ଝାରସୁଗୁଡାରେ ହେବ ମଦ ହୋମ ଡେଲିଭରୀ : ମଙ୍ଗଳବାର ଷ୍ଟକ ଯାଞ୍ଚ

ବ୍ରଜରାଜନଗର : ଲକ୍ ଡାଉନ୍ ପ୍ରଭାବରେ ପ୍ରାୟ ଦୁଇ ମାସ ଧରି ବନ୍ଦ ରହିଥିଲା ରାଜ୍ୟର ସମସ୍ତ ବିଦେଶୀ ମଦ ଦୋକାନ। ହେଲେ ରାଜ୍ୟ ସରକାର ମଦ ହୋମ ଡେଲିଭରି ପାଇଁ ଶନିବାର ଅନୁମତି ପ୍ରଦାନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଝାରସୁଗୁଡା ଜିଲ୍ଲାରେ ବନ୍ଦ ରହିଥିବା ମଦ ଦୋକାନ ଖୋଲିବ ହେଲେ କାଉଣ୍ଟରରୁ ବିକ୍ରି ହୋଇପାରିବ ନାହିଁ ମଦ। ଏ ବାବଦରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସୋମବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିବା ଜିଲ୍ଲା ଅବକାରୀ ଅଧିକ୍ଷକ ନାରାୟଣ ମେହେର ସୂଚନା ପ୍ରଦାନ କରିଛନ୍ତି। ବୈଠକରେ ଜିଲ୍ଲା ପ୍ରଶାସନ, ପୋଲିସ ଅଧିକାରୀ ଓ ଅବକାରୀ ବିଭାଗର ଅଧିକାରୀ ଉପସ୍ଥିତ ରହିଥିଲେ। ବୈଠକରେ ମଙ୍ଗଳବାର ବନ୍ଦ ରହିଥିବା ବିଦେଶୀ ଦୋକାନଗୁଡିକର ଷ୍ଟକ ଖାତା ଯାଞ୍ଚ କରାଯିବ ଓ କେବଳ ଅନଲାଇନ ହୋମ୍‌ ଡେଲିଭରୀ କରାଯିବା ପାଇଁ ଆଲୋଚନା ହୋଇଥିଲା। ସେହିପରି ଯେଉଁ ମଦ ଦୋକାନୀ ଚାହିଁବେ ସେ ହୋମ ଡେଲିଭରି କରିପାରିବେ ଆଉ ଯିଏ ନ ଚାହିଁବ ତାକୁ ବାଧ୍ୟ ବାଧକତା ନୁହେଁ ବୋଲି ଜିଲ୍ଲା ଅବକାରୀ ଅଧିକ୍ଷକ ନାରାୟଣ ମେହେର ସୂଚନା ପ୍ରଦାନ କରିଛନ୍ତି।
ଅପରପକ୍ଷ ଲକ୍ ଡାଉନରେ ବୃଦ୍ଧି ପାଇଥିବା ଚୋରା ମଦ କାରବାର ଘଟଣାରେ କେତେକ ଦୋକାନୀ ଓ କର୍ମଚାରୀଙ୍କ ସମ୍ପୃକ୍ତି ଅଭିଯୋଗ ହୋଇଥିଲା। ସେଥି ପାଇଁ ମଦ ଦୋକାନ ଖୋଲିଲେ ଷ୍ଟକ ରେଜିଷ୍ଟର ଯାଞ୍ଚ ପାଇଁ ବିଭିନ୍ନ ମହଲରେ ଦାବି ହୋଇ ଆସୁଥିଲା। ତେବେ ମଙ୍ଗଳବାର ଯାଞ୍ଚ ହେବା ପରେ ଚୋରା ମଦ କାରବାରରେ ସମ୍ପୃକ୍ତ ଥିବା ଦୋକାନୀଙ୍କର ଗୁମର ଖୋଲିବ ବୋଲି ଚର୍ଚ୍ଚା ହେଉଛି।

Comments are closed.