ବିଶ୍ଵ ଜୁନିୟର ଭାରୋତ୍ତୋଳନ: ଝିଲିଙ୍କୁ ବ୍ରୋଞ୍ଜ

0

ଭୁବନେଶ୍ବର : ଓଡ଼ିଶା ପାଇଁ ଭାରୋତ୍ତେଳନ କ୍ରୀଡ଼ାରେ ଗୌରବ ଆଣିଛନ୍ତି ଝିଲି ଦଳବେହେରା। ଉଜ୍‌ବେକିସ୍ତାନର ତାସ୍‌କେଣ୍ଟରେ ଚାଲିଥିବା ବିଶ୍ବ ଜୁନିୟର ଭାରୋତ୍ତୋଳନ ଚମ୍ପିଆନସିପରେ ଝିଲି ଭାରତ ପାଇଁ ବ୍ରୋଞ୍ଜ ପଦକ ବିଜୟୀ ହୋଇଛନ୍ତି। ଶନିବାର ଅନୁଷ୍ଠିତ ୪୮ କିଗ୍ରା ମହିଳା ବର୍ଗରେ ଝିଲି ଏହି ସଫଳତା ହାସଲ କରିଛନ୍ତି। ଝିଲି ସ୍ନାଚରେ ୭୫ ଓ କ୍ଲିନ ଆଣ୍ଡ ଜର୍କରେ ୯୨ କିଗ୍ରା ସହ ମୋଟ ୧୬୭ କିଗ୍ରା ଭାରୋତ୍ତୋଳନ କରି ତୃତୀୟ ସ୍ଥାନରେ ରହିଥିଲେ। ପ୍ରତିଯୋଗିତାରେ ଭାରତ ପକ୍ଷରୁ ମାତ୍ର ଦୁଣଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିବା ଲାଗି ଯୋଗ୍ୟତା ହାସଲ କରିଥିଲେ। ମହିଳା ବିଭାଗରେ ଝିଲି ଏକମାତ୍ର ପ୍ରତିଯୋଗୀ ଭାବେ ଭାରତ ପାଇଁ ସଫଳତା ଆଣିଛନ୍ତି। ଭୁବନେଶ୍ବର କ୍ରୀଡ଼ା ଛାତ୍ରାବାସର ଅନ୍ତେବାସୀ ଝିଲି ପୂର୍ବରୁ ଗତ ଜାନୁଆରୀରେ ଅଷ୍ଟ୍ରେଲିଆର ଗୋଲଡ୍‌ କୋଷ୍ଟରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ ଜୁନିୟର ଭାରୋତ୍ତୋଳନ ଚମ୍ପିଆନସିପ୍‌ରେ ସ୍ବର୍ଣ୍ଣ ଓ ଉଜ୍‌ବେକିସ୍ତାନରେ ଏସିଆନ ଜୁନିୟର ଭାରୋତ୍ତୋଳନ ଚମ୍ପିଆନସିପ୍‌ରେ ରୌପ୍ୟ ପଦକ ବିଜୟୀ ହୋଇଥିଲେ। ପ୍ରଥମ ଥର ପାଇଁ ବିଶ୍ବ ଜୁନିୟର ଭାରୋତ୍ତୋଳନରେ ପଦକ ବିଜୟୀ ହୋଇଛନ୍ତି। ଏହି ସଫଳତା ଲାଗି ଝିଲିଙ୍କୁ କୋଚ ପି. ଧର୍ମାରାଓ ଶୁଭେଚ୍ଛା ଜଣାଇଛନ୍ତି। ପୂର୍ବରୁ ବିଶ୍ବ ଜୁନିୟର ଭାରୋତ୍ତୋଳନ ଚମ୍ପିଆନସିପ୍‌ରେ ପ୍ରମିଳା କିର୍ଷାନୀ ଓ ଅରୁଣ ଶାନ୍ତା ପ୍ରମୁଖ ପଦକ ବିଜୟୀ ହୋଇଥିଲେ।

Leave A Reply