ବାପାଙ୍କ ପ୍ରତିଶୋଧ ପାଇଁ ଅଧିକାରୀଙ୍କୁ ଅପହରଣ; ୨ଭାଇ ସହ ୮ଗିରଫ, ମାରଣାସ୍ତ୍ର ଜବତ

ଝାରସୁଗୁଡ଼ା: ଝାରସୁଗୁଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀ ମନୋଞ୍ଜନ ପଟ୍ଟନାୟକଙ୍କୁ ଅପହରଣ କରି କେସିଙ୍ଗା ଠାରେ ଛାଡ଼ି ଦେବା ମାମଲାର ଖୁଲାସା ହୋଇଛି । ଶନିବାର ସନ୍ଧ୍ୟା ଜିଲା ପୁଲିସ ମୁଖ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏସ.ପି ରାହୁଲ ପିଆର ଏ ସଂକ୍ରାନ୍ତରେ ସୂଚନା ଦେଇ ୮ଜଣଙ୍କୁ ଗିରଫ କରାଯିବା ସହ ଭିନ୍ନ ଭିନ୍ନ ମାରଣାସ୍ତ୍ର ଜବତ କରାଯାଇଛି ବୋଲି କହିଛନ୍ତି । ୨ଜଣ ଅଭିଯୁକ୍ତ ଭାଇ ତାଙ୍କ ବାପା ବିରୋଧରେ ନିର୍ବାହୀ ଯନ୍ତ୍ରୀ ଶୃଙ୍ଖଳାଗତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚେତାବନୀ ଦେଇଥିବାରୁ ପ୍ରତିଶୋଧ ନେବା ପାଇଁ ଏହି କାଣ୍ଡ ଭିଆଁଇଥିବା ସେ କହିଛନ୍ତି ।

ଏସପି ରାହୁଲ ପିଆର ସାମ୍ବାଦିକମାନଙ୍କୁ ସୂଚନା ଦେଇ କହିଛନ୍ତି ଯେ, ୬ତାରିଖ ରାତି ପ୍ରାୟ ସାଢ଼େ ୧୨ଟାରେ ନିର୍ବାହୀ ଯନ୍ତ୍ରୀ ମନୋରଞ୍ଜନ ପଟ୍ଟନାୟକ ନିଜ ସରକାରୀ ଆବାସରେ ଏକାକୀ ଶୋଇଥିବା ବେଳେ ୫ଜଣ ଅଭିଯୁକ୍ତ ତାଙ୍କ ଘରେ ଜୋର କରି ପଶିବା ସହ ମାରଣାସ୍ତ୍ର ଦେଖାଇ ଟଙ୍କା​‌ ମାଗିଥିଲେ । ​‌ଶ୍ରୀ ପଟ୍ଟନାୟକ ଭୟରେ ତାଙ୍କ ପାଖରେ କେବଳ ୪ହଜାର ଟଙ୍କା ଥିବାରୁ ସବୁ ତକ ଦେଇ ଦେଇଥିଲେ । ହେଲେ ଅଧିକ ଟଙ୍କା ମିିଳିବା ଆଶାରେ ଅଭିଯୁକ୍ତମାନେ ଆସିଥିଲେ ହେଁ ନ ମିିଳିବାରୁ ଗାଳିଗୁଳଜ କରି ଯନ୍ତ୍ରୀଙ୍କ ସୁନା ଚେନ୍ ଛଡ଼ାଇ ନେଇଥିଲେ । ଏହାପରେ ଏଟିଏମ୍ ​‌େ​‌ଚକ୍ ବୁକ୍ ଦେବା ପାଇଁ ବାଧ୍ୟ କରିଥିଲେ ହେଁ ନିର୍ବାହୀ ଯନ୍ତ୍ରୀ ସେମିତି ନ କରିବାରୁ ବ୍ୟାଗ୍ ପତ୍ର ଖୋଜି ଗୋଟିଏ ଚେକ୍ ବୁକ୍ ପାଇଥିଲେ । ଏଣୁ ବନ୍ଧୁକ ଦେଖାଇ ଚେକ୍‌ରେ ୩ଲକ୍ଷ ଟଙ୍କା ଲେଖି ଦସ୍ତଖତ କରିବାକୁ ବାଧ୍ୟ କରିଥିଲେ । ଏହା ପରେ ସେମାନେ ଆସିଥିବା ଧଳା ବୋଲୋରୋ (ଓଡି ୦୮କେ ୨୬୨୩)ରେ ତାଙ୍କୁ ଜୋର ଜବରଦସ୍ତ ବସାଇ ନେଇ ଯାଇଥିଲେ । ତେ​‌େ​‌ବ ମୋଟା ରକମର ଅର୍ଥ ଲାଳସାରେ ଆସିଥିବା ଅଭିଯୁକ୍ତମାନେ ଚେକ୍‌ରେ ସନ୍ତୁଷ୍ଟ ନ ହୋଇ କୌଣସି ଠିକାଦାର କିମ୍ବା ଅଧିକାରୀ ଠାରୁ ୩ଲକ୍ଷ ଟଙ୍କା ମଗାଇବାକୁ ବାଧ୍ୟ କରିଥିଲେ । ଏଣୁ ନିର୍ବାହୀ ଯନ୍ତ୍ରୀ ନିଜ ବିଭାଗରେ କାମ କରୁଥିବା ଜଣେ ଠିକାଦାର ଶ୍ରୀନିବାସ ପ୍ରଧାନଙ୍କୁ ଫୋନ୍ କରି ସହାୟତା ମାଗିବା ସହ ଟଙ୍କା ପଠାଇବା ପାଇଁ କହିଥିଲେ । ଏହା ମଧ୍ୟରେ ଅଭିଯୁକ୍ତମାନେ ତାଙ୍କୁ ସମ୍ବଲପୁର, ବରଗଡ଼ ରାସ୍ତାରେ କଳାହାଣ୍ଡି ଜିଲାକୁ ନେଇ ଯାଇଥିଲେ ହେଁ ୭ତାରିଖ ମଧ୍ୟାହ୍ନ ପର୍ୟ୍ୟନ୍ତ ଟଙ୍କା ନ ଆସିବାରୁ ଧରା ପଡ଼ିଯିବା ଭୟରେ କେସିଙ୍ଗାରୁ ୬/୭ କିଲୋମିଟର ଦୂରରେ ଯନ୍ତ୍ରୀଙ୍କୁ ଏକ ନିଛାଟିଆ ରାସ୍ତାରେ ଓହ୍ଲାଇ ଦେଇ ଫେରାର ହୋଇ ଯାଇଥିଲେ । ଶ୍ରୀ ପଟ୍ଟନାୟକ କୌଣସି ପ୍ରକ​‌ାରେ କେସିଙ୍ଗା ଥାନାରେ ପହଞ୍ଚି ସବୁ କଥା କହିବା ପରେ ସେଠାକାର ପୁଲିସ ଝାରସୁଗୁଡ଼ା ପୁଲିସ ସହ ଯୋଗାଯୋଗ କରିଥିଲା । ପରେ ଝାରସୁଗୁଡ଼ା ପୁଲିସ ତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ଏଠାକୁ ଆଣିଥିଲା ।

ଅପହରଣର ଉଦ୍ଦେଶ୍ୟ ସଂକ୍ରାନ୍ତରେ ଏସପି କହିଛନ୍ତି ଯେ, ଟିଟିଲାଗଡ଼ ସତୀଘାଟର ମୂଳ ନିବାସୀ ତଥା ଏବେ ଝାରସୁଗୁଡ଼ା ଆରଡବ୍ଲୁ କଲୋନୀରେ ରହୁଥିବା ଅଭିଯୁକ୍ତ ଶିବ ତାଣ୍ଡି(୨୬) ଓ ତୋଫାନ ତାଣ୍ଡି(୨୦)ଙ୍କ ବାପା ରବି ତାଣ୍ଡି ଗ୍ରାମ୍ୟ ଉନ୍ନୟନ ବିଭାଗର ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବେ କାମ କରନ୍ତି । ରବି ତାଣ୍ଡି କାହାରିକୁ କିଛି ନ କହି ଅଫିସରୁ କ୍ରମାଗତ ଭାବେ ଅନୁପସ୍ଥିତ ରହୁଥିବାରୁ ନିର୍ବାହୀ ଯନ୍ତ୍ରୀ କାର୍ୟ୍ୟାନୁଷ୍ଠାନ ପାଇଁ ଚେତାବନୀ ଦେଇଥିଲେ । ଏହାର ପ୍ରତିଶୋଧ ନେବା ପାଇଁ ଦୁଇ ପୁଅ ଶିବ ଓ ତୋଫାନ, ଟିଟିଲାଗଡ଼ର ପଙ୍କଜ ବାଗ(୨୨), ଲଲିତ ତାଣ୍ଡି(୨୫), ବୁୁଲୁ ମନହିରା(୨୬), ମୁରିବାହାଲର ପ୍ରକାଶ ମହାକୁଡ଼(୨୩), ମୁରିବାହାଲର ନିରଞ୍ଜନ ଆଚାରୀ(୨୨) ସହିତ ମିଶି ଏହି ଅପହରଣ କରିଥିଲେ । ସେମାନେ ଛଡ଼ାଇ ନେଇଥିବା ୧୫.୭୦୦ଗ୍ରାମ ଓଜନର ସୁନା ଚେନ୍ ଟିଟିଲାଗଡ଼ର ସଞ୍ଜୟ ସୋନୀ ନିକଟରେ ବିକିଥିଲେ । ପୁଲିସ ଏହି ୮ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ ବୋଲୋରୋ, ସୁନା ଚେନ୍, ବନ୍ଧୁକ, ୨ଟି ଭୁଜାଲି ଓ ଖଣ୍ଡା, ୯ଟି ମୋବାଇଲ ଜବତ କରିଛି । ଅଭିଯୁକ୍ତମାନଙ୍କର କିଛି ଅପରାଧିକ ପୃଷ୍ଠଭୂମି ଅଛି କି ତାହାର ତଦନ୍ତ ଚାଲିଛି ବୋଲି ଏସପି କହିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ଏସପି ନୃପରାଜ ଡନସେନା, ଏସଡିପିଓ କୈଳାଶ ଆଚାର୍ୟ୍ୟ ଏବଂ ଟାଉନ ଥାନାଧିକାରୀ ତଥା ତଦନ୍ତ ଅଧିକାରୀ ସାବିତ୍ରୀ ବଳ ଉପସ୍ଥିତ ଥିଲେ ।

Comments are closed.