ଘରେ ପଶି କାରରେ ନିଆଁ ଲଗାଇଲେ ଦୁର୍ବୃତ୍ତ

ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲା କକ୍ସ କାଲେନୀ ନିକଟ ବବୁଆ ବଗିଚା ଦେବୀ ନିବାସରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗୋଟିଏ କାର ସମ୍ପୂର୍ଣ୍ଣ ଜଳିଯାଇଥିବା ବେଳେ ଜୀବନହାନି ହୋଇନଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ,ରବିବାର ବିଳମ୍ବିତ ରାତିରେ କକ୍ସ କଲୋନୀ ବବୁଆ ବଗିଚା ଅଞ୍ଚଳରେ ରହୁଥିବା ଗିରିଧାରୀ ଦାସଙ୍କ ଘରେ କିଛି ଦୁର୍ବୃତ୍ତ ଆସି ତାଙ୍କ କାରରେ ନିଆଁ ଲଗାଇଦେଇଥିଲେ। ଫଳରେ ଗିରିଧାରୀଙ୍କର କାରଟି ସମ୍ପୂର୍ଣ୍ଣ ଜଳିଯାଇଥିଲା। ନିଆଁ ବ୍ୟାପିବାକୁ ଆରମ୍ଭ କରିବା ସମୟରେ ସ୍ଥାନୀୟ ଲୋକେ ଏହା ଦେଖି ନିଆଁକୁ ଆୟତ୍ତ କରିବା ସହ ଦମକଳକୁ ଫୋନ କରିଥିଲେ। ଦମକଳ ନ ଆସିବାରୁ ସ୍ଥାନୀୟଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ସମ୍ପୃକ୍ତ ଘଟଣାରେ ପୁଲିସ ୩ ଜଣ ନାବାଳକକୁ ଅଟକ ରଖି ପଚରାଉଚରା କରୁଛି। ଗିରିଧାରୀଙ୍କ କହିବା ଅନୁସାରେ ଗତ ଦୁଇ ଦିନ ପୂର୍ବରୁ ଏହି ନାବାଳକମାନେ ସେହି ଅଞ୍ଚଳରେ ନିଶା କାରବାର କରୁଥିଲେ। ଏହାକୁ ବିରୋଧ କରିବାରୁ ନାବାଳକ ଏହି ଘଟଣା ଘଟାଇଥିବା ସେ କହିଛନ୍ତି।