ପୁଣି ମମତାଙ୍କୁ ଝଟକା, ବିଜେପିରେ ସାମିଲ୍‌ ହେଲେ ଟିଏମ୍‌ସିର ଆଉଜଣେ ବିଧାୟକ

ନୂଆଦିଲ୍ଲୀ .- ୨୦୧୯ ସାଧାରଣ ନିର୍ବାଚନର ଫଳାଫଳ ଘୋଷଣା ହେବାପରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଝଟକା ପରେ ଝଟକା ଲାଗିବାରେ ଲାଗିଛି । ବୁଧବାରରେ ତୃଣମୂଳ କଂଗ୍ରେସର ବିଧାୟକ ମୁନୀରୁଲ ଇସଲାମ ବିଜେପିରେ ଯୋଗ ଦେଇଛନ୍ତି । ତାଙ୍କ ସହ ଟିଏମ୍‌ସିର ବରିଷ୍ଠ ନେତା ଗଦାଧର ହଜରା,ମହମ୍ମଦ ଆସିଫ ଇକବାଲ ଓ ନିମାଇଁ ଦାସ ବିଜେପିରେ ସାମିଲ ହୋଇଛନ୍ତି ।

ଆସନ୍ତା କିଛି ଦିନମଧ୍ୟରେ ତୃଣମୂଳ କଂଗ୍ରେସର ଆହୁରି ୬ ଜଣ ବିଧାୟକ ବିଜେପିରେ ସାମିଲ ହେବେ ବୋଲି ବିଜେପି ପକ୍ଷରୁ ଦାବି କରାଯାଇଛି । ପଶ୍ଚିମବଙ୍ଗରେ ମମତାଙ୍କ ସରକାରକୁ ଶାସନଗାଦିରୁ ହଟାଇବା ସମ୍ଭବ ନୁହେଁ ହେଲେ ବିଜେପି ଝଟକା ପରେ ଝଟକା ଦେବାରେ ଲାଗିଛି । ମଙ୍ଗଳବାରରେ ତୃଣମୂଳ କଂଗ୍ରେସର ଜଣେ ବିଧାୟକ ଓ ଅନେକ କାଉନସିଲର ବିଜେପିରେ ସାମିଲ ହୋଇଥିଲେ । କଂଗ୍ରେସ ଓ ସିପିଆଇ(ଏମ୍‌)ର ଜଣେ ଲେଖାଏଁ ବିଧାୟକ ବିଜେପିରେ ସାମିଲ ହୋଇଥିଲେ ।

ଆଗକୁ ତୃଣମୂଳ କଂଗ୍ରେସର ଆହୁରି ବିଧାୟକ ଓ ସାସଂଦ ବିଜେପିରେ ସାମିଲ ହେବେ ବୋଲି ପଶ୍ଚିମବଙ୍ଗର ବିଜେପି ନେତା ମୁକୁଳ ରାୟ କହିଛନ୍ତି । ମମତା ବାନାର୍ଜୀ ମୋଦୀଙ୍କ ଶପଥ ଗ୍ରହଣ ଅବସରରେ କୋଲକାତାରେ ଧାରଣାରେ ବସିବେ ଖବର ଆସିବାର କିଛି ସମୟ ପରେ ମୁକୁଳ ଏହି ସୂଚନା ଦେଇଛନ୍ତି ।

Comments are closed.