ବେଦାନ୍ତ କାରଖାନାରେ ଶ୍ରମିକ ମୃତ, କ୍ଷତିପୂରଣ ଘୋଷଣା ପରେ ହଟିଲା ବିକ୍ଷୋଭ

ଝାରସୁଗୁଡ଼ା: ବେଦାନ୍ତ ପରିସରରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହେବାରୁ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ୩ଘଣ୍ଟା​‌ ଧରି କମ୍ପାନୀର ମୁଖ୍ୟ ଫାଟକ ବନ୍ଦ କରି ଆନ୍ଦେଳନ କରିଥିଲେ। ତେବେ ପୁଲିସର ବୁଝାସୁଝା ସମେତ କମ୍ପାନୀ କର୍ତ୍ତୃପକ୍ଷ କ୍ଷତିପୂରଣ ଦେବାକୁ ରାଜି ହେବାରୁ ବିକ୍ଷୋଭ ହଟିଥିଲା।

ପ୍ରାପ୍ତ ସୂଚନାନୁସାରେ ବେଦାନ୍ତର ଠିକା ସଂସ୍ଥା ଶ୍ରୀ ସାଇ କନଷ୍ଟ୍ରକ୍ସନ ସଂସ୍ଥାରେ କାର୍ଯ୍ୟରତ ଭୁର୍କାମୁଣ୍ଡା ନିବାସୀ ସୁମନ୍ତ ବଢ଼େଇ(୩୬) ଆଜି ଖରାବେଳେ କାର୍ଯ୍ୟକ୍ଷେତ୍ରରେ ଥିବା ବେଳେ ହଠାତ୍ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ କାରଖାନା ପରିସରସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା। ହେଲେ ସେଠାରେ ବି ସ୍ବାସ୍ଥ୍ୟାବସ୍ଥାରେ ସୁଧାର ନ ଆସିବାରୁ କମ୍ପାନୀ ଆମ୍ବୁଲାନ୍ସରେ ବୁର୍ଲା ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ସେଠାରେ ଡାକ୍ତରମାନେ ମୃତ ଘୋଷଣା କରିଥିଲେ। ସେଠାରେ ଶବ ବ୍ୟବଚ୍ଛେଦ କରାଇବା ପରେ ଶବ ଭୁର୍କାମୁଣ୍ଡାକୁ ଆସିବା ପରେ ସନ୍ଧ୍ୟା ପ୍ରାୟ ୬ଟାରେ ସ୍ଥାନୀୟ ଲୋକଙ୍କ ସହାୟତାରେ ପରିବାର ଲୋକେ ଶବକୁ ବେଦାନ୍ତ ମୁଖ୍ୟ ଫାଟକ ସମ୍ମୁଖରେ ରଖି ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ପରିବାର ପକ୍ଷରୁ ଅନ୍ତତଃ ୨୦ଲକ୍ଷ ଟଙ୍କା କ୍ଷତିପୂରଣ, ଶୁଦ୍ଧି କାର୍ଯ୍ୟ ପାଇଁ ୫୦ହଜାର ଟଙ୍କା ଓ ପରିବାରର ଜଣକୁ ଚାକିରି ଦାବି କରାଯାଇଥିଲା। ଖବର ପାଇ ଝାରସୁଗୁଡ଼ା​‌ ଉପଖଣ୍ଡ ପୁଲିସ ଅଧିକାରୀ ନିର୍ମଳ ମହାପାତ୍ର, ଥାନାଧିକାରୀ ଅମିତାଭ ପଣ୍ଡା ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ବୁଝାଶୁଝା କରିଥିଲେ ହେଁ କିଛି ସୁଫଳ ମିଳି ନ ଥିଲା। ତେବେ ପରେ କମ୍ପାନୀ କର୍ତ୍ତୃପକ୍ଷ କ୍ଷତିପୂରଣ ବାବଦକୁ ୧୫ଲକ୍ଷ ଟଙ୍କା ଓ ତା ବାହାରେ ମୃତାହ କାର୍ଯ୍ୟ ପାଇଁ ୧ଲକ୍ଷ ଟଙ୍କା ଦେବାକୁ ରାଜି ହେବାରୁ ପରିବାର ଓ ସ୍ଥାନୀୟ ଲୋକେ ଶାନ୍ତ ହୋଇଥିଲେ। ଏହା ଫଳରେ ରାତି ପ୍ରାୟ ୯ଟାରେ ସ୍ଥିତି ସ୍ବାଭାବିକ ହେବା ସହ ଫାଟକ ଖୋଲିଥିଲା। ତେବେ ଏ ସଂକ୍ରାନ୍ତରେ ଉପଖଣ୍ଡ ପୁଲିସ ଅଧିକାରୀ ଶ୍ରୀ ମହାପାତ୍ର କହିଛନ୍ତି, ହୃଦ୍‌ଘାତ ହେତୁ ଶ୍ରମିକଙ୍କ ମୃତ୍ୟୁ ହୋଇଛି।

Comments are closed.