ଧାନ ଖଳାରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

0

ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲା ଲଖନପୁର ବ୍ଲକ ତିଲିଆ ପଞ୍ଚାୟତର ଚାରମାଲ ଗ୍ରାମରେ ଦୁଇ ଜଣ ଚାଷୀଙ୍କ ବର୍ଷକର ଅମଳ ହୋଇ ଖଳାରେ ରଖାଯାଇଥିବା ଧାନ ଗଦାରେ ନିଆଁଲାଗି ଲକ୍ଷାଧିକ ମୂଲ୍ୟର ଫସଲ ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି । ଚାରମାଲ ଗ୍ରାମର ଦୁଇ ଜଣ ଚାଷୀଙ୍କ ନାମ ଦୟାସାଗର ଗନିକ ଓ ଯୁଧିଷ୍ଠିର ସେଠ। ଖବରଅନୁସାରେ ଚାରମାଲ ଗ୍ରାମର ଚାଷୀ ଦୟାସାଗର ଗନିକ, ଯୁଧିଷ୍ଠିର ସେଠଙ୍କ ସମେତ ଅନ୍ୟ ଦୁଇଜଣ ଚାଷୀ ବର୍ଷଯାକ କଠିନ ପରିଶ୍ରମ କରି ଚଳିତ ଖରିଫ ଋତୁରେ ଧାନ ଅମଳ କରି ନିଜ ଖଳାରେ ରଖିଥିଲେ । ରବିବାର ରାତିରେ ହଠାତ୍ କୌଣସି କାରଣରୁ ଏହି ଖଳାରେ ରଖାଯାଇଥିବା ଧାନ ଗଦାରେ ନିଆଁ ଲାଗିଯିବା ଫଳରେ ଦୟାସାଗର ଓ ଯୁଧିଷ୍ଠିରଙ୍କ ସମସ୍ତ ଧାନଖରି ପୋଡ଼ିଯାଇ ପାଉଁଶ ହୋଇଯାଇଥିବା ଅଭିଯୋଗ ହୋଇଛି । ରାତି ପ୍ରାୟ ସାଢ଼େ ୧ଟାରୁ ୨ଟା ମଧ୍ୟରେ ଖଳାରେ ହୁହୁ ହୋଇ ନିଆଁ ଜଳୁଥିବା କେତେକ ସ୍ଥାନୀୟ ବାସୀନ୍ଦା ଦେଖି ଯୋରରେ ପାଟି କରି ଅନ୍ୟମାନଙ୍କୁ ଡାକିଥିଲେ । ଏହି ଘଟଣା ପରେ ଅନେକ ଗ୍ରାମବାସୀ ଉଠି ନିଆଁକୁ ଆୟତ କରିବାକୁ ମଧ୍ୟ ଚେଷ୍ଟା କରିଥିଲେ । ଏଥି ସହିତ ଲଖନପୁର ଅଗ୍ନିଶମ ବିଭାଗ ଓ ଇବ୍ ଥର୍ମାଲର ଦମକଳ ବିଭାଗକୁ ଯୋଗାଯୋଗ କରିଥିଲେ । ପରେ ଉଭୟ ବିଭାଗର ଦମକଳ ଗାଡ଼ି ଘଟଣା ସ୍ଥଳରେ ପହଞ୍ଚି କର୍ମଚାରୀମାନେ ନିଆଁକୁ ଆୟତ କରିଥିଲେ । ତେବେ ସେତେବେଳେ ଚାଷୀ ଦୟାସାଗର ଓ ଯୁଧିଷ୍ଠିରଙ୍କ ସମସ୍ତ ଧାନ ଗଦା ପୋଡ଼ି ପାଉଁଶ ହୋଇଯାଇଥିବା ଜଣାପଡ଼ିଛି । ତେବେ ଅନ୍ୟପକ୍ଷରେ ଆଉ ଦୁଇ ଜଣ ଚାଷୀଙ୍କ ଧାନ ଗଦାରେ ନିଆଁ ଲାଗିବା ପୂର୍ବରୁ ନିଆଁକୁ ଆୟତ କରିବାରେ ଅଧିକାରୀମାନେ ସଫଳ ହୋଇଥିଲେ । ଚାଷୀ ଦୟାସାଗରଙ୍କ ଅଭିଯୋଗ ମୁତାବକ ସେ ପ୍ରାୟ ୭ ଏକର ଜମିରେ ଅମଳ କରିଥିବା ଧାନ ଫସଲ ନଷ୍ଟ ହୋଇଥିବା ବେଳେ ଯୁଧିଷ୍ଠିରଙ୍କ ପ୍ରାୟ ଅଢ଼େଇ ଏକର ଜମିରେ ଅମଳ କରିଥିବା ଧାନ ଫସଲ ଖଳାରେ ଥିବା ଧାନ ଗଦାରେ ସମ୍ପୂର୍ଣ୍ଣ ଧାନ ପୋଡ଼ିଯାଇ ଲକ୍ଷାଧିକ ଟଙ୍କାର ଫସଲ କ୍ଷୟକ୍ଷତି ହୋଇଥିବା ଜଣାପଡ଼ିଛି । ଫସଲ ପୋଡ଼ିଯାଇ ନଷ୍ଟ ହୋଇଥିବାରୁ ପରିବାର ଚଲାଇବାକୁ ଆଉ ସେମାନଙ୍କ ଦାନାଟିଏ ମଧ୍ୟ ନଥିବା ପ୍ରକାଶ । ଏନେଇ ଉଭୟ ଦୁଇ ଚାଷୀ କ୍ଷତିପୂରଣ ଦାବି ନେଇ ଲଖନପୁର ଠାରେ ସୋମବାର ଅନୁଷ୍ଠିତ ଜିଲାପାଳଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଲିଖିତ ଦାବି କରିଛନ୍ତି । ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଆକର୍ଷଣ କରି ଏନେଇ କ୍ଷତିଗ୍ରସ୍ତ ଚାଷୀଙ୍କୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରିବା ପାଇଁ ସ୍ଥାନୀୟ ବାସୀନ୍ଦା ଦାବି କରିଛନ୍ତି ।

Leave A Reply