ରୋକିବାକୁ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିଥିଲା ପୁଲିସ, ହେଲେ ମାନିଲେନି

ସଡ଼କ ପଥରେ କୋଲକାତାରୁ ଆସିଲା କରୋନା

ବ୍ରଜରାଜନଗର : ମହାମାରୀ କରୋନାର ସଂକ୍ରମଣକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ଓ ପୁଲିସ ତାର ସମସ୍ତ ବଳ ଖଟାଇଥିଲା। ଛତିଶଗଡ଼ ଓ ପଡ଼ୋଶୀ ଜିଲ୍ଲାର ସିମାକୁ ସିଲ କରିବା ସହିତ ବାହାର ଅଂଚଳରୁ ଗାଡ଼ି ଚଳାଚଳ ଓ ଲୋକଙ୍କ ପ୍ରବେଶ ଉପରେ କଟକଣା ମଧ୍ୟ ଲଗାଯାଇଥିଲା। ଏହା ସହିତ ମାସ୍କ ପରିଧାନ ଓ ସାମାଜିକ ଦୁରତା ରକ୍ଷା କରିବା ପାଇଁ ପୁଲିସ ରାତି ଦିନ ଏକ କରି ଜୀବନକୁ ବାଜି ମଧ୍ୟ ଲଗାଇଥିଲା। ହେଲେ ସମସ୍ତ ଲକ୍ଷ୍ମଣ ରେଖାକୁ ବେଖାତିର କରି ସଡ଼କ ପଥରେ ଝାରସୁଗୁଡ଼ା ଜିଲ୍ଲାର ବ୍ରଜରାଜନଗର ଅଂଚଳକୁ କରୋନା ପ୍ରବେଶ କରି ସାରିଛି। ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯୁବକଙ୍କ ଅନ୍ତେଷ୍ଟିକ୍ରିୟା ପାଇଁ  ହଟସ୍ସଟ ପାଲଟିଥିବା କୋଲକାତା ଅଂଚଳରୁ ଆସିଥିବା ପରିବାର ପାଇଁ ସାରା ଜିଲ୍ଲା ବର୍ତ୍ତମାନ ବିପଦରେ ପଡ଼ିଯାଇଛି। ଅପରପକ୍ଷେ ଝାରସୁଗୁଡ଼ା ଜିଲ୍ଲାରେ କରୋନା ଆକ୍ରାନ୍ତ ସଂଖ୍ୟା ଶୂନ ରହିଥିବାରୁ ଜିଲ୍ଲାବାସୀ ଆଶ୍ୱସ୍ତ ଅନୁଭବ କରୁଥିବା ବେଳେ ଆଜି ବ୍ରଜରାଜନଗର ଅଂଚଳରେ ଜଣେ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଲୋକଙ୍କ ଭିତରେ ଭୟର ବାତାବରଣ ଖେଳିଯାଇଛି।

ବ୍ରଜରାଜନଗର ବୁଢିଯାମ ଅଂଚଳରେ ରହୁଥିବା କୋଲକାତାର ଜଣେ ଯୁବକ ଗତ ୨୧ ତାରିଖ ଦିନ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ତେବେ ରାଜ୍ୟ ତଥା ଜିଲ୍ଲାର ସିମା ଗୁଡ଼ିକ ସିଲ କରାଯାଇଥିଲେ ହେଁ ମୃତକଙ୍କ ବାପା, ମାଆ, ଭଉଣୀ ଓ ଜଣେ ସମ୍ପର୍କୀୟ ଭାଇ ଗତ ୨୨ ତାରିଖ ଦିନ ଅପରାହ୍ନ ୩ଟା ବେଳେ ଏକ ଟାଟା ସୁମୋ ଯୋଗେ ଶବ ସତ୍କାର ଓ ଅନ୍ତେଷ୍ଟିକ୍ରିୟା କରିବା ପାଇଁ କୋଲାକାତାରୁ ବ୍ରଜରାଜନଗର ଅଭିମୁଖେ ବାହାରିଥିଲେ। ଓଡ଼ିଶା ସିମାନ୍ତ ଗେଟ ଗୁଡ଼ିକରେ ଏମାନଙ୍କୁ ଅଟକ ରଖାଯାଇ ପ୍ରବେଶ ଉପରେ କଟକଣା ଲଗାଯାଇଥିଲେ ହେଁ ବ୍ରଜରାଜନଗର ଯିବାର ଜିଦରେ ସେମାନେ ଅଡ଼ି ବସିଥିଲେ। ଶେଷରେ ଗେଟ ଅଧିକାରୀମାନେ ଘଟଣା ବାବଦରେ ଓରିଂଏଟ ଥାନା ଅଧିକାରୀ ସାରଙ୍ଗଧର ପାଣିଗ୍ରାହୀଙ୍କୁ ମୋବାଇଲରେ ଯୋଗଯୋଗ କରିବାରୁ ଶ୍ରୀ ପାଣିଗ୍ରାହୀ ଏହି ପରିବାରଙ୍କୁ ଓଡ଼ିଶା ଭିତରୁ ଛାଡ଼ିବା ପାଇଁ ସମ୍ପୂର୍ଣ୍ଣ ଭାବେ ଗେଟ କର୍ମଚାରୀଙ୍କୁ ମନା କରି ଦେଇଥିଲେ। ଅନ୍ୟ ଉପାୟ ନ ପାଇଁ କୋଲକାତାର ଏହି ପରିବାର ସେନାରେ ଥିବା ତାଙ୍କର ଜଣେ ସମ୍ପର୍କୀୟଙ୍କୁ ମଧ୍ୟ ଓରିଏଂଟ ଥାନା ଅଧିକାରୀଙ୍କ ସହିତ କଥା ହେବା ପାଇଁ କହିଥିଲେ ମଧ୍ୟ ରାଜ୍ୟରେ ଚିହ୍ନଟ ହୋଇଥିବା ଅଧିକାଂଶ କରୋନା ଆକ୍ରାନ୍ତଙ୍କ  ଲିଙ୍କ ପଶ୍ଚିମବଙ୍ଗ ସହିତ ରହିଥିବାରୁ ଓରିଂଏଟ ଥାନା ଅଧିକାରୀ ସାରଙ୍ଗଧର ପାଣିଗ୍ରାହୀ ପୁନର୍ବାର ସ୍ପଷ୍ଟ ଭାବେ ମନା କରି ଦେଇଥିଲେ। ଶେଷରେ ଏହି ପରିବାର ସରକାରଙ୍କ ନିୟମ କାନୁନକୁ ଉଲଂଘନ କରି ଯେଣତେଣ ପ୍ରକାରେ ବିଭିନ୍ନ ଗଳା ବାଟରେ ପ୍ରବେଶ କରି ସୁନ୍ଦରଗଡ଼ର ବିରମିତ୍ରପୁର, ବ୍ରାହ୍ମଣି ତରଙ୍ଗ, ବେଦବ୍ୟାସ ଛକ, ସୁନ୍ଦରଗଡ଼, ଝାରସୁଗୁଡ଼ାରୁ ସିଧା ନଅ ନମ୍ବର ମାଇନ୍ସ ରୋଡ଼ ଦେଇ ଦେଇ ଗତ ୨୩ ତାରିଖ ସଂନ୍ଧ୍ୟା ୬ଟାରେ ବ୍ରଜରାଜନଗର ବୁଢିଜାମକୁ ପହଂଚିଥିଲେ। ତେବେ ବ୍ରଜରାଜନଗର ଆସିବା ପାଇଁ ଜିଦ ଧରିଥିବା ଏହି ପରିବାର ଓରିଂଏଟ ଥାନା ସହିତ ଆଉ ଯୋଗାଯୋଗ ନ କରି ସମ୍ପୂର୍ଣ୍ଣ ଭାବେ ଚୁପ ରହିଥିବାରୁ ଓରିଂଏଟ ଥାନା ଅଧିକାରୀ ସାରଙ୍ଗଧର ପାଣିଗ୍ରାହୀଙ୍କ ମନରେ ସନ୍ଦେହ ହୋଇଥିଲା।

ଶ୍ରୀ ପାଣିଗ୍ରାହୀ ମୃତକ ଯୁବକଙ୍କ ଘରକୁ ଆସୁଥିବା ସମସ୍ତ ବ୍ୟକ୍ତିଙ୍କ ଉପରେ ତୀକ୍ଷ୍ଣ ନଜର ରଖିଥିଲେ। ତେବେ ଗତ ୨୩ ତାରିଖ ସଂନ୍ଧ୍ୟା ପ୍ରାୟ ୭ଟା ସମୟରେ ପରିବାର ଲୋକେ ଲୁଚି ଛପି ଆଉ ୧୦ ଜଣ ବ୍ୟକ୍ତିଙ୍କ ସହ ଶବ ସତ୍କାର ପାଇଁ ଇବ୍ ନଦୀ ଘାଟ ସ୍ଥିତ ଶ୍ମଶାନକୁ ଯାଇଥିବା ବେଳେ ପୁଲିସ ଖବର ପାଇ ସେମାନେ ରହୁଥିବା ଘରେ ପହଂଚିଥିଲ। ଶବ ସତ୍କାରରୁ ଫେରିବା ପରେ ମନା କରିବା ସତ୍ୱେ ସେମାନେ କାହିକିଁ ଆସିଲେ ବୋଲି ପୁଲିସ ବୁଝାଇବା ସହିତ ମୃତକଙ୍କ ପରିବାର ଓ ଶବ ସତ୍କାରରେ ସାମିଲ ହୋଇଥିବା ଅନ୍ୟ ବ୍ୟକ୍ତିମାନଙ୍କୁ ପୁଲିସ ନିଜ ନିଜ ଘରେ ରହିବାକୁ କହିଥିଲା। ତା ପର ଦିନ ଅର୍ଥାତ ୨୪ ତାରିଖ ସକାଳୁ ବ୍ରଜରାଜନଗର ପୌର ନିର୍ବାହୀ ଅଧିକାରୀ ଦିଲୀପ ପ୍ରଧାନ, ଝାରସୁଗୁଡ଼ା ତହସିଲଦାର, ଓରିଂଏଟ ଥାନା ଅଧିକାରୀ ସାରଙ୍ଗଧର ପାଣିଗ୍ରାହୀ ଓ ମେଡ଼ିକାଲ ଟିମ କୋଲକାତାରୁ ଆସିଥିବା ୪ ଜଣଙ୍କର ସ୍ୱାବ ନମୁନା ସଂଗ୍ରହ କରି ପରୀକ୍ଷା କରିବା ପାଇଁ ପଠାଇଥିଲା।  ଅନ୍ୟ ପଟେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ଯେ, ବ୍ରଜରାଜନଗର ଲମଟିବାହାଲ ଅଂଚଳର ଜଣେ ବ୍ୟକ୍ତି କୋଲାକାତାର ଏହି ପରିବାରକୁ ବ୍ରଜରାଜନଗର ଆଣିବା ପାଇଁ ଅହରହ ଉଦ୍ୟମ ଚଳାଇଥିଲେ। ଯାହା ଫଳରେ ଏମାନେ ବିଭିନ୍ନ ଗଳା ବାଟ ଦେଇ ଝାରସୁଗୁଡ଼ ଜିଲ୍ଲାକୁ ପ୍ରବେଶ କରିଥିବା ନେଇ ଚର୍ଚ୍ଚା ହେଉଛି।

ଅପରପକ୍ଷେ କୋଲକାତା ବଡ଼ବଜାର ଭଳି କରୋନାର ହଟସ୍ପଟ ଅଂଚଳରୁ ଆସିଥିବା ପରିବାର ଲୋକଙ୍କ ଆଉ ଥରେ ସ୍ୱାବ ପରୀକ୍ଷା କରିବାରୁ ଆବଶ୍ୟକତା ରହିଛି। ତା ସହିତ ଯେଉଁମାନେ ଦାହ ସତ୍କାର କରିବା ପାଇଁ ଯାଇଥିଲେ ସେମାନଙ୍କ ସ୍ୱାବ ପରିକ୍ଷା କରି ସେମାନଙ୍କ ସମସ୍ତ ପରିବାର ଲୋକକୁ ଚିହ୍ନଟକରି କ୍ୱାରେନଣ୍ଟାଇନ ରଖିବା ଅଂଚଳବାସୀଙ୍କ ସ୍ୱାର୍ଥ ପାଇଁ ଜରୁରୀ ହୋଇ ପଡ଼ିଛି। ସେହିପରି ଲମଟିବାହାଲ ଅଂଚଳର ଉକ୍ତ ବ୍ୟକ୍ତିଙ୍କୁ ମଧ୍ୟ ଚିହ୍ନଟ କରାଯାଇ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଭିନ୍ନ ମହଳରେ ଦାବି ଜୋର ଧରିଛି।

Comments are closed.