ସମାଜ ପ୍ରଭାବ: ଓଡ଼ିଶା-ଛତିଶଗଡ଼ ସୀମା ବିବାଦ ପ୍ରସଙ୍ଗ, ସୀମାନ୍ତରେ ଫଳକ ଲଗାଇବା କାମ ଆରମ୍ଭ କଲା ପ୍ରଶାସନ

ଝାରସୁଗୁଡ଼ା/କନକତୋରା: ଓଡ଼ିଶା-ଛତିଶଗଡ଼ ସୀମା ବିବାଦ ପ୍ରସଙ୍ଗରେ ଝାରସୁଗୁଡ଼ା ଜିଲା ସୀମାନ୍ତରେ ପ୍ରଶାସନ ପକ୍ଷରୁ ଏକ ସକାରାତ୍ମକ ପଦକ୍ଷେପ ଗ୍ରହଣ କରାଯାଇଛି । ସୀମାନ୍ତରେ ଓଡ଼ିଶାର କୌଣସି ଚିହ୍ନ ବା ଫଳକ ନ ଥିବାରୁ ଛତିଶଗଡ଼ ପୁଲିସ ପ୍ରାୟତଃ ଓଡ଼ିଶା ସୀମାକୁ ପଶି ଆସି ସ୍ଥାନୀୟ ଲୋକଙ୍କୁ ଗିରଫ କରିବା ଓ ଧମକ ଚମକ ଦେବା ଅଭିଯୋଗ ହୋଇ ଆସୁଥିଲା । ତେବେ ଏ ସଂକ୍ରାନ୍ତରେ ଆଜି (୨୧ତାରିଖ) ‘ସମାଜ’ରେ ସ୍ବତନ୍ତ୍ର ଖବର ପ୍ରକାଶିତ ହେବା ପରେ ପ୍ରଶାସନ ପକ୍ଷରୁ ଫଳକ ଲଗାଇବା ପାଇଁ ଲଖନପୁର ବ୍ଲକ କନକତୋରା ଅଞ୍ଚଳର ୬ଟି ସ୍ଥାନ ଚିହ୍ନଟ କରାଯାଇଛି । ୩ଟି ସ୍ଥାନରେ ଫଳକ ଲଗାଇବା ସକା​‌େ​‌ଶ ଗାତ ଖୋଲିବା କାମ ଆରମ୍ଭ ହୋଇଯାଇଥିବା ବେଳେ ଆଗାମୀ ୨/୩ଦିନ ମଧ୍ୟରେ ଫଳକ ଲାଗିଯିବ ବୋଲି ଲଖନପୁର ତହସିଲଦାର ବିଶ୍ବକେଶନ ପାଣ୍ଡେ ସୂଚନା ଦେଇଛନ୍ତି ।

ଜିଲାପାଳ ସରୋଜ ସାମଲଙ୍କ ନିର୍ଦେଶକ୍ରମେ ଆଜି ଲଖନପୁର ତହସିଲଦାର ଶ୍ରୀ ପାଣ୍ଡେ ଓ ବିଡିଓ ସଞ୍ଜୀବ କୁମାର ପଟେଲ ସଦଳବଳେ କ୍ଷେତ୍ର ପରିଦର୍ଶନ କରିଥିଲେ । ଏହିକ୍ରମରେ କନକତୋରା ପଞ୍ଚାୟତ ଅନ୍ତର୍ଗତ ଝାରଗାଁ ସ୍ଥିତ ସାପଖଣ୍ଡି, ଏକତାଲ ରାସ୍ତା ଓ ଜାତୀୟ ରାଜପଥ ୪୯ ସମେତ ଝାରସୁଗୁଡ଼ା ଜିଲା ସୀମାରୁ ଛତିଶଗଡ଼କୁ ଯାଇଥିବା ଅନ୍ୟ ୩ଟି ରାସ୍ତା ପରିଦର୍ଶନ କରିଥିଲେ । ଏହି ସମୟରେ ଓଡ଼ିଶା ସୀମା ଚିହ୍ନଟ କରିବା ସହ ଫଳକ ଲଗାଇବା ପାଇଁ ସ୍ଥାନ ଚିହ୍ନଟ କରିଥିଲେ । ଖାଲି ସେତିକି ନୁହେଁ ଜେସିବି ମେସିନ ଡକାଇ ମାଟି ଖୋଳିବା କାମ ମଧ୍ୟ ଆରମ୍ଭ କରାଯାଇଛି । ଜାତୀୟ ରାଜପଥ ସମେତ ମୁଖ୍ୟତଃ ଉପରୋକ୍ତ ୩ଟି ସ୍ଥାନରେ ସୀମା ବିବାଦ ରହୁଥିବା ବେଳେ ବିଗତ ଦିନରେ ଏହି ସୀମା ଡେଇଁ ଛତିଶଗଡ଼ ପୁଲିସ ଓଡ଼ିଶାର ନାଗରିକଙ୍କୁ ଉଠାଇ ନେଇଥିବାରୁ ପ୍ରାଧାନ୍ୟ ଭିତ୍ତିରେ ଏହି ୩ଟି ରାସ୍ତାରେ ଫଳକ ଲଗାଇବାର ନିଷ୍ପତ୍ତି ଗ୍ରହଣ କରାଯାଇଛି । ତେବେ ଅନ୍ୟ ୩ଟି ରାସ୍ତାରେ ମଧ୍ୟ ଖୁବ୍ ଶୀଘ୍ର ଫଳକ ଲଗାଯିବ ବୋଲି କୁହାଯାଇଛି । ଆଜି ତହସିଲଦାର ଓ ବିଡିଓଙ୍କ ଗସ୍ତ ସମୟରେ ଚାଣ୍ଟିପାଲି ଆରଆଇ ଦିବାକର ଭୋଇ, କନକତୋରା ଆରଆଇ ହେମସାଗର ପଟେଲ, କନକତୋରା ଜିପିଟିଏ ସରପାଲ ସିଂ, କନକତୋରା ଜିଆରଏସ ମନୋଜ ସାହୁ ଓ ସ୍ଥାନୀୟ ନାଗରିକ ସାମିଲ ଭୁଏ ଏବଂ ଦୁର୍ୟୋଧନ ସା ଉପସ୍ଥିତ ଥିଲେ ।

ସୂଚନା ଥାଉ କି, ବର୍ଷକ ପୂର୍ବରୁ ଡିସେମ୍ବର ୭ ତାରିଖରେ କନକତୋରାର ଚାଷୀ କୁନ୍ଦନ ସିଂଦେଓଙ୍କ ଜମିର ଭାଗଚାଷ କରିଥିବା ମନୋଜ ମେହେର ଧାନ ଅମଳ କରି ଘରକୁ ନେବା ସମୟରେ ଛତିଶଗଡ଼ର ରାୟଗଡ଼ ଜିଲା ଜୁଟ ମିଲ୍ ଥାନା ପୁଲିସ ତାଙ୍କୁ ଉଠାଇ ନେବା ସହ ଧାନ ଓ ଗାଡ଼ି ଜବତ କରିଥିଲା । ତେବେ ଏହା ପରେ ବିଧାୟକ କିଶୋର ମହାନ୍ତି କ୍ଷେତ୍ର ପରିଦର୍ଶନ କରି ଉଦ୍‌ବେଗ ପ୍ରକାଶ କରିଥିବା ବେଳେ ଜିଲାପାଳ ସରୋଜ ସାମଲ ସିଏସଆର ପାଣ୍ଠିରୁ ଫଳକ ସ୍ଥାପନ କରାଯିବ ବୋଲି ଘୋଷଣା କରିଥିଲେ । ହେଲେ ଗତ ୧୧ମାସ ହେଲା ଏହା ଥଣ୍ଡା ବାକ୍ସରେ ପଡ଼ିଥିବା ବେଳେ ‘ସମାଜ’ରେ ଖବର ପ୍ରକାଶିତ ହେବା ପରେ ପ୍ରଶାସନର ତତ୍ପରତାକୁ ସାଧାରଣରେ ସ୍ବାଗତ କରାଯାଇଛି । କନକତୋରା ବାସିନ୍ଦା କୁନ୍ଦନ ସିଂଦେଓ କହିଛନ୍ତି, ବିଳମ୍ବ ହେ​‌ଲେ ବି ପ୍ରଶାସନର ଏହି ପଦକ୍ଷେପ ସ୍ବାଗତଯୋଗ୍ୟ । ଏଥିସକାଶେ ଆମେ ଅଞ୍ଚଳବାସୀ ଭାରି ହଇରାଣ ହେଉଥିଲୁ ଓ ଛତିଶଗଡ଼ ପୁଲିସର ଭୟରେ ରହୁଥିଲୁ । ତେବେ ସୂଚନା ଫଳକ ଲାଗିବା ପରେ ଛତିଶଗଡ଼ ଏଣିକି ହୁଏତ ନିଜ ସୀମା ଡେଇଁ ଓଡ଼ିଶାରେ ପ୍ରବେଶ କରିବାର ସାହସ କରିବ ନାହିଁ ବୋଲି କୁନ୍ଦନ ଆଶା ପ୍ରକାଶ କରିଛନ୍ତି । ସ୍ଥାନୀୟ ଲୋକଙ୍କ ସମସ୍ୟା ଉଠାଇଥିବାରୁ ସେ ‘ସମାଜ’କୁ ଧନ୍ୟବାଦ ଦେଇଛନ୍ତି । ତା’ ଛଡ଼ା ଝାରଗାଁର ଝାର(ଜଙ୍ଗଲ)କୁ ଛତିଶଗଡ଼ ନିଜ ସୀମାରେ ଦେଖାଉଥିବାରୁ ଓ ବେଳେ ବେଳେ ସେଠାରୁ ସ୍ଥାନୀୟ ଲୋକଙ୍କୁ ଉଠାଇ ନେଉଥିବାରୁ ଲୋକେ ଜାଲେଣି ସଂଗ୍ରହ ପାଇଁ ଯିବାକୁ ବି ଡରୁଥିଲେ । ତେବେ ଝାରସୁଗୁଡ଼ା ଜିଲା ପ୍ରଶାସନର ଏହି ପଦ​‌େ​‌କ୍ଷପ ପରେ ସେମାନେ ବି ଆଶ୍ବସ୍ତି ପ୍ରକାଶ କରିଛନ୍ତି ।

Comments
Loading...