ରାଜ୍ୟସ୍ତରୀୟ ସମାଜ ସ୍ବତନ୍ତ୍ର ; ଜଙ୍ଗଲକୁ ଜୀବନ୍ୟାସ ଦେବ ମିଆୱାକୀ ବଣ

ଝାରସୁଗୁଡ଼ା : ବୃକ୍ଷଟିଏ ପ୍ରାକୃତିକ ରୂପେ ଚାରାରୁ ଗଛ ହୋଇ କ୍ରମେ ଅନେକ ଅନୁରୂପ ଗଛର ସମୂହକୁ ​‌​ନେଇ ଜଙ୍ଗଲ ସୃଷ୍ଟି ହେବାକୁ ଲାଗେ ଶତାଧିକ ବର୍ଷ । କିନ୍ତୁ ମଣିଷ ଶିଳ୍ପ ଓ ଗୃହ ନିର୍ମାଣ ପାଇଁ ଯନ୍ତ୍ର ଲଗାଇ କ୍ଷଣିକରେ ଜଙ୍ଗଲ ନଷ୍ଟ କରିଦେବା ଫଳରେ ତାହାର କୁପରିଣାମ ଜୀବଜଗତର ପ୍ରତିଟି ପ୍ରାଣୀ ଭୋଗୁଛି । ତେବେ ଏଥିରୁ ବର୍ତ୍ତିବା​‌ ପାଇଁ ଝାରସୁଗୁଡ଼ା ବନିଭାଗ ‘ମିଆୱାକୀ ପଦ୍ଧତି’ ରେ ବନୀକରଣ ଆରମ୍ଭ କରିଛି । ଯାହାକି କେବଳ ୨୦ରୁ ୩୦ବର୍ଷ ମଧ୍ୟରେ ଏମିତି ଜଙ୍ଗଲ ସୃଷ୍ଟି କରିବ ଯେମିତି କି ପ୍ରାକୃତିକ ଭାବେ ୨ଶତକରୁ ଅଧିକ ସମୟ ଲାଗନ୍ତା ।
ବିଭିନ୍ନ ରକମର ଦେଶୀ ଚାରାକୁ ଯୋଜନାକୃତ ଭାବେ ନିକଟତର ଲଗାଇ ଘଞ୍ଚ ଜଙ୍ଗଲ ସୃଷ୍ଟି କରିବାର ଏହି ପ୍ରଣାଳୀ ୧୯୮୦ ମସିହାରେ ଜାପାନର ଜଣେ ଉଦ୍ଭିଦ ବିଜ୍ଞାନୀ ଅକିରା ମିଆୱାକୀ ଆରମ୍ଭ କରିଥିଲେ । ଇତିମଧ୍ୟରେ ଭାରତର ବାଙ୍ଗାଲୁରୁ, ତିରୁଚିରାପଲ୍ଲୀ, ଔରଙ୍ଗା​‌ବାଦ ଏବଂ ଓଡ଼ିଶାର ମାଲକାନଗିରି ସମେତ ବିଭିନ୍ନ ସ୍ଥାନରେ ଏହି ପଦ୍ଧତିରେ କରାଯାଇଛି ।
ଝାରସୁଗୁଡ଼ା ସହର ଉପକଣ୍ଠସ୍ଥ ମାଲିମୁଣ୍ଡା ପରିବେଶ ଉଦ୍ୟାନ ନିକଟ ଏକ ସଂରକ୍ଷିତ କ୍ଷେତ୍ରରେ ଝାରସୁଗୁଡ଼ା ବନବିଭାଗ ପକ୍ଷରୁ ଏହି ପଦ୍ଧତିରେ ବନୀକରଣ ଆରମ୍ଭ ହୋଇଛି । ବନମହୋତ୍ସବ ଅବସରରେ ଗତ ୩ତାରିଖ ଆରମ୍ଭ କରାଯଇଥିବା ଏହି କ୍ଷୁଦ୍ର ଜଙ୍ଗଲରେ ୨ହେକ୍ଟର ଅର୍ଥାତ୍ ପ୍ରାୟ ୫ଏକର ଜମିରେ ସଘନ ଓ ବ୍ୟବସ୍ଥିତ ରୂପେ ଦେଶୀ ଚାରା ରୋପଣ କରାଯାଇଛି । ଯାହାକି କେବଳ ୧୦ଦିନ ମଧ୍ୟ ଏକ ରୂପ ନେଇ ସାରିଲାଣି ।
ଝାରସୁଗୁଡ଼ା ସଦର ଭାରପ୍ରାପ୍ତ ବନାଞ୍ଚଳ ଅଧିକାରୀ ପ୍ରଦୀପ୍ତ କୁମାର ମହାନ୍ତି କହନ୍ତି ଏହି ଜଙ୍ଗଲ ପାଇଁ ସମୁଦାୟ ୪୫ ପ୍ରଜାତିର ୧୬ହଜାର ଦେଶୀ ଚାରା ଲଗାଯାଇଛି । ଯେଉଁଥିରେ ଗୁଳ୍ପଜାତୀୟ, ଔଷଧୀୟ ଓ ଛାୟା ଯୁକ୍ତ ବୃକ୍ଷର ଚାରା ଚୟନ କରାଯାଇଛି । ଏଥି ମଧ୍ୟରେ ବର, ପିପଳ, ଆମ୍ବ, ମହୁଲ, ନିମ୍ବ, ଜାମୁ, କରଞ୍ଜ, ଅଁଳା, କୁମ୍ଭୀ, କୁକୁମ, ବାଉଁଶ, ଫାଶୀ, ଗମ୍ଭୀରା, ପିଜୁଳି, ବେଲ, ରିଠା ଆଦି ପ୍ରଜାତିର ଚାରା ରହିଛି ଯାହାକି ସ୍ଥାନୀୟ ମାଟି, ପାଣି, ପବନରେ ସହଜରେ ବଢ଼ିପାରିବ ।
ପ୍ରତିଟି ଗଛକୁ ଧାଡ଼ି ଧାଡ଼ି କରି ୯୦ଡିଗ୍ରୀରେ ୧ମିଟର ଦୂରତାରେ ଲଗାଯାଇଛି । ଏତେ ନିକଟତର ଲଗାଯିବାର ଲକ୍ଷ୍ୟ ହେଉଛି ପରସ୍ପରର ସହାୟତାରେ ଅଭିବୃଦ୍ଧି । ତତ୍ ସହିତ ପ୍ରତ୍ୟେକ ଚାରାକୁ ବାଉଁଶରେ ସାହାରା ଦିଆଯାଇଛି । ୨୧ଦିନ ଧରି ଏହି ସାହାରା ଫଳରେ ଚାରାଟି ସିଧା ହୋଇଯିବ ଓ ତଦନୁକ୍ରମେ ଅଭିବୃଦ୍ଧି ହେବ । ପ୍ରତ୍ୟେକ ଗଛ ନିକଟତର ଥିବାରୁ ଆଲୋକ ଶ୍ଲେଷଣ ସକାଶେ ପ୍ରତିଯୋଗିତା ମୂଳକ ଭାବେ ସିଧା ଓ ଶୀଘ୍ର ବଢ଼ିବେ ଯାହାଫଳରେ ଅଳ୍ପ ଅବଧିରେ ସଫଳ ବନୀକରଣ ସମ୍ଭବ ହେବ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ଏହି କ୍ଷେତ୍ରର ଦାୟିତ୍ବ​ରେ ଥିବା ଫରେଷ୍ଟର ରମେଶ ଚନ୍ଦ୍ର ନାଥ କହନ୍ତି ମିଆୱାକୀ ବଣ ପାଇଁ ସବୁଠାରୁ ବେଶି ଗୁରୁତ୍ବପୂର୍ଣ୍ଣ ହେଉଛି କ୍ଷେତ୍ର ପ୍ରସ୍ତୁତି । ଡିଏଫଓଙ୍କ ନିର୍ଦେଶକ୍ରମେ କ୍ଷେତ୍ର ଚୟନ କରି ପ୍ରଥମେ ଜେସିବି ସହାୟତାରେ ୨ରୁ ଅଢ଼େଇ ଫୁଟ ଗଭୀର ଖୋଲି ମୃତ୍ତିକାକୁ ଅନ୍ୟତ୍ର ରଖାଗଲା​‌ । ତା ପରେ ସେହି ମୂତ୍ତିକାରେ ପ୍ରାକୃତିକ ଗୋବର ଖତ, ଜିଆ ଖତ, ବାଲି, କୁଣ୍ଡା ଆଦିର ମିଶ୍ରଣ କରି ସମାନକରି ପୋତା ଗଲା । ଏହା ପରେ ଟ୍ରାକ୍ଟର ସାହାଯ୍ୟରେ ହଳ କରି ଜମିକୁ ପ୍ରସ୍ତୁତ କରାଗଲା । ଏମିିତି କରିବା ଦ୍ବାରା ମୃତ୍ତିକା ହାଲୁକା ହେବା ସହ ଚେର ବଢ଼ି ଜଳ ସନ୍ଧାନ କରିବାରେ ସହାୟକ ହୋଇଥାଏ । ଚାରା ଲଗାଇବା ପରେ ମୃତ୍ତିକାର ଆର୍ଦ୍ରତା ବଜାୟ ରଖିବା ପାଇଁ ଚଷୁ ଦେବାର ପ୍ରାବଧାନ ରହିଛି । ତେବେ ଏହି କ୍ଷୁଦ୍ର ଜଙ୍ଗଲରେ ନିୟମିତ ଅନ୍ତରାଳରେ ପାଣି ଦେବା ନିତାନ୍ତ ଆବଶ୍ୟକ ।
ସମ୍ପ୍ରତି ବର୍ଷା ଋତୁ ହୋଇଥିବାରୁ ପ୍ରାକୃତିକ ବୃଷ୍ଟିପାତ ପାଇଲେ ଗଛ ଭଲଭାବେ ବଢିପାରିବ । କିନ୍ତୁ ଅସମାନ ବର୍ଷା ଫଳରେ ଗତ କିଛି ଦିନ ହେଲା ଏଠାକାର ମୃତ୍ତିକା ଶୁଖିଲା ହୋଇଥିବାରୁ ଟେଙ୍କର ଯୋଗେ ପାଣି ଆଣି ଜଳସେଚନ କରାଯାଉଛି । ସମଗ୍ର କ୍ଷେତ୍ରକୁ ୧୮ଟି ଭାଗରେ ବିଭକ୍ତ କରାଯାଇଛି ଓ ଆଗାମୀ ଦିନରେ ପ୍ରତ୍ୟେକ ଭାଗରେ ୩ଦିନକୁ ଥରେ ଲେଖାଏଁ ଜଳସେଚନ କରିବାର ଯୋଜନା ରହିଛି । ଏମିତିରେ ଜଙ୍ଗଲକୁ ସଠିକ୍ ପୋଷଣ ମିଳିପାରିବ । ତା ଛଡ଼ା ବର୍ଷା ଜଳ ସଂରକ୍ଷଣ ଓ ଭୂ-ଗର୍ଭସ୍ଥ ଜଳ ପୁନର୍ଭରଣ ପାଇଁ ଜଙ୍ଗଲର ମଧ୍ୟଭାଗରେ ଛୋଟ ପୋଖରୀ ଟିଏ କରାଯାଇଛି । ସାଧାରଣତଃ ମିଆୱାକୀ ଜଙ୍ଗଲରେ ଲଗାଯାଉଥିବା ପ୍ରତ୍ୟେକ ଟି ଚାରା ବଞ୍ଚିଥାଏ ଏବଂ ଏହା ୨ବର୍ଷ ମଧ୍ୟରେ ଏତେ ଅଭିବୃଦ୍ଧି ହୋଇଯାଏ ଯେମିତି କି ସାଧାରଣ ଜଙ୍ଗଲ ୨୦ବର୍ଷରେ ସେ ଆକାର ଧାରଣ କରିପାରିବ ନାହିଁ । ତେବେ ଏହି ଜଙ୍ଗଲର ସଘନ ଯତ୍ନ ଆବଶ୍ୟକ ବୋଲି ଉଭୟ ବନ ଅଧିକାରୀ କହିଛନ୍ତି ।
ଝାରସୁଗୁଡ଼ା ବନଖଣ୍ଡ ଅଧିକାରୀ(ଡିଏଫଓ) କହିଛନ୍ତି ସହରାଞ୍ଚଳରେ ଏକ ଛୋଟ ଜାଗାରେ କ୍ଷୁଦ୍ର ଜଙ୍ଗଲ ସୃଷ୍ଟି କରିବା ଆମର ଲକ୍ଷ୍ୟ । ସେହି ଲକ୍ଷ୍ୟ ନେଇ ଏହି ମିଆୱାକୀ ପଦ୍ଧତିରେ ବନୀକରଣ କରିବା ଆରମ୍ଭ କରିଛୁ । ଏହା ୩ବର୍ଷରେ ସ୍ବ-ପୋଷିତ ହୋଇଯିବ । ଏହା ୧୦ଗୁଣ ଅଧିକ ଅଭିବୃଦ୍ଧି, ୩୦ଗୁଣ ଘନ ଓ ୧୦୦ଗୁଣ ଅଧିକ ଜୈବ-ବିବିଧତା ସମ୍ପନ୍ନ ହୋଇଥାଏ । ବର୍ତ୍ତମାନ ଯେମିତି ପରିବେଶ ଅସନ୍ତୁଳିତ ହେଉଛି ଝାରସୁଗୁଡ଼ା ଭଳି ଏକ ଶିଳ୍ପ ସମ୍ପନ୍ନ ଜିଲାରେ କ୍ଷୁଦ୍ର ଜଙ୍ଗଲ କେମିତି ସୃଷ୍ଟି ହୋଇପାରିବ ତାହା ହିଁ ଆମର ଲକ୍ଷ୍ୟ । କମ୍ ଜମିରେ ବେଶି ଘନତ୍ବ ବିଶିଷ୍ଟ କ୍ଷୁଦ୍ର ଜଙ୍ଗଲ ସୃଷ୍ଟି ହେଉଥିବାରୁ ଆମେ ଏଥିପାଇଁ ଶିଳ୍ପ ସଂସ୍ଥା ମାନଙ୍କୁ ବି ଆହ୍ବାନ କରୁଛୁ । ବନବିଭାଗ ସମସ୍ତ ପ୍ରକାର ସହାୟତା କରିବା ପାଇଁ ପ୍ରସ୍ତୁତ ଅଛି ବୋଲି ବନଖଣ୍ଡ ଅଧିକାରୀ ପ୍ରକାଶ କରିଛନ୍ତି ।

Comments are closed.