ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ମାମଲା, ହତ୍ୟା ଅଭିଯୋଗ ଆଣିଲେ ଯୁବତୀଙ୍କ ପରିବାର

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲା ବନହରପାଲି ଥାନା ଅନ୍ତର୍ଗତ ରେଙ୍ଗାଲି କିସାନପଡ଼ାରେ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର ମାମଲାରେ ଆସିଛି ନୂଆମୋଡ଼। ଯୁବକଙ୍କ ପରିବାର ଏହାକୁ ଏକ ଆତ୍ମହତ୍ୟା ମାମଲା କହୁଥିବା ବେଳେ ହତ୍ୟା ଅଭିଯୋଗ ଆଣିଛନ୍ତି ଯୁବତୀଙ୍କ ପରିବାର। ମୃତ ଯୁବତୀଙ୍କ ମାମୁଁ ସଂକୀର୍ତ୍ତନ କିସାନ ଆଜି ଏସପିଙ୍କ ଦ୍ବାରସ୍ଥ ହୋଇ ଅଭିଯୋଗ କରିଛନ୍ତି ଯେ, ମୃତ ଯୁବକର ସାବତ ମାଆ, ବାପା ଓ ଅନ୍ୟ ପରିବାର ଲୋକେ ଭାଣିଜୀ ସୁମତୀ ଓ ତା’ର ପ୍ରେମିକ ସୁବ୍ରତକୁ ହତ୍ୟା କରିଛନ୍ତି।

ସଂକୀର୍ତ୍ତନଙ୍କ କହିବା ଅନୁସାରେ ୨ବର୍ଷ ପୂର୍ବରୁ ବନହରପାଲିର ରେଙ୍ଗାଲି କିସାନପଡ଼ା ନିବାସୀ ବିଦେଶୀ କିଶାନଙ୍କ ପୁଅ ସୁବ୍ରତ (୨୭)ଙ୍କର ସମ୍ବଲପୁର ଜିଲା ଠେଲକୁଲି ଥାନା ଗୁମକାରମା ଗ୍ରାମର ସ୍ବର୍ଗତ ବସୁଦେବ ପିଙ୍ଗଙ୍କ ଝିଅ ସୁମତୀ(୨୨)ଙ୍କ ସହ ବିବାହ ପ୍ରସ୍ତାବ ପଡ଼ିଥିଲା । ଉଭୟ ପକ୍ଷର ଦେଖା ସରିବା ପରେ ବିବାହ ପାଇଁ ଜାତକ ମିଳାଇବା ବେଳେ ତାହା ମେଳ ନ ଖାଇବାରୁ ସମ୍ପୃକ୍ତ ପଣ୍ଡିତ କନ୍ୟାର ନାମ ପରିବର୍ତ୍ତନ କରି ମେଳକ କରିବାକୁ ପ୍ରସ୍ତାବ ଦେଇଥିଲେ। ହେଲେ ବରପିତା ବିଦେଶୀ କିଶାନ ଏଥିରେ ରାଜି ନ ହୋଇ ବିବାହ ହୋଇ ପାରିବନାହିଁ କହିଥିଲେ। ଏହାପରେ ଅନ୍ୟତ୍ର ପୁଅର ବିବାହ ପାଇଁ ଝିଅ ଖୋଜୁଥିବା ବେଳେ ସୁବ୍ରତଙ୍କ ସାବତ ମାଆଙ୍କ ଜଣେ ସମ୍ପର୍କୀୟ ଝିଆରୀ ସହିତ ଆଗାମୀ ମଇ ୩ ତାରିଖରେ ବିବାହ ହେବାକୁ ଥିଲା‌। ତେବେ ସୁମତୀଙ୍କ ବ୍ୟତୀତ ଅନ୍ୟ କାହାରିକୁ ବିବାହ କରିବେ ନାହିଁ ବୋଲି ଜିଦ୍ ଧରିଥିବା ସୁବ୍ରତ ଗତ ଶନିବାର ଦିନ ଘରୁ କୁଆଡ଼େ ଚାଲିଯାଇଥିଲେ। ରାତି ସାରା ଘରକୁ ନ ଫେରି ରବିବାର ଭୋର ୪ଟାରେ ସୁମତୀ ସହିତ ଘରକୁ ଫେରିଲେ। ସୁମତୀ କାହାରିକୁ କିଛି ନ କହି ସୁବ୍ରତ ସହିତ ଫେରାର ମାରିଥିବାରୁ ତାଙ୍କ ପରିବାର ଲୋକେ ଖୋଜାଖୋଜି କରି ସୁବ୍ରତଙ୍କ ଘରକୁ ପହଞ୍ଚି ସେଠାରେ ସୁମତୀ ଥିବା ଦେଖିବାକୁ ପାଇଥିଲେ। ଫଳରେ ଗାଁ ଭଦ୍ରଲୋକଙ୍କ ଉପସ୍ଥିତିରେ ଉଭୟ ପକ୍ଷ ଆଲୋଚନା କରିବା ସହିତ ସୁମତୀ ଓ ସୁବ୍ରତ ବିବାହ କରିବାକୁ ଏକା ଜିଦ୍ ଧରି ବସିଥିବାରୁ ଉଭୟଙ୍କ ବିବାହ କରାଇବାକୁ ଧାର୍ଯ୍ୟ କରାଗଲା। ଜାତି ସମାଜର ବୟୋଜ୍ୟେଷ୍ଠଙ୍କ ଉପସ୍ଥିତିରେ ଏକ ରାଜିନାମା ପତ୍ର ଉଭୟ ପକ୍ଷ ଦସ୍ତଖତ କରିଥିଲେ। ହେଲେ ସୋମବାର ସକାଳୁ ସୁମତୀ ଓ ସୁବ୍ରତଙ୍କ ଝୁଲନ୍ତା ମୃତଦେହ ମିଳିଥିବା ଜଣାପଡ଼ିଲା ବୋଲି ସଂକୀର୍ତ୍ତନ କହିଛନ୍ତି । ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ। ସୁବ୍ରତଙ୍କ ନିଜ ମାଆଙ୍କର ଅନେକ ବର୍ଷ ହେଲା ମୃତ୍ୟୁ ହୋଇଯାଇଥିବା ବେଳେ ତାଙ୍କ ସାବତ ମାଆ ନିଜ ସମ୍ପର୍କୀୟ ଝିଆରୀ ସହିତ ସୁବ୍ରତର ବିବାହ କରିବାକୁ ଚାହୁଁଥିଲେ । ହେଲେ ସୁବ୍ରତ ରାଜି ନ ହେବାରୁ ହତ୍ୟା କରାଇଛନ୍ତି ବୋଲି ସଂକୀର୍ତ୍ତନ ଅଭିଯୋଗ କରିଛନ୍ତି ।

ଅନ୍ୟପକ୍ଷରେ ସୁବ୍ରତଙ୍କ କାକା କହିଛନ୍ତି, ଗୁମକାରମାକୁ ପୁତୁରା ପାଇଁ କନ୍ୟା ଦେଖିବାକୁ ଯାଇଥିଲୁ ହେଲେ ଜାତକ ମେଳ ନ ଖାଇବାରୁ ଅନ୍ୟ ସ୍ଥାନରେ ବିବାହ ଠିକ୍ କରିଥିଲୁ । ଆସନ୍ତା ୩ତାରିଖ ବିବାହ ଥିବାରୁ କାର୍ଡ ମଧ୍ୟ ଛପାଇ ସାରିଛୁ । ଏହି ସମୟରେ ୧୧ତାରିଖ ସୁବ୍ରତ ଗୁମକାରମାର ଝିଅକୁ ଘରକୁ ନେଇ ଆସିଲା । ଖବର ପାଇ କନ୍ୟାପକ୍ଷ ଆସିବା ପରେ ଉଭୟ ପକ୍ଷ ଆଲୋଚନା କରି ସମାଜର ରୀତି ନୀତି ଅନୁସାରେ ବିବାହ କରିବାକୁ ସମସ୍ତେ ରାଜି ହେଲୁ । ସେହି ରାତିରେ ଉଭୟ ଗୋଟିଏ କକ୍ଷରେ ଶୋଇଲେ ଓ ସେଠାରେ ଆତ୍ମହତ୍ୟା କରିଦେଇଛନ୍ତି । ମୁଁ ରାତି ୯ଟାରେ ଥର୍ମାଲକୁ ଡ୍ୟୁଟି ଯାଇଥିଲି। ୧୨ତାରିଖ ସକାଳ ୭ଟାରେ ଯାଇ ପରିବାର ଲୋକେ ଜାଣିବାକୁ ପାଇଲୁ ।

ଏ ସଂକ୍ରାନ୍ତରେ ଝାରସୁଗୁଡ଼ା ଏସପି ବିକାଶ ଚନ୍ଦ୍ର ଦାଶ କହିଛନ୍ତି ‘ପ୍ରାଥମିକ ତଦନ୍ତରୁ ଆତ୍ମହତ୍ୟା ବୋଲି ଜଣାପଡ଼ୁଛି। ତେବେ କନ୍ୟାପକ୍ଷ ଯଦି ହତ୍ୟା ଅଭିଯୋଗ କରୁଛନ୍ତି ତାହେଲେ ନିଶ୍ଚିତ ଭାବେ ଏତଲା ଦାୟର କରି ତଦନ୍ତ କରାଯିବ’। ‌ତେବେ ଉଭୟ ପକ୍ଷ ଯେତେବେଳେ ବିବାହ କରିବା ପାଇଁ ରାଜି ହୋଇଥିଲେ, ଜାତି ସମାଜ ଭଦ୍ରଲୋକଙ୍କ ସମ୍ମୁଖରେ ଲିଖିତ ଭାବେ ରାଜି ନାମା ଦେଇଥିଲେ, ଏମିତିରେ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ମିଳିବା ପ୍ରସଙ୍ଗ ରହସ୍ୟାବୃତ୍ତ ହୋଇ ରହିଛି ।

Comments are closed.