କୋଭିଡ ଡାକ୍ତରଖାନାରେ  ଚିକିତ୍ସା ଅବହେଳାରୁ ରୋଗୀଙ୍କ ମୃତ୍ୟୁ ଅଭିଯୋଗ, କର୍ତ୍ତୃପକ୍ଷଙ୍କ ଖଣ୍ଡନ

ଝାରସୁଗୁଡ଼ା : ଝାରସୁଗୁଡ଼ା କୋଭିଡ ଡାକ୍ତରଖାନାରେ ଚିକିତ୍ସା ଅଭାବରୁ ଜଣେ ମହିଳା ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଆଜି ଏହି ଘଟଣାକୁ ନେଇ ମଙ୍ଗଳବଜାର କୋଭିଡ ଡାକ୍ତରଖାନା ସମ୍ମୁଖରେ ପରିବାର ଲୋକେ ଉତ୍ତେଜନା ପ୍ରକାଶ କରିଥିଲେ । ପରେ ଝାରସୁଗୁଡ଼ା ପୁଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାଶୁଝା କରିବା ପରେ ପରିସ୍ଥିତି ଶାନ୍ତ ହୋଇଥିଲା । ତେବେ ଡାକ୍ତରଖାନା କର୍ତ୍ତୃପକ୍ଷ ଚିକିତ୍ସା ଅବହେଳା ଅଭିଯୋଗକୁ ଖଣ୍ଡନ କରିଛନ୍ତି ।
ସୂଚନାରୁ ପ୍ରକାଶ ଯେ, ସୋମବାର ଭୋର ପ୍ରାୟ ୩ଟାରେ ଝାରସୁଗୁଡ଼ା ସହରର ପାହାଡ଼ି ମନ୍ଦିର ଅଞ୍ଚଳର ଜଣେ ୩୪ ବର୍ଷୀୟା ମହିଳାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ପରିବାର ଲୋକେ ତାଙ୍କୁ ତୁରନ୍ତ ଜିଲା ମୁଖ୍ୟଡାକ୍ତରଖାନାକୁ ନେଇଥିଲେ । ମହିଳାଙ୍କର ପୂର୍ବରୁ କିଡନୀ ରୋଗ ଥିବା ହେତୁ ତୁରନ୍ତ ଡାୟଲିସିସ୍ କରିବା ଆବଶ୍ୟକତା ଥିବାରୁ ପରିବାର ଲୋକେ ସମୟ ବିଳମ୍ବ ନ କରି ତୁରନ୍ତ ଡାୟଲିସିସ କରିବାକୁ ଅନୁରୋଧ କରିଥିଲେ । ହେଲେ ବିନା କୋଭିଡ ଟେଷ୍ଟରେ ଅନ୍ତର୍ବିଭାଗକୁ ପ୍ରବେଶ ଦେବା ସମ୍ଭବ ନ ଥିବାରୁ ଡାକ୍ତରଖାନା କର୍ତ୍ତୃପକ୍ଷ ପ୍ରଥମେ ରାପିଡ ଆଣ୍ଟିଜେନ୍ ଟେଷ୍ଟ କରିବାରୁ କୋଭିଡ ପଜିଟିଭ ରିପୋର୍ଟ ଆସିଥିଲା । ଫଳରେ ଉପସ୍ଥିତ ସ୍ବାସ୍ଥ୍ୟ କର୍ମଚାରୀ ତୁରନ୍ତ କୋଭିଡ ଡାକ୍ତରଖାନାକୁ ସ୍ଥାନାନ୍ତର କରିବାକୁ ପରାମର୍ଶ ଦେବା ସହିତ ସେଠା‌େ‌ର ଡାୟଲିସିସ୍ ହୋଇଯିବ ବୋଲି କହିଥିଲେ ।

ପରିବାର ଲୋକଙ୍କ କହିବା ଅନୁସାରେ, ରୋଗୀଙ୍କୁ ସାଢ଼େ ୪ଟାରେ କୋଭିଡ ଡାକ୍ତରଖାନାକୁ ନେଇ ତୁରନ୍ତ ଚିକିିତ୍ସା ପାଇଁ ଅନୁରୋଧ କରିଥିଲେ ହେଁ ସକାଳ ୭ଟା ଯାଏଁ କେହି ଦେଖି ନ ଥିଲେ । ପରିବାର ଲୋକଙ୍କୁ ଭିତରକୁ ପ୍ରବେଶ ଅନୁମତି ନ ଥିବାରୁ ହେଲ୍ପ ଡେସ୍କ ଜରିଆରେ କୋଭିଡ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରି ଅନ୍ତତଃ ବୁର୍ଲା ସ୍ଥାନାନ୍ତର କରାଇବାକୁ ଅନୁରୋଧ କରିଥିଲେ । ହେଲେ ଦୀର୍ଘ ୪ଘଣ୍ଟା ଧରି କାଗଜପତ୍ର କରାଯାଉଛି ବୋଲି କହି କହି ପରିବାର ଲୋକଙ୍କୁ ଠକି ଚାଲିଥିବାବେଳେ ପୂର୍ବାହ୍ନ ୧୧ଟ‌ା ବେଳକୁ ହୃଦ୍‌ଘାତରେ ମୃତ୍ୟୁ ହୋଇଥିବା ଡାକ୍ତରଖାନା ପକ୍ଷରୁ କୁହାଯାଇଥିଲା ବୋଲି ପରିବାର ଲୋକେ କହିଛନ୍ତି । ତେବେ ଭଲ ଭାବେ ଚିକିତ୍ସା କରିଥିଲେ କିମ୍ବା ବୁର୍ଲା ସ୍ଥାନାନ୍ତର କରିଥିଲେ ହୁଏତ ଏଭଳି ହୋଇନଥାନ୍ତା ବୋଲି ସେମାନେ ଅଭିଯୋଗ କରିଛନ୍ତି । ତା ଛଡ଼ା ଏହାର ୪ଦିନ ପୂର୍ବରୁ ମହିଳାଙ୍କର କୋଭିଡ ଟେଷ୍ଟ କରାଯାଇଥିଲେ ହେଁ  ନେଗେଟିଭ୍ ଆସିଥିଲା ବୋଲି ପରିବାର ଲୋକେ ସୂଚନା ଦେଇଛନ୍ତି ।
ପରିବାର ଲୋକଙ୍କ ଅଭିଯୋଗକୁ ଖଣ୍ଡନ କରି କୋଭିଡ ଡାକ୍ତରଖାନା ଭାରପ୍ରାପ୍ତ ଡାକ୍ତର ଏଚ୍‌.କେ ନାଏକ କହିଛନ୍ତି, ‘ଚିକିତ୍ସା ଅବହେଳାର ପ୍ରଶ୍ନ ଉଠୁନାହିଁ । ରୋଗୀଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର  ଥିବାରୁ ଆମ ପାଖକୁ ଆସିବା ମାତ୍ରେ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସା ସମୟ‌େ‌ର ସ୍ବାସ୍ଥ୍ୟବସ୍ଥାରେ ଟିକିଏ ସୁଧାର ମଧ୍ୟ ଆସିଥିଲା । ହେଲେ ପୂର୍ବାହ୍ନ ୧୧ଟା ୧୫ରେ ତାଙ୍କର ହୃଦ୍‌ଘାତରେ ମୃତ୍ୟୁ ହୋଇଯାଇଥିଲା । ରୋଗୀଙ୍କ କିଡନୀ ଫେଲୁଅର, ଉଚ୍ଚ ରକ୍ତଚାପ ସମେତ ଅନ୍ୟ‌ାନ୍ୟ ରୋଗ ଥିବା ଡାକ୍ତର ନାଏକ କହିଛନ୍ତି ।

Comments are closed.