ଝାରସୁଗୁଡାରେ ଗୋଟିଏ ପରିବାରର ୫ ଜଣଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା : ମେଡିକାଲରେ ମା ଓ ସାନ ଝିଅଙ୍କ ମୃତ୍ୟୁୁ

ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ବରଣ କରିଥିଲେ ବଡ ଭାଇ

ଝାରସୁଗୁଡା : ସାନ ଭାଇର ମୃତ୍ୟୁରେ ମ୍ରିୟମାଣ ହୋଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଝାରସୁଗୁଡା ଲହଣ୍ଡାବୁଡ଼ର ୫ ଜଣ ସଦସ୍ୟଙ୍କ ମଧ୍ୟରୁ ଆଉ ଦୁଇଜଣଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି । ମୃତକ ଦୁଇଜଣ ହେଲେ ସାନ ଝିଅ ପିଙ୍କି ବିଶ୍ବାଳ ଓ ମା ପୁଷ୍ପାବତୀ ବିଶ୍ବାଳ । ଏମାନଙ୍କ ଭିତରୁ ପିଙ୍କିଙ୍କର ଗତକାଲି ରାତିରେ ଓ ପୁଷ୍ପାବତୀଙ୍କର ଆଜି ସକାଳୁ ବୁର୍ଲା ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି । ଏହା ପୂର୍ବରୁ ଗତକାଲି ବୁର୍ଲା ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ବଡ ଭାଇ ଶ୍ରୀକାନ୍ତଙ୍କର ମଧ୍ୟ ମୃତ୍ୟୁ ହୋଇ ଯାଇଥିଲା ।

ମିଳିଥିବା ସୂଚନା ଅନୁସାରେ ୨୦୧୮ ମସିହାରେ ଝାରସୁଗୁଡାର ବେହେରାମାଲରେ ଏକ ବାଇକ ଦୁର୍ଘଟଣାର ଶିକାର ହୋଇଥିଲେ ପରିବାରର ସାନ ପୁଅ ଦୀପକ ବିଶ୍ଵାଳ । ଦୁର୍ଘଟଣାରେ ଗୁରୁତର ହୋଇପଡିଥିବା ଦୀପକ କୋମାକୁ ଚାଲିଯାଇଥିଲେ । ସେହିଦିନଠାରୁ ପରିବାର ଦୀପକଙ୍କ ଚିକିତ୍ସା ଜାରି ରଖିଥିଲେ । ଦୀପକଙ୍କ ଚିକିତ୍ସାରେ ପରିବାର ପ୍ରାୟ ୩୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ  କରିସାରିଥିଲେ । କିନ୍ତୁ ଗତ ଜୁନ ୧ ତାରିଖରେ ସାନ ପୁଅ ଦୀପକର ମୃତ୍ୟୁ ହୋଇ ଯାଇଥିଲା । ସାନ ପୁଅର ଚିକିତ୍ସାରେ ଘରର ସମସ୍ତ ସମ୍ବଳ ଶେଷ କରିବା ପରେ ମଧ୍ୟ ପୁଅର ମୃତ୍ୟୁ ହୋଇଯିବା ପରେ ପରିବାର ସଦସ୍ୟ ମ୍ରିୟମାଣ ହୋଇ ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ପଡ଼ୋଶୀମାନେ ଏ ବାବଦରେ ଜାଣିବା ପରେ ପୁଲିସକୁ ଖବର ଦେଇଥିଲେ । ପୁଲିସ ସେମାନଙ୍କୁ ଉଦ୍ଧାର କରି ଝାରସୁଗୁଡା ମେଡିକାଲରେ ଭର୍ତ୍ତି କରିଥିଲା । ତେବେ ଲିଲି ଓ ଶ୍ରୀକାନ୍ତଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଗତକାଲି ଶ୍ରୀକାନ୍ତଙ୍କର ମୃତ୍ୟୁ ଘଟିଥିଲା । ଏହାପରେ ଝାରସୁଗୁଡା ମେଡିକାଲରେ ଚିକିତ୍ସିତ ସାନ ଭଉଣୀ ପିଙ୍କି ଓ ମା ପୁଷ୍ପାବତୀଙ୍କ ଅବସ୍ଥା ମଧ୍ୟ ଗୁରୁତର ହେବାରୁ ତାଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ସେଠାରେ ମା ଓ ସାନ ଝିଅଙ୍କ ମୃତ୍ୟୁ ହୋଇ ଯାଇଛି ।

 

Comments are closed.