ପ୍ରୋତ୍ସାହନ ଅଭାବ; ନଳିତା ଚାଷ ପ୍ରତି ଚାଷୀ ବିମୁଖ

ଅସୁରେଶ୍ୱର : ନିଶ୍ଚିନ୍ତକୋଇଲି ବ୍ଲକ ଅସୁରେଶ୍ୱର ଅଞ୍ଚଳରେ ସରକାରୀ ପ୍ରୋତ୍ସାହନ ଅଭାବରୁ ନଳିତାଚାଷ ପ୍ରତି ଚାଷୀ ବିମୁଖ ହେଉଥିବା ଜଣାଯାଇଛି। ଏପରି ହେଲେ ଆଗାମୀଦିନରେ ଅଞ୍ଚଳରୁ ନଳିତାଚାଷ ଲୋପପାଇବା ଆଶଙ୍କାକୁ ଏଡ଼ାଇ ଦିଆଯାଇ ନପାରେ ବୋଲି ସାଧାରଣରେ ମତପ୍ରକାଶ ପାଇଛି। ନିଶ୍ଚିନ୍ତକୋଇଲି ବ୍ଲକର ସୁକରପଡ଼ା, କେଣ୍ଟାଳୋ, କଟିକଟା, ଅସୁରେଶ୍ୱର, କେରିଲୋ, ଜମରା, ଓରତି, ତରତଶାସନ, ନରେନ୍ଦ୍ରପୁର, ମହମ୍ମଦପୁର, ମଣିଜଙ୍ଗ, ଉତ୍ତରକୂଳ ପ୍ରଭୃତି ୪୧ଟି ପଞ୍ଚାୟତଗୁଡ଼ିକ କୃଷିବହୁଳ ଅଟେ। ପ୍ରତିବର୍ଷ ଅଞ୍ଚଳର ଚାଷୀମାନେ ଧାନ, ମୁଗ, ବିରି , କୋଳଥ ବିଭିନ୍ନ ପନିପରିବା ଓ ନଳିତା ଚାଷ କରିଥାନ୍ତି।

ନଳିତା ଏକ ଅର୍ଥକାରୀ ଫସଲ ଅଟେ। ଏହି ଅଞ୍ଚଳ ଉପକୂଳବର୍ତ୍ତୀ ଜିଲାରେ ଥିବା ହେତୁ ନଳିତାଚାଷ ନିମନ୍ତେ ବିଶେଷ ସମସ୍ୟା ସୃଷ୍ଟି ହୋଇ ନଥାଏ। ବିଶେଷ କରି ଚାଷୀମାନେ ଖରାଦିନେ ନଳିତା ଚାଷ ନିମନ୍ତେ ବିଲରେ ବିହନ ପକାଇଥାନ୍ତି। ରଜ ପରେ ପରେ ମୌସୁମୀ ବାୟୁ ଆସୁଥିବା ହେତୁ ନଳିତା ଗଛ ବର୍ଷା ଜଳ ପାଇ ବଢିଥାଏ। କିନ୍ତୁ ଗତ କିଛିବର୍ଷ ହେଲା ଜଳବାୟୁ ପରିବର୍ତ୍ତନ ହୋଇଛି। ବର୍ଷାରେ ଅନିୟମିତତା ପରିଲକ୍ଷିତ ହୋଇଛି। ନଳିତା ଚାଷ କରୁଥିବା ଚାଷୀମାନେ ବହୁ କଷ୍ଟରେ ଖରାଦିନେ ନଳିତା ଗଛକୁ ବିିଭିନ୍ନ ଉପାୟରେ ପାଣି ଦେଇ ବହୁ କଷ୍ଟରେ ବଞ୍ଚାଇ ରଖିଥାନ୍ତି। ସ୍ଥାନୀୟ ଅଞ୍ଚଳରେ ଖରାଦିନେ ନଈ, ନାଳ ଓ କେନାଲଗୁଡ଼ିକ ଏକରକମ ଶୁଖିଲା ପଡ଼ିଥାଏ। ସ୍ଥାନୀୟ ଅଞ୍ଚଳରେ ଉଠାଜଳସେଚନ ବ୍ୟବସ୍ଥା ସମ୍ପୂର୍ଣ୍ଣ ଅଚଳ ହୋଇପଡ଼ିଛି। ସାମ୍ପ୍ରତିକ ପରିସ୍ଥିତିରେ ମୁଲିଆ ମଜୁରୀ, ବିହନ, ରାସାୟନିକ ସାର, ଔଷଧର ମୂଲ୍ୟ ଆଶାତୀତ ଭାବେ ବୃଦ୍ଧି ପାଇଛି। ନଳିତାଚାଷ ନିମନ୍ତେ ଆବଶ୍ୟକ ବିହନ ସରକାରଙ୍କ ତରଫରୁ କୃଷକଙ୍କୁ ଯୋଗାଇ ଦିଆଯାଉ ନାହିଁ। ସରକାରଙ୍କ ତରଫରୁ ରାସାୟନିକ ସାର, ଔଷଧ ମଧ୍ୟ ରିହାତି ମୂଲ୍ୟରେ ଯୋଗାଇ ଦିଆଯାଉ ନାହିଁ। ଫଳରେ ଚାଷୀ ନଳିତା ଚାଷ ନିମନ୍ତେ ବିନିଯୋଗ କରୁଥିବା ପ୍ରାପ୍ୟ ଠିକ୍‍ ଭାବେ ପାଇପାରୁ ନାହିଁ। ନଳିତା ଚାଷ ନିମନ୍ତେ ଚାଷୀଙ୍କୁ ଉପଯୁକ୍ତ ତାଲିମ ପ୍ରଦାନ କରାଯାଉ ନାହିଁ। ନଳିତାଗୁଡ଼ିକୁ ପଚାଇବା ନିମନ୍ତେ ଟାଙ୍କିର ମଧ୍ୟ ବ୍ୟବସ୍ଥା କରାଯାଇ ନାହିଁ। ଚାଷୀମାନେ ସ୍ଥାନୀୟ ଅଞ୍ଚଳରେ ଥିବା ବିଭିନ୍ନ ଗଡ଼ିଆ, ପୋଖରୀମାନଙ୍କରେ ବହୁ କଷ୍ଟରେ ଏହି ନଳିତାକୁ ପଚାଇ ଝୋଟ ପ୍ରସ୍ତୁତ କରିଥାନ୍ତି। ଝୋଟଦ୍ୱାରା ମୂଲ୍ୟବାନ ଶାଢୀ, ଦୌଡ଼ି, ସୁତୁଲି, ଅଖା, ବ୍ୟାଗ୍‍ ପ୍ରଭୃତି ସାମଗ୍ରୀ ତିଆରି କରାଯାଇଥାଏ। ନଳିତା ଚାଷ କରୁଥିବା ଚାଷୀମାନେ ଝୋଟ ବିକ୍ରୟ କରିବା ନିମନ୍ତେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ଏପରିକି ସ୍ଥାନୀୟ ଅଞ୍ଚଳରେ ଝୋଟ ବିକ୍ରୟ ନିମନ୍ତେ ସେପରି କୌଣସି ସୁବିଧା ସୁଯୋଗ ନାହିଁ। ପୂର୍ବରୁ ଚାଷୀମାନେ କେନ୍ଦୁପାଟଣାଠାରେ ଝୋଟ ବିକ୍ରୟ କରୁଥିଲେ। ଧିରେ ଧିରେ ଏହି ଝୋଟ କ୍ରୟ କେନ୍ଦ୍ର ବନ୍ଦ ହୋଇଯାଇଛି। ଚାଷୀର ଉତ୍ପାଦିତ ଝୋଟକୁ କୌଣସି ବ୍ୟବସାୟୀ କ୍ରୟ କରୁ ନାହାଁନ୍ତି।

ଯେଉଁ ବ୍ୟବସାୟୀମାନେ ଝୋଟ କ୍ରୟ କରୁଛନ୍ତି ସେମାନେ ଅଦରଦରରେ ଏହା କ୍ରୟ କରୁଛନ୍ତି। ଫଳରେ ଚାଷୀ ତାର ଉତ୍ପାଦିତ ଦ୍ରବ୍ୟରୁ ଉପଯୁକ୍ତ ପ୍ରାପ୍ୟ ପାଇପାରୁ ନାହିଁ। କେବଳ ଚାଷୀ ଝୋଟରୁ ଉତ୍ପ୍ରାଦିକ କାଉଁରିଆକୁ ବିକି ସେଥିରୁ ବେଶ ଦୁଇ ପଇସା ରୋଜଗାର କରିଥାଏ କିମ୍ବା କାଉଁରିଆକୁ ତାର ଘରେ ଜାଳେଣୀ ରୂପେ ବ୍ୟବହାର କରିଥାଏ। ଚାଷୀ ନଳିତା ଚାଷରେ ବିନିଯୋଗ କରୁଥିବା ପ୍ରାପ୍ୟ ଝୋଟ ବିକ୍ରୟ ନିମନ୍ତେ ଉପଯୁକ୍ତ ବଜାରର ସୁବିଧା ସୁଯୋଗ ନଥିବା ହେତୁ ଠିକ୍‍ ଭାବେ ପ୍ରାପ୍ୟ ପାଇପାରୁ ନାହିଁ। ଫଳରେ ନଳିତା ଚାଷ କରି ଚାଷୀ ଆର୍ଥିକ କ୍ଷତିର ସମ୍ମୁଖୀନ ହୋଇଥାଏ। ପ୍ରୋତ୍ସାହନ ଅଭାବରୁ ଆଗାମୀ ଦିନରେ ଅଞ୍ଚଳରେ ନଳିତା ଚାଷ ଲୋପ ପାଇବାର ଆଶଙ୍କା ସୃଷ୍ଟି ହୋଇଛି। ସରକାରଙ୍କ ତରଫରୁ ନଳିତା ଚାଷକୁ ବଞ୍ଚାଇ ରଖିବା ନିମନ୍ତେ ଚାଷୀଙ୍କୁ ଉପଯୁକ୍ତ ପ୍ରୋତ୍ସାହନ, ତାଲିମ ପ୍ରଦାନ ଯୋଗାଇଦେବା ସହ ଝୋଟର ବିକ୍ରୟ ନିମନ୍ତେ ଉପଯୁକ୍ତ ବଜାରର ବ୍ୟବସ୍ଥା ସୃଷ୍ଟି କରାଯିବା ନିମନ୍ତେ ଚାଷୀ ମହଲରେ ଦୃଢ ଦାବି ହୋଇଛି।

Comments are closed.