ଝାରସୁଗୁଡ଼ା ନିର୍ବାହୀ ଯନ୍ତ୍ରୀଙ୍କ ଅପହରଣ ଘଟଣା: ୨ ଭାଇଙ୍କ ସହ ୮ ଗିରଫ, ମାରଣାସ୍ତ୍ର ଜବତ

ବାପାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଧମକର ପ୍ରତିଶୋଧ ନେବାକୁ ରଚା ଯାଇଥିଲା ଷଡ଼ଯନ୍ତ୍ର

ଝାରସୁଗୁଡ଼ା: ଝାରସୁଗୁଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀ ମନୋରଞ୍ଜନ ପଟ୍ଟନାୟକଙ୍କୁ ଅପହରଣ କରି କେସିଙ୍ଗା ଠାରେ ଛାଡ଼ି ଦେବା ମାମଲାର ଗୁମର ଫିଟିଛି । ଶନିବାର  ଜିଲା ପୁଲିସ ମୁଖ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏସ.ପି ରାହୁଲ ପିଆର ଏ ସଂକ୍ରାନ୍ତରେ ସୂଚନା ଦେଇ ୮ଜଣଙ୍କୁ ଗିରଫ କରାଯିବା ସହ ଭିନ୍ନ ଭିନ୍ନ ମାରଣାସ୍ତ୍ର ଜବତ କରାଯାଇଛି ବୋଲି କହିଛନ୍ତି ।  ତାଙ୍କ ବାପା ବିରୋଧରେ ନିର୍ବାହୀ ଯନ୍ତ୍ରୀ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚେତାବନୀ ଦେଇଥିବାରୁ ପ୍ରତିଶୋଧ ନେବା ପାଇଁ ୨ ଭାଇ ଏହି ଘଟଣା ଘଟାଇଥିବା ଏସପି ସୂଚନା ଦେଇଛନ୍ତି ।

ଏସପିଙ୍କ ସୂଚନା ଅନୁସାରେ  ୬ତାରିଖ ରାତି ପ୍ରାୟ ସାଢ଼େ ୧୨ଟାରେ ନିର୍ବାହୀ ଯନ୍ତ୍ରୀ ମନୋରଞ୍ଜନ ପଟ୍ଟନାୟକ ନିଜ ସରକାରୀ ଆବାସରେ ଏକାକୀ ଶୋଇଥିବା ବେଳେ ୫ଜଣ ଅଭିଯୁକ୍ତ ତାଙ୍କ ଘରେ ଜୋର କରି ପଶିବା ସହ ମାରଣାସ୍ତ୍ର ଦେଖାଇ ଟଙ୍କା​‌ ମାଗିଥିଲେ । ​‌ଶ୍ରୀ ପଟ୍ଟନାୟକ ଭୟରେ ତାଙ୍କ ପାଖରେ କେବଳ ୪ହଜାର ଟଙ୍କା ଥିବାରୁ ସବୁ ତକ ଦେଇ ଦେଇଥିଲେ । ହେଲେ ଅଧିକ ଟଙ୍କା ମିିଳିବା ଆଶାରେ ଅଭିଯୁକ୍ତମାନେ ଆସିଥିଲେ ହେଁ ନ ମିିଳିବାରୁ ଗାଳିଗୁଳଜ କରି ଯନ୍ତ୍ରୀଙ୍କ ସୁନା ଚେନ୍ ଛଡ଼ାଇ ନେଇଥିଲେ । ଏହାପରେ ଏଟିଏମ୍ ​ଚେକ୍ ବୁକ୍ ଦେବା ପାଇଁ ବାଧ୍ୟ କରିଥିଲେ ହେଁ ନିର୍ବାହୀ ଯନ୍ତ୍ରୀ ସେମିତି ନ କରିବାରୁ ବ୍ୟାଗ୍ ପତ୍ର ଖୋଜି ଗୋଟିଏ ଚେକ୍ ବୁକ୍ ପାଇଥିଲେ । ଏଣୁ ବନ୍ଧୁକ ଦେଖାଇ ଚେକ୍‌ରେ ୩ଲକ୍ଷ ଟଙ୍କା ଲେଖି ଦସ୍ତଖତ କରିବାକୁ ବାଧ୍ୟ କରିଥିଲେ । ଏହା ପରେ ସେମାନେ ଆସିଥିବା ଧଳା ବୋଲୋରୋ (ଓଡି ୦୮କେ ୨୬୨୩)ରେ ତାଙ୍କୁ ଜୋର ଜବରଦସ୍ତ ବସାଇ ନେଇ ଯାଇଥିଲେ । ତେବେ ମୋଟା ରକମର ଅର୍ଥ ଲାଳସାରେ ଆସିଥିବା ଅଭିଯୁକ୍ତମାନେ ଚେକ୍‌ରେ ସନ୍ତୁଷ୍ଟ ନ ହୋଇ କୌଣସି ଠିକାଦାର କିମ୍ବା ଅଧିକାରୀ ଠାରୁ ୩ଲକ୍ଷ ଟଙ୍କା ମଗାଇବାକୁ ବାଧ୍ୟ କରିଥିଲେ । ଏଣୁ ନିର୍ବାହୀ ଯନ୍ତ୍ରୀ ନିଜ ବିଭାଗରେ କାମ କରୁଥିବା ଜଣେ ଠିକାଦାର ଶ୍ରୀନିବାସ ପ୍ରଧାନଙ୍କୁ ଫୋନ୍ କରି ସହାୟତା ମାଗିବା ସହ ଟଙ୍କା ପଠାଇବା ପାଇଁ କହିଥିଲେ । ଏହା ମଧ୍ୟରେ ଅଭିଯୁକ୍ତମାନେ ତାଙ୍କୁ ସମ୍ବଲପୁର, ବରଗଡ଼ ରାସ୍ତାରେ କଳାହାଣ୍ଡି ଜିଲାକୁ ନେଇ ଯାଇଥିଲେ ହେଁ ୭ତାରିଖ ମଧ୍ୟାହ୍ନ ପର୍ଯ୍ୟନ୍ତ ଟଙ୍କା ନ ଆସିବାରୁ ଧରା ପଡ଼ିଯିବା ଭୟରେ କେସିଙ୍ଗାରୁ ୬/୭ କିଲୋମିଟର ଦୂରରେ ଯନ୍ତ୍ରୀଙ୍କୁ ଏକ ନିଛାଟିା ରାସ୍ତାରେ ଓହ୍ଲାଇ ଦେଇ ଫେରାର ହୋଇ ଯାଇଥିଲେ । ଶ୍ରୀ ପଟ୍ଟନାୟକ କୌଣସି ପ୍ରକାରେ କେସିଙ୍ଗା ଥାନାରେ ପହଞ୍ଚି ସବୁ କଥା କହିବା ପରେ ସେଠାକାର ପୁଲିସ ଝାରସୁଗୁଡ଼ା ପୁଲିସ ସହ ଯୋଗାଯୋଗ କରିଥିଲା । ପରେ ଝାରସୁଗୁଡ଼ା ପୁଲିସ ତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ଏଠାକୁ ଆଣିଥିଲା ।

ଅପହରଣର ଉଦ୍ଦେଶ୍ୟ ସଂକ୍ରାନ୍ତରେ ଏସପି କହିଛନ୍ତି ଯେ, ଟିଟିଲାଗଡ଼ ସତୀଘାଟର ମୂଳ ନିବାସୀ ତଥା ଏବେ ଝାରସୁଗୁଡ଼ା ଆରଡବ୍ଲୁ କଲୋନୀରେ ରହୁଥିବା ଅଭିଯୁକ୍ତ ଶିବ ତାଣ୍ଡି(୨୬) ଓ ତୋଫାନ ତାଣ୍ଡି(୨୦)ଙ୍କ ବାପା ରବି ତାଣ୍ଡି ଗ୍ରାମ୍ୟ ଉନ୍ନୟନ ବିଭାଗର ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବେ କାମ କରନ୍ତି । ରବି ତାଣ୍ଡି କାହାରିକୁ କିଛି ନ କହି ଅଫିସରୁ କ୍ରମାଗତ ଭାବେ ଅନୁପସ୍ଥିତ ରହୁଥିବାରୁ ନିର୍ବାହୀ ଯନ୍ତ୍ରୀ କାର୍ଯ୍ୟାନୁଷ୍ଠାନ ପାଇଁ ଚେତାବନୀ ଦେଇଥିଲେ । ଏହାର ପ୍ରତିଶୋଧ ନେବା ପାଇଁ ଦୁଇ ପୁଅ ଶିବ ଓ ତୋଫାନ, ଟିଟିଲାଗଡ଼ର ପଙ୍କଜ ବାଗ(୨୨), ଲଲିତ ତାଣ୍ଡି(୨୫), ବୁୁଲୁ ମନହିରା(୨୬), ମୁରିବାହାଲର ପ୍ରକାଶ ମହାକୁଡ଼(୨୩), ମୁରିବାହାଲର ନିରଞ୍ଜନ ଆଚାରୀ(୨୨) ସହିତ ମିଶି ଏହି ଅପହରଣ କରିଥିଲେ । ସେମାନେ ଛଡ଼ାଇ ନେଇଥିବା ୧୫.୭୦୦ଗ୍ରାମ ଓଜନର ସୁନା ଚେନ୍ ଟିଟିଲାଗଡ଼ର ସଞ୍ଜୟ ସୋନୀ ନିକଟରେ ବିକିଥିଲେ । ପୁଲିସ ଏହି ୮ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ ବୋଲୋରୋ, ସୁନା ଚେନ୍, ବନ୍ଧୁକ, ୨ଟି ଭୁଜାଲି ଓ ଖଣ୍ଡା, ୯ଟି ମୋବାଇଲ ଜବତ କରିଛି । ଅଭିଯୁକ୍ତମାନଙ୍କର କିଛି ଅପରାଧିକ ପୃଷ୍ଠଭୂମି ଅଛି କି ତାହାର ତଦନ୍ତ ଚାଲିଛି ବୋଲି ଏସପି କହିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ଏସପି ନୃପରାଜ ଡନସେନା, ଏସଡିପିଓ କୈଳାଶ ଆଚାର୍ଯ୍ୟ ଏବଂ ଟାଉନ ଥାନାଧିକାରୀ ତଥା ତଦନ୍ତ ଅଧିକାରୀ ସାବିତ୍ରୀ ବଳ ଉପସ୍ଥିତ ଥିଲେ ।

Comments
Loading...