ମାନବ ସଭ୍ୟତାର ଅମୂଲ୍ୟ ଦସ୍ତାବିଜ: ଅବହେଳିତ ‘ଉଲାପଗଡ଼’

ଝାରସୁଗୁଡ଼ା(ପ୍ରଭୁଦତ୍ତ ପୂଜାରୀ): ବଣଜଙ୍ଗଲଘେରା ସରୁ ପାହାଡ଼ଟିଏ। ହଜାରହଜାର ବର୍ଷ ଧରି ଶବ୍ଦଟିଏ କହି ପାରି ନାହିଁ ସତ ହେଲେ ଅନେକ କିଛି କହିବାକୁ ଚେଷ୍ଟା କରୁଛି। ବହୁ ଗବେଷକ ତା’ ତୁଣ୍ଡରେ ଭାଷା ଫୁଟାଇବାର ପ୍ରୟାସ କରିଛନ୍ତି, କରୁଛନ୍ତି। ହେଲେ ସେମାନଙ୍କ ପ୍ରୟାସ ଏ ପର୍ୟ୍ୟନ୍ତ ସଫଳ ହୋଇପାରି ନାହିଁ। ନିଜ ଭିତରେ କାହିଁ କେତେ ଶହ ବର୍ଷର ଅକୁହା କଥାକୁ ଚାପି ରଖିଥିବା ଏକ ପାହାଡ଼- ‘ଉଲାପଗଡ଼’। ଝାରସୁୁଗୁଡ଼ା ଜିଲାର ଉଲାପ ଗାଁ’ରେ ଥିବା ମହେଶ୍ବର ପାହାଡ଼ର ଗୋଟିଏ ଅଂଶ ଏହି ‘ଉଲାପଗଡ଼’ । ଝାରସୁଗୁଡ଼ା ବନଖଣ୍ଡର ବେଲପାହାଡ଼ ବନାଞ୍ଚଳରେ ରହିଛି ଏହି ପ୍ରାକ୍ ଐତିହାସିକ ଯୁଗର ପ୍ରସ୍ତର ଖୋଦିତ ଇତିହାସ, ମାନବ ସଭ୍ୟତାର ରହସ୍ୟମୟ ଦସ୍ତାବେଜ।

ଝାରସୁଗୁଡ଼ା ଜିଲାରେ ଥିବା ପ୍ରାକ୍‌ଐତିହାସିକ ଯୁଗରେ ଏହି ଅମୂଲ୍ୟ ସ୍ମାରକୀର ରହସ୍ୟ ଭେଦ କରିବା ପାଇଁ ବହୁ ଜାତୀୟ ଓ ଆନ୍ତର୍ଜାତିକ ସ୍ତରର ଗବେଷକ ଏଠାକୁ ଟାଣି ହୋଇ ଆସିଛନ୍ତି। ସେମାନଙ୍କର ନିଷ୍ଠାପର ଉଦ୍ୟମ ଯୋଗୁ ରହସ୍ୟ ଉପରୁ କିଞ୍ଚିତ ପର୍ଦା ହଟିଛି। ସେମାନଙ୍କ ମତରେ ମାନବ ସଭ୍ୟତାର କ୍ରମବିକାଶର ଗୋଟିଏ ଧାରା ଏଠାରେ ପ୍ରବାହିତ ହୋଇଥିଲା ଏବଂ ତତ୍‌କାଳୀନ ମଣିଷର ମନମସ୍ତିଷ୍କରେ ଯେଉଁ ନୂତନ ଚିନ୍ତା ଓ ଚେତନର ପରିପ୍ରକାଶ ଘଟିଥିଲା ତାହା ସେ ଏହି ପାହାଡ଼ର ବନ୍ଧୁର ଶିଳାରାଜିରେ ଉତ୍‌କୀର୍ଣ୍ଣ କରିଥିଲା ବିିଭିନ୍ନ ଲିପି, ଚିତ୍ର, ଚିହ୍ନ ଓ ସଙ୍କେତ ମାଧ୍ୟମରେ। ଏ ସବୁ ସହିତ ସେମାନଙ୍କ ଦ୍ବାରା ଖୋଦିତ ଝାଡ଼ୁ, ପଞ୍ଝା, ପାନିଆଁ, ସିଡ଼ି, ଅର ଓ ଚକ, ବୃହତକାୟ ପାଦଚିହ୍ନ ଏବଂ କିଛି ଜ୍ୟାମିତିକି ଓ ଅଣଜ୍ୟାମିତିକ ଆକୃତି। କ୍ରମବିକାଶର ଏହି ଅମୂଲ୍ୟ ଦସ୍ତାବିଜ ଏବେ କାଳର କ୍ରମାଗତ ପ୍ରହାରରେ ଅସ୍ପଷ୍ଟ ହେବାକୁ ବସିଲାଣି।

କିଛି ବର୍ଷ ତଳେ ବନବିଭାଗ ଏହି ଅଂଶକୁ ଗ୍ରିଲ ଲଗାଇ ସୁରକ୍ଷିତ ରଖିବାକୁ ଚେଷ୍ଟା କରିଥିଲା​‌। ହେଲେ ଦୁର୍ବୃତ୍ତମାନେ ଗ୍ରିଲ୍‌ର ଲୁହା କାଟି ଚୋରି କରି ନେଇଗଲେଣି । ପାହାଡ଼ର ପ୍ରାୟ ୧୦୦୦ଫୁଟ ଉପରେ ଶୀର୍ଷକୁ କାଟି ୪୦୦ମିଟର ଦୈର୍ଘ୍ୟ ଓ ୨୫୦ ମିଟର ଓସାର ଚଟାଣ ତିଆରି କରାଯାଇଛି। ଚଟାଣରେ ପ୍ରାୟ ୭୦ଗୋଲାକୃତି ଗାତ ରହିଛି ଯାହାକି ପ୍ରାୟ ୩ ଇଞ୍ଚ ଓସାର ହେବ। ଗବେଷକମାନେ କହନ୍ତି ଏହି ଗାତରେ କାଠ ବା ବାଉଁଶ ପୋତି ଶୟନ କକ୍ଷ, ରୋଷେଇ, ଭଣ୍ଡାର ଘର ଓ ଅସ୍ତ୍ରାଗାର କରାଯାଉଥିଲା । ଏକ ସମୟରେ ୧ହଜାର ଲୋକଙ୍କ ରହିବା ଭଳି ଏଠାରେ ବ୍ୟବସ୍ଥା ଥିଲା ବୋଲି ମଧ୍ୟ କିଛି ଗବେଷକ ମତ ଦିଅନ୍ତି। କେତେକ ସ୍ଥାନରେ ଚତୁଃଷ୍କୋଣ ବିଶିଷ୍ଟ ଛୋଟ ଗାତ, କୂଅ, ଦୁର୍ଗ ପ୍ରାଚୀର, ଗଡ଼ଖାଇ ଆଦି ରହିଛି। ସ୍ଥାନୀୟ ଲୋକେ କହନ୍ତି ଏଠାରେ ଏକ ସୁନାର ଦେବୀ ମୂର୍ତ୍ତି ଥିଲା। ହେମଗିରର ଜମିଦାର ସପ୍ତଦଶ ଶତକରେ ମୂର୍ତ୍ତିକୁ ଏଠାରୁ ନେଇ ଯିବା ପରେ ଏବେ ଏକ ବେଦୀରେ ଦେବୀଙ୍କୁ ସ୍ଥାପନ କରାଯାଇଛି। ବର୍ଷକରେ ଥରେ ଆଶ୍ବିନ ପୂର୍ଣ୍ଣିମାରେ ମା’ଙ୍କ ଭବ୍ୟ ପୂଜା ଅନୁଷ୍ଠିତ ହୁଏ। ଗିରିଦୁର୍ଗର ଶୀର୍ଷର ଗୋଟିଏ ସ୍ଥାନ ଅବିକଳ ନାଗଫଣା ପରି ହୋଇଥିବା ବେଳେ ଗୋଟିଏ ସ୍ଥାନରେ ସିଂହାସନ ପରି ଉଚ୍ଚ ହୋଇଛି। ସମ୍ଭବତଃ ସିଂହାସନରେ ମୁଖିଆ ବା ରାଜା ତା’ ଉପରେ ଆସୀନ ହେଉଥିବେ ବୋଲି ଅନୁମାନ କରାଯାଏ।

ଏଥି ସକାଶେ ଅନେକ ଗବେଷଣା ତ ନିହାତି ଆବଶ୍ୟକ ହେ​‌ଲେ ସବୁଠାରୁ ବେଶି ଆବଶ୍ୟକତା ହେଉଛି ପ୍ରଶାସନିକ ଆନ୍ତରିକତାର। ଏହି ଗିରିଦୁର୍ଗର ମହତ୍ତ୍ବ ଉପଲବ୍ଧି କରି ଅନେକ ଗବେଷକ ଦେଶ, ବିଦେଶରୁ ଏଠାକୁ ଆସିଥିଲେ ହେଁ ପ୍ରଶାସନର ଦୃଷ୍ଟି ଏହା ଉପରେ ପଡ଼ିନାହିଁ। ଉଲାପ ଗାଁ’ରୁ ଏହି ଗଡ଼କୁ ରାସ୍ତା ମାତ୍ର ୧କିଲୋମିଟର ହେଲେ ରାସ୍ତା ବହୁତ ଖରାପ। ପାହାଡ଼ର ପାଦଦେଶରେ ଗୋଟିଏ ପୋଖରୀ ଅଛି। ଲୋକେ କହନ୍ତି ଏଠାରେ ପୂର୍ବରୁ ଏକ ଚିରପ୍ରବାହିତ ଜଳସ୍ରୋତ ଥିଲା। କ୍ରମେ ତାହା ବନ୍ଦ ହୋଇଯିବାରୁ ବ୍ରିଟିଶ ଶାସନ କାଳରେ ପୋଖରୀର ରୂପ ଦିଆଯାଇଥିଲା। ହେଲେ ଏବେ ଏ ପୋଖରୀ ଏମିତି ହୋଇଛି ଯେ, ଗୋଡ଼ ବି ଧୋଇ ହେଉନାହିଁ । ଏହି ଐତିହ୍ୟ ସ୍ଥଳ​‌ରେ       ସୂଚନା​‌ଫଳକ ଟିଏ ନାହିଁ। ସ୍ଥାନୀୟ ବାସିନ୍ଦା ତଥା ପିପିଲିମାଲ ସରପଞ୍ଚ ପ୍ରତିନିଧି ରଙ୍ଗାଧର ଡିଲା କହନ୍ତି ଉଲାପଗଡ଼ର ଐତିହ୍ୟକୁ ନଜରରେ ରଖି ଏହାକୁ ପର୍ୟ୍ୟଟନସ୍ଥଳର ମାନ୍ୟତା ଦେବାକୁ ବିଗତ ଦିନରେ ସାଂସଦ ସୁରେଶ ପୂଜାରୀଙ୍କୁ ଅନୁରୋଧ କରିବା ସହ ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲୁ । ହେଲେ ଏ ପର୍ୟ୍ୟନ୍ତ କିଛି ସୁଫଳ ମିଳିନାହିଁ ଝାରସୁଗୁଡ଼ା ଡିଏଫଓ ଲଲିତ ପାତ୍ର କହିଛନ୍ତି, ‘ଜିଲାରେ ଏବେ କୋଇଲିଘୁଗର ସହ ୨ଟି ପର୍ୟ୍ୟଟନସ୍ଥଳକୁ ଇକୋ-ଟୁରିଜମ୍ ଭାବେ ବିକଶିତ କରିବାର କାମ ଆରମ୍ଭ କରୁଛୁ। ଆଗକୁ ଉଲାପଗଡ଼କୁ ଏଥିରେ ସାମିଲ କରିବା ପ୍ରସ୍ତାବ ସକ୍ରିୟ ବିଚାରଧୀନ ଅଛି।

Comments
Loading...