ଝାରସୁଗୁଡ଼ା କାରାଗାରର ୭ ବନ୍ଦୀ କରୋନା ଆକ୍ରାନ୍ତ

ଝାରସୁଗୁଡ଼ା : ଝାରସୁଗୁଡ଼ା ଉପକାରାଗାରର ୭ଜଣ ବନ୍ଦୀ କରୋନା ଆକ୍ରାନ୍ତ ଥିବା ଜଣାପଡିଛି। ଉପକାରାଗାରର ଜଣେ ଅନ୍ତେବାସୀଙ୍କୁ ଗୁରୁବାର ସାମାନ୍ୟ ଜ୍ବର ହେବାରୁ କାରାଗାର କର୍ତ୍ତୃପକ୍ଷଙ୍କ ସୂଚନାକ୍ରମେ ଜିଲା ସ୍ବାସ୍ଥ୍ୟବିଭାଗ ଆସି ଉକ୍ତ ବନ୍ଦୀଙ୍କ ରାପିଡ ଆଣ୍ଟିଜେନ ପରୀକ୍ଷା କରିଥିଲେ। ତାଙ୍କର ରିପୋର୍ଟ ପଜିଟିଭ ଆସିବା ପରେ ଅନ୍ୟ ସମସ୍ତ ବନ୍ଦୀଙ୍କ ମଧ୍ୟ ପରୀକ୍ଷା କରାଯାଇଥିଲା। ସେଥିରୁ ୭ଜଣ ପଜିଟିଭ ଚିହ୍ନଟ ହୋଇଥିଲେ। ତେଣୁ ୭ ଆକ୍ରାନ୍ତଙ୍କୁ ଏକ ସଂଗରୋଧ କକ୍ଷରେ ରଖାଯାଇଛି। ଯେଉଁ ବନ୍ଦୀଙ୍କୁ ଜ୍ବର ହେଉଥିଲା, ତାଙ୍କର ଜ୍ବର କମିଛି ଓ ଅନ୍ୟ ସମସ୍ତ ଆକ୍ରାନ୍ତଙ୍କ କୌଣସି ଲକ୍ଷଣ ନାହିଁ ବୋଲି ସୂଚନା ମିଳିଛି।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, କାରାଗାରକୁ କରୋନାମୁକ୍ତ କରିବା ପାଇଁ ବାହାରୁ ଆସୁଥିବା କଏଦୀଙ୍କୁ ପ୍ରଥ​‌େ​‌ମ ଜେଲ୍‌ ଭିତରେ ତିଆରି ପୃଥକବାସ କକ୍ଷରେ ୧୪ ଦିନ ରଖିବା ପରେ ୱାର୍ଡକୁ ଯିବାକୁ ଦିଆଯାଉଥିବା କାରଗାର କର୍ତ୍ତୃପକ୍ଷ ପୂର୍ବରୁ କହିଥିଲେ। ସେହିପରି କୋର୍ଟରେ ହାଜର ହେବାକୁ ଥିବା କଏଦୀଙ୍କୁ ଭିଡିଓ କନଫରେନ୍ସିଂ ଜରିଆରେ ହାଜର କରାଯାଉଥିବା ବେଳେ ପରିଜନଙ୍କୁ ମଧ୍ୟ ସିଧାସଳଖ ଭେଟିବାକୁ ଦିଆଯାଉ ନ ଥିଲା ବୋଲି କର୍ତ୍ତୃପକ୍ଷ କହୁଥିଲେ। ତେବେ ଏହି ୭ଜଣ କିପରି କରୋନା ସଂକ୍ରମିତ ହେଲେ ବୋଲି ବୁଦ୍ଧିଜୀବୀମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Comments are closed.