ସାନ ପୁଅର ମୃତ୍ୟୁରେ ମ୍ରିୟମାଣ ହୋଇ ପରିବାର ୫ ଜଣଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା : ମେଡିକାଲରେ ଆଖି ବୁଜିଲା ବଡ ପୁଅ

ଝାରସୁଗୁଡା : ଝାରସୁଗୁଡା ଜିଲା ବିଟିଏମ ଫାଣ୍ଡି ଅନ୍ତର୍ଗତ ଲହଣ୍ଡାବୁଡ଼ ଠାରେ ମଙ୍ଗଳବାର ଅଭାବନୀୟ ଘଟଣା ଘଟିଥିଲା । ସାନ ପୁଅ ଦୁର୍ଘଟଣାରେ ଶିକାର ହୋଇ ଚିକିତ୍ସାଧୀନ ଥିବା ସମୟରେ ମୃତ୍ୟୁ ବରଣ କରିବାରରୁ ଏଥିରେ ମ୍ରିୟମାଣ ହୋଈ ପରିବାରର ୫ ସଦସ୍ୟ ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ମା’, ୩ ଭଉଣୀ ଓ ବଡ ଭାଇ(ଶ୍ରୀକାନ୍ତ) ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ସେମାନଙ୍କୁ ଝାରସୁଗୁଡା ଜିଲ୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ବଡ ଭାଇ ଶ୍ରୀକାନ୍ତଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ  ଚିକିତ୍ସାଧୀନ ଅବସ୍ଥାରେ ବୁର୍ଲା ବଡ଼ ମେଡିକାଲରେ ଗତକାଲି ଶ୍ରୀକାନ୍ତଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।  ବର୍ତ୍ତମାନ ଗୁରୁତର ମା’ ଓ ୨ ଭଉଣୀଙ୍କର ଝାରସୁଗୁଡ଼ା ଜିଲ୍ଲା ଡାକ୍ତରଖାନାରେ ଚିକିତ୍ସା ଜାରି ରହିଥିବା ବେଳେ ଅନ୍ୟ ଜଣେ ଭଉଣୀକୁ ଗୁରୁତର ଅବସ୍ଥାରେ ବୁର୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାଯାଇଛି। ସାନ ପୁଅର ମୃତ୍ୟୁ ପରେ ସମୂହ ଆତ୍ମହତ୍ୟା ଉଦ୍ୟମ, ବଡ଼ପୁଅ ମୃତ: ଦେଖନ୍ତୁ ଆମ ସମ୍ବଲପୁର ସମ୍ବାଦଦାତା ପ୍ରଭୁଦତ୍ତ ପୂଜାରୀଙ୍କ ଭିଡିଓ ରିପୋର୍ଟ –

ମିଳିଥିବା ସୂଚନା ଅନୁସାରେ ୨୦୧୮ ମସିହାରେ ଝାରସୁଗୁଡାର ବେହେରାମାଲରେ ଏକ ବାଇକ ଦୁର୍ଘଟଣାର ଶିକାର ହୋଇଥିଲେ ପରିବାରର ସାନ ପୁଅ ଦୀପକ ବିଶ୍ଵାଳ । ଦୁର୍ଘଟଣାରେ ଗୁରୁତର ହୋଇପଡିଥିବା ଦୀପକ କୋମାକୁ ଚାଲିଯାଇଥିଲେ । ସେହିଦିନଠାରୁ ପରିବାର ଦୀପକଙ୍କ ଚିକିତ୍ସା ଜାରି ରଖିଥିଲେ । ଦୀପକଙ୍କ ଚିକିତ୍ସାରେ ପରିବାର ପ୍ରାୟ ୩୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ  କରିସାରିଥିଲେ । କିନ୍ତୁ ଗତ ଜୁନ ୧ ତାରିଖରେ ସାନ ପୁଅ ଦୀପକର ମୃତ୍ୟୁ ହୋଇ ଯାଇଥିଲା । ସାନ ପୁଅର ଚିକିତ୍ସାରେ ଘରର ସମସ୍ତ ସମ୍ବଳ ଶେଷ କରିବା ପରେ ମଧ୍ୟ ପୁଅର ମୃତ୍ୟୁ ହୋଇଯିବା ପରେ ପରିବାର ସଦସ୍ୟ ମ୍ରିୟମାଣ ହୋଇ ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ।

Comments are closed.