ଝାରପଡ଼ା ଜେଲ ପରିସରରେ, ମିଳିବ କଏଦୀଙ୍କ ପ୍ରସ୍ତୁତ ସାମଗ୍ରୀ

ଭୁବନେଶ୍ୱର: ଏଣିକି ବନ୍ଦୀ ଜୀବନ ବିତାଉଥିବା କଏଦୀଙ୍କ ଦ୍ବାରା ପ୍ରସ୍ତୁତ ସାମଗ୍ରୀ ଜେଲ ପରିସରରେ ଖୋଲାଯାଇଥିବା ସ୍ବତନ୍ତ୍ର କାଉଣ୍ଟରରେ ଉପଲବ୍ଧ ହେବ। ଏଥିପାଇଁ ଝାରପଡା ସ୍ବତନ୍ତ୍ର ଜେଲରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଜେଲ ଦଣ୍ଡାଦେଶ ଭୋଗୁଥିବା ବନ୍ଦୀ ଓ ବିଚାରାଧୀନ ବନ୍ଦୀଙ୍କ ଦ୍ବାରା ପ୍ରସ୍ତୁତ ସାମଗ୍ରୀ ବିକ୍ରି କରାଯିବା ସହ ସେମାନଙ୍କ ସୁବିଧା ଲାଗି ଜେଲ ଭିତରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି।

ଝାରପଡା ଜେଲ ଅଧୀକ୍ଷକ ଧୀରେନ ବାରିକ ଏ ନେଇ ସୂଚନା ଦେଇ କହିଛନ୍ତି ଯେ କଏଦୀଙ୍କ ମାନସିକତାରେ ପରିବର୍ତ୍ତନ ଲାଗି ସାଉଣ୍ଡ ସିଷ୍ଟମର ବ୍ୟବସ୍ଥା କରାଯାଇଛି। ପ୍ରତ୍ୟହ ସକାଳ ଓ ସନ୍ଧ୍ୟାରେ ମନ୍ତ୍ର ଉଚ୍ଚାରଣ ସହ ଭଜନ ଓ ପ୍ରବଚନ ପରିବେଷଣ କରାଯିବ। ଜାତୀୟ ମାନବାଧିକାର ଆେୟାଗଙ୍କ ଗାଇଡ ଲାଇନ ଅନୁସାରେ ଯେଉଁ ବନ୍ଦୀଙ୍କର ଆତ୍ମହତ୍ୟା ପ୍ରବୃତ୍ତି ରହିଛି ସେମାନଙ୍କୁ ଏଥିରୁ ନିବୃତ୍ତ କରିବା ଲାଗି ଏପରି ବ୍ୟବସ୍ଥା ହୋଇଛି। ଏହାଛଡା ପ୍ରୋଜେକ୍ଟର ମାଧ୍ୟମରେ ପ୍ରତି ରବିବାର ସନ୍ଧ୍ୟାରେ ଦେଶାତ୍ମବୋଧ ଓ ପ୍ରେରଣାଦାୟୀ ଫିଲ୍ମ ପ୍ରଦର୍ଶିତ ହେବ। ବନ୍ଦୀଙ୍କୁ ସ୍ବାବଲମ୍ବୀ କରିବା ଲାଗି ଜେଲ ଭିତରେ ଏକ ହଳଦୀ ପ୍ରକ୍ରିୟାକରଣ ୟୁନିଟ ସ୍ଥାପନ କରାଯାଇଛି। ଏଠାରୁ ଉତ୍ପାଦିତ ହଳଦୀ ଗୁଣ୍ଡକୁ ଜେଲ ପରିସରରେ ଖୋଲାଯିବାକୁ ଥିବା ଷ୍ଟଲରେ ବିକ୍ରି ପାଇଁ ରଖାଯିବ। ଏହି ଯୋଜନା ସଫଳ ହେଲେ ଆଗାମୀ ଦିନରେ ଅଟା ଓ ସୋରିଷ ତେଲ ପ୍ରକ୍ରିୟାକରଣ ୟୁନିଟ ସ୍ଥାପନ କରାଯିବାର ଯୋଜନା ରହିଛି ବୋଲି ଶ୍ରୀ ବାରିକ ସୂଚନା ଦେଇଛନ୍ତି। ଏହାଛଡା ଆକ୍ବା ଫାର୍ମି ପ୍ରକ୍ରିୟାରେ ମାଛଚାଷ, ବାୟୋ କମ୍ପୋଷ୍ଟ ପ୍ରସ୍ତୁତ କରାଯିବାର ଯୋଜନା ରହିଛି। ସେହିପରି ପ୍ରାୟ ୮ହଜାର ଗେଣ୍ଡୁଚାରା ରୋପଣ କରାଯାଇଛି। ଫୁଲ ଫୁଟିବା ପରେ ଏସବୁ ମଧ୍ୟ ଷ୍ଟଲରେ ବିକ୍ରି କରାଯିବ। ବନ୍ଦୀଙ୍କ ସୁବିଧା ଲାଗି ଗରମ ଓ ଥଣ୍ଡା ପାନୀୟ ଜଳ ମେସିନ ସ୍ଥାପନ କରାଯାଇଛି। ମହିଳା ୱାର୍ଡରେ ବନ୍ଦୀଙ୍କ ସହ ସେମାନଙ୍କ ଛୋଟ ପିଲା ରହୁଛନ୍ତି। ସେମାନଙ୍କ ଖାଦ୍ୟକୁ ଗରମ ରଖିବା ଲାଗି ହଟକେସ ପ୍ରଦାନ କରାଯାଇଛି ବୋଲି ଶ୍ରୀ ବାରିକ ସୂଚନା ଦେଇଛନ୍ତି।

Comments are closed.