୮ରୁ ପୁରୀରେ ବିଶ୍ୱ ଜଳ ସମ୍ମିଳନୀ

ପୁରୀ: ବିଶ୍ୱ ଜଳ ସମ୍ମିଳନୀ ଆଗାମୀ ୮ ଓ ୯ ତାରିଖ ଦୁଇଦିନ ଧରି ପୁରୀ ପାନ୍ଥନିବାସରେ ଅନୁଷ୍ଠିତ ହେବ। ବିଶିଷ୍ଟ ପରିବେଶବିତ୍‍ ରାଜେନ୍ଦ୍ର ସିଂହ ଏଥିରେ ଯୋଗଦେବେ। ଏହି ସମ୍ମିଳନୀରେ ଜଳ ସମସ୍ୟା ଏବଂ ତାହାର ପ୍ରତିକାର ସମ୍ପର୍କରେ ଆଲୋଚନା କରାଯିବ। ପୁରୀ ସହରର ଭୂତଳ ମଧୁରଜଳ ସମସ୍ୟା ବିଷୟରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। ଲୋକ ସେବକ ମଣ୍ଡଳ ଓଡ଼ିଶା ଶାଖା ଏବଂ ପିଡବ୍ଲୁସିଡିଏଫ୍‍ ପକ୍ଷରୁ ମିଳିତ ଭାବେ ସମ୍ମିଳନୀ ଆୟୋଜନ କରାଯାଉଛି। ଲୋକ ସେବକ ମଣ୍ଡଳ ଓଡ଼ିଶା ଶାଖା ଅଧ୍ୟକ୍ଷ ତଥା ‘ସମାଜ’ର ମୁଦ୍ରାକର ଓ ପ୍ରକାଶକ ଏବଂ ସମ୍ପାଦକ ନିରଞ୍ଜନ ରଥଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଶନିବାର ପୁରୀ ଗୋପବନ୍ଧୁ ଭବନରେ ଅନୁଷ୍ଠିତ ହୋଇଛି। ଜନସାଧାରଣଙ୍କ ଜଳ ସମସ୍ୟା ସମ୍ପର୍କରେ ଆଲୋଚନା ପାଇଁ ସମ୍ମିଳନୀ ଆୟୋଜନ କରାଯାଉଛି।

ତେଣୁ ସେଥିରେ ଯୋଗ ଦେଉଥିବା ପ୍ରତିନିଧିମାନଙ୍କୁ ଉପଯୁକ୍ତ ଆତିଥେୟତା ପ୍ରଦାନ ସହ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ବୈଠକରେ ସ୍ଥିର କରାଯାଇଛି। ଏହି ଅବସରରେ ଜଳ ସମସ୍ୟା ସମ୍ପର୍କରେ ତଥ୍ୟଭିତ୍ତିକ ଉପାଦେୟ ଲେଖା ସହ ଏକ ସ୍ମରଣିକା ପ୍ରକାଶ କରାଯିବ। ୮ ତାରିଖ ସକାଳେ ସଚେତନତା ଶୋଭାଯାତ୍ରା ଆୟୋଜନ କରାଯିବ। ଜଳର ସଦୁପଯୋଗ କରିବା ସହ ପ୍ରଦୂଷଣମୁକ୍ତ କରିବା ପାଇଁ ଜନସାଧାରଣଙ୍କୁ ସଚେତନ କରାଯିବ। ଲୋକ ସେବକ ମଣ୍ଡଳର ଆଜୀବନ ସଭ୍ୟ ଡ. ପ୍ରଭାସ ଆଚାର୍ଯ୍ୟ ଏବଂ ରାଜେନ୍ଦ୍ର କୁମାର ଜେନା, ପୂର୍ବତନ ବିଧାୟକ ଉମାବଲ୍ଲଭ ରଥ, ସୌରଭ କୁମାର ସାହୁ, ଭବାନୀ ପ୍ରସାଦ ମିଶ୍ର, କବିତା ମଞ୍ଜରି ପରିଡା, ‘ସମାଜ’ ଜିଲା ପ୍ରତିନିଧି ଜଗନ୍ନାଥ ବସ୍ତିଆ, ଜଟାଧାରୀ ମିଶ୍ର, ମନୋଜ କୁମାର ରଥ, ରାଜେଶ କୁମାର ମହାନ୍ତି, ହେକ୍ଟର ମିଶ୍ର, ମହେନ୍ଦ୍ର କୁମାର ସାହୁ, ମାନସ ରଞ୍ଜନ ମିଶ୍ର ବୈଠକରେ ଉପସ୍ଥିତ ଥିଲେ।

Comments are closed.