ଠୁଙ୍ଗିଆଡେରା ଅଞ୍ଚଳରୁ ଆହତ ହରିଣ ଉଦ୍ଧାର

ହରିଣକୁ ରକ୍ଷା କରି ଉଦ୍ଧାର କରିବାରେ ସାହାସୀକତା ଦେଖାଇଲେ ଦୁଇ ନାବାଳକ ଭାଇ

ଲଖନପୁର : ଝାରସୁଗୁଡ଼ା ଜିଲା ବେଲପାହାଡ଼ ପୌରାଞ୍ଚଳ ତଥା ବନ ବିଭାଗର ବ୍ରଜରାଜନଗର ରେଞ୍ଜ ଅନ୍ତର୍ଗତ ଠୁଙ୍ଗିଆଡେରାଠାରେ ଏକ ଆହତ ହରିଣକୁ ଦୁଇ ନାବାଳକ ଭାଇ କୋଶଳ (୧୪) ଓ ହରିଶ (୧୧)  ଗୁରୁବାର ସକାଳେ ଉଦ୍ଧାର କରିଛନ୍ତି। ଏହାପରେ ସ୍ଥାନୀୟ ଲୋକେ ଓ ନାବାଳକ ମିଶି ଉକ୍ତ ହରିଣକୁ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କରିଛନ୍ତି।
ସୂଚନା ଯୋଗ୍ୟ, ଠୁଙ୍ଗିଆଡେରା ଗ୍ରାମର ମାତ୍ର କିଛି ଦୂରରେ ସୀତାରାମ ପାହାଡ଼ର ଘଞ୍ଚ ଜଙ୍ଗଲ ରହିଛି। ବିଭିନ୍ନ ସମୟରେ ଏହି ଜଙ୍ଗଲରେ ଭାଲୁ, ବାର୍ହା, ହରିଣ, ଠେକୁଆ ଆଦି ବନ୍ୟଜନ୍ତୁ ଦେଖାଦେଇଥାନ୍ତି। ଏହି କ୍ରମରେ ଠୁଙ୍ଗିଆଡେରା ଗ୍ରାମର ଦାମୋଦର ବୁଦୁଲାଙ୍କ ଦୁଇ ନାବାଳକ ପୁଅ କୋଶଳ  ଓ ହରିଶ ଗୁରୁବାର ସକାଳ ପ୍ରାୟ ୬ଟାରେ ଶୌଚ ପାଇଁ  ଯାଇଥିବା ବେଳେ ଏକ ହରିଣକୁ ଦଳେ କୁକୁର ଆକ୍ରମଣ କରୁଥିବା ଦେଖିଥିଲେ। ସାହାସୀକତା ଦେଖାଇ ଏହି ଦୁଇ ନାବାଳକ ପ୍ରଥମେ କୁକୁରଙ୍କ କବଳରୁ ହରିଣକୁ ରକ୍ଷା କରିବା ସହ ଆହତ ହରିଣକୁ ଜାବୁଡ଼ି ଧରି ଅନ୍ୟମାନଙ୍କୁ ଡାକ ଦେଇଥିଲେ।
ଏହା ପରେ ଅଶୋକ ବୁଦୁଲା, ଶିବ ବୁଦୁଲା, ବାସୁଦେବ ବୁଦୁଲା ଏବଂ ସ୍ଥାନୀୟ ବାସିନ୍ଦାଙ୍କ ସହାୟତାରେ ଆହତ ହରିଣକୁ ଉଦ୍ଧାର କରି ଗାଁକୁ ଅଣାଯାଇଥିଲା। ଗ୍ରାମବାସୀଙ୍କ ସୂଚନା କ୍ରମେ ବନ ବିଭାଗର ବ୍ରଜରାଜନଗର ଫରେଷ୍ଟର ଗୌରାଙ୍ଗ ସାହୁଙ୍କ ସମେତ ଜଗୁଆଳି ଧିରେନ ଆଚାର୍ୟ୍ୟ, ସୁଦର୍ଶନ ଖଡ଼ିଆ ପ୍ରମୁଖ ଘଟଣା ସ୍ଥଳକୁ ପହଞ୍ଚିଥିବା ବେଳେ ଉଦ୍ଧାର ହରିଣକୁ ହସ୍ତାନ୍ତର କରିଛନ୍ତି। ଉଦ୍ଧାର ହୋଇଥିବା ହରିଣର ବୟସ ପ୍ରାୟ ୧୨ ବର୍ଷ ଓ ପ୍ରାୟ ୬୦ କେଜିରୁ ଅଧିକ ଓଜନ ହୋଇପାରେ ବୋଲି ଅନୁମାନ କରାଯାଉଛି। ହରିଣର ପେଟ, ଗୋଡ଼ରେ ଗଭୀର ଆଘାତ ହୋଇଥିବା ଦେଖିବାକୁ ମିଳିଛି। ବେଲପାହାଡ଼ ପ୍ରାଣୀ ଚିକିତ୍ସକ ସୁଧାଂଶୁ ଶେଖର ପଟେଲଙ୍କ ନିକଟରେ ହରିଣର ପ୍ରାଥମିକ ଚିକିତ୍ସା କରାଯାଇଥିଲା। ବନ ବିଭାଗର ତତ୍ବାବଧାନରେ ଏହାକୁ ଆସନ୍ତା ୭ ଦିନ ପର୍ୟ୍ୟନ୍ତ ରଖାଯାଇ ଆବଶ୍ୟକ ଚିକିତ୍ସା ପରେ ଜଙ୍ଗଲରେ ସୁରକ୍ଷିତ ଭାବେ ଛଡ଼ାଯିବ ବୋଲି ବନ ବିଭାଗ ଓ ବେଲପାହାଡ଼ ପ୍ରାଣୀ ଚିକିତ୍ସକ ପ୍ରକାଶ କରିଛନ୍ତି। ବିଭିନ୍ନ ସ୍ଥାନରେ ହିଂସକ ସାଜୁଥିବା ଅପରାଧୀ ଓ ମାଫିଆମାନେ ଜଙ୍ଗଲରୁ ନୀରିହ ବନ୍ୟଜନ୍ତୁଙ୍କ ଶିକାର କରି ମାଂସ ଭକ୍ଷଣ କରିବା ସହ ଦାନ୍ତ, ଚମଡ଼ା, ସିଂହ, ନଖ ଆଦି ବହୁ ମୂଲ୍ୟବାନ ଅଙ୍ଗକୁ ବେଆଇନ ଭାବେ ବିକ୍ରି କରୁଛନ୍ତି। ତେବେ ଠୁଙ୍ଗିଆଡେରା ଅଞ୍ଚଳରେ ଏକ ଆହତ ହରିଣକୁ ରକ୍ଷା କରି ଉଦ୍ଧାର କରିବାରେ ସାହାସୀକତା ଦେଖାଇ ଥିବା ଦୁଇ ନାବାଳକ ଭାଇଙ୍କ ସମେତ ସ୍ଥାନୀୟ ବାସିନ୍ଦାଙ୍କୁ  ବିଭିନ୍ନ ମହଲରୁ ଅନେକ ପ୍ରଶଂସାର ସୁଅ ଛୁଟୁଛି।

Comments are closed.