୍ଚ ବିଦ୍ୟାଳୟ ରୂପାନ୍ତରୀକରଣ କାର୍ଯ୍ୟ ଚାଲିଛି କିନ୍ତୁ ଶିକ୍ଷା ବିଭାଗର ଅଧିକାରୀମାନେ ରୂପାନ୍ତରୀକରଣ କିପରୀ ଚାଲିଛି ଦିନକ ପାଇଁ ପରିଦର୍ଶନ ମଧ୍ୟ କରୁ ନଥିବାରୁ ବିଧାୟକମାନେ ଶିକ୍ଷାଅଧିକାରୀଙ୍କ ଏହି ନୀତିକୁ ଘୋର ବିରୋଧ କରିବା ସହିତ ବ୍ଲକ ଶିକ୍ଷା ଅଧିକାରୀ ତଳ କର୍ମଚାରୀ ଦ୍ୱାରା ପରିଚାଳିତ ହେଉଥିବାରୁ ଝୁମ୍ପୁରା ବ୍ଲକରେ ଶିକ୍ଷା ବିଭାଗ ସଂପୂର୍ଣ୍ଣ ଭୁଷୁଡି ପଡିଛି ଏହାର ସୁଧାର ଆଣିବା ସହିତ ପାଟବିଲ ସ୍କୁଲକୁ ଶିକ୍ଷକ ଶୂନ୍ୟ ସ୍କୁଲ କରି ରଖିଥିବାରୁ ଏହି ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଛାତ୍ର ଛାତ୍ରୀ ମାନଙ୍କ ଭବିଷ୍ୟତ ଅନ୍ଧାର ଆଡକୁ ଗତି ଯେପରି ନକରିବ ସେଥିପ୍ରତି ବିଶେଷ ଧ୍ୟାନ ଦେବାକୁ ନିର୍ଦେଶ ଦେଇଛନ୍ତି। ଏହି ବୈଠକରେ ଜିଲା ପରିଷଦ ସଭ୍ୟସଭ୍ୟା, ସମିତି ସଭ୍ୟସଭ୍ୟା, ସରପଞ୍ଚ ବ୍ଲକର ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।

Comments are closed.