ଝାଡ଼ଖଣ୍ଡ ଜନାଦେଶ

ଜନତାଙ୍କ ଆସ୍ଥା ପୁନର୍ଭାଜନ ହେବାରେ ବିଜେପି ବିଫଳ

ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଫଳାଫଳ ନେଇ ଶାସକ ଦଳ ବିଜେପି, ବିଶେଷ କରି ମୋଦୀ-ଶାହା ଯୋଡ଼ିଙ୍କର ପ୍ରତିକ୍ରିୟା କ’ଣ ହୋଇପାରେ? ସେମାନେ ନିଶ୍ଚୟ ଉଦାରତାର ସହ ଏହାକୁ ଗ୍ରହଣ କରିପାରୁ ନଥିବେ। ଅବଶ୍ୟ ପରାଜୟର ଗ୍ଲାନିକୁ ଲୁଚାଇ ଏତିକି ନିଶ୍ଚୟ କହିବେ ଯେ ଫଳାଫଳ ଆଶାର ବିପରୀତ ହୋଇଛି ଏବଂ କଠୋର ପରିଶ୍ରମ ସତ୍ତ୍ବେ ଜନାଦେଶ ସେମାନଙ୍କ ସପକ୍ଷରେ ଯାଇନଥିବାରୁ ଜନତାଙ୍କ ରାୟକୁ ମୁଣ୍ଡପାତି ଗ୍ରହଣ କରିନେଉଛୁ। ହାରିବା ଦଳ ଏମିତି କହନ୍ତି ଏବଂ ଏଥିରେ କିଛି ନୂତନତ୍ବ ନାହିଁ; କିନ୍ତୁ ବିଜେପିର ନେତାମାନଙ୍କୁ ସ୍ବୀକାର କରିବାକୁ ପଡ଼ିବ ଯେ ସେମାନେ ଝାଡ଼ଖଣ୍ଡରେ ଜନତାଙ୍କ ଆସ୍ଥା ପୁନଃ ହାସଲ କରିବା ପାଇଁ ଯାହା କିଛି କରିବାର ଥିଲା ସେଥିରେ ବିଫଳ ହୋଇଛନ୍ତି। ଫଳାଫଳ ଧାରାର ଶେଷ ସୂଚନା ଅନୁସାରେ ମୋଟ ୮୧ ଆସନ ବିଶିଷ୍ଟ ବିଧାନସଭାରେ ବିଜେପି ମାତ୍ର ୨୪ଟି ଆସନରେ ବିଜୟୀ ହୋଇପାରେ। ଅପରପକ୍ଷରେ ଜେଏମଏମ୍‌, କଂଗ୍ରେସ ଓ ଆର୍‌ଜେଡି ମେଣ୍ଟର ପ୍ରାର୍ଥୀମାନେ ୪୬ ଟି ଆସନରେ ବହୁ ଭୋଟରେ ଆଗୁଆ ରହି ବିଜୟ ସମ୍ଭାବନାକୁ ପ୍ରାୟ ନିଶ୍ଚିତ କରିଦେଇଛନ୍ତି। ଜାମଶେଦ୍‌ପୁର (ପୂର୍ବ) ଆସନରୁ ସ୍ବୟଂ ମୁଖ୍ୟମନ୍ତ୍ରୀ ରଘୁବର ଦାସ ସ୍ବାଧୀନ ପ୍ରାର୍ଥୀ ସରଜୁ ରାୟଙ୍କଠାରୁ ସାତହଜାରରୁ ଅଧିକ ଭୋଟରେ ପଛରେ ଅଛନ୍ତି। ଏକଦା ରଘୁବରଙ୍କ ମନ୍ତ୍ରିପରିଷଦର ସଦସ୍ୟ ଥିବା ସରଜୁ ଟିକଟ ନ’ପାଇବାରେ ବିଦ୍ରୋହୀ ପ୍ରାର୍ଥୀ ଭାବେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ପ୍ରତିଦ୍ବନ୍ଦ୍ବିତା କରିଥିଲେ।
ବିଜେପିର ଏହି ପରାଜୟ ସ୍ଥାନୀୟ ରାଜନୀତି, ପ୍ରାଦେଶିକ ଶାସନ ଓ ଦଳମଧ୍ୟରେ ଥିବା ପ୍ରବଳ ଗୋଷ୍ଠୀ କନ୍ଦଳ ଓ ଅସନ୍ତୋଷ ଯୋଗୁ ହୋଇଛି କହିଲେ ଅତ୍ୟୁକ୍ତି ହେବନାହିଁ। ଏହାଛଡ଼ା କେନ୍ଦ୍ର ସରକାରଙ୍କର କିଛି ସଂାପ୍ରତିକ ନିଷ୍ପତ୍ତି ଓ ତତ୍‌ଜନିତ ଜନପ୍ରତିକ୍ରିୟା ମଧ୍ୟ ଦଳର ପରାଜୟ ପାଇଁ କେତେକାଂଶରେ ଦାୟୀ ବୋଲି କୁହାଯାଇପାରେ। ପ୍ରଥମତଃ ଝାଡ଼ଖଣ୍ଡ ବିଜେପି​‌େ​‌ର ଗୋଷ୍ଠୀକନ୍ଦଳ ତୀବ୍ର ଥିଲା। ଛତିଶଗଡ଼ର ମୂଳବାସିନ୍ଦା ରଘୁବର ଦାସ ଶ୍ରମିକ ରାଜନୀତିରୁ ସଂଘ ପରିବାରକୁ ଆସିଥିଲେ। ଇସ୍ପାତ କାରଖାନା ଶ୍ରମିକ ସଂଘରୁ ତାଙ୍କୁ ଗୋବିନ୍ଦାଚାର୍ଯ୍ୟ ସଂଘକୁ ଆଣିବା ପଛରେ ଥିଲା ରଘୁବରଙ୍କ ସାଂଗଠନିକ ଦକ୍ଷତା ଓ ଜାତିବାଦୀ ସମୀକରଣ। ସେ ଶାହା ମୋଦୀଙ୍କ ଜାତିର ପ୍ରତିନିଧିତ୍ବ କରନ୍ତି ଏବଂ ତାଙ୍କ ଜରିଆରେ ରାଜ୍ୟର ୪୬ ଶତାଂଶ ଓବିସି ବର୍ଗର ଭୋଟ ବ୍ୟାଙ୍କକୁ ସୁଦୃଢ଼ କରିବାକୁ ଉଦ୍ୟମ କରାଯାଇଥିଲା। ଅପରପକ୍ଷରେ ରାଜ୍ୟରେ ଆଦିବାସୀ ଜନସଂଖ୍ୟା ଅନୁପାତ ମୋଟ ଲୋକସଂଖ୍ୟାର ୨୬.୩ ଶତାଂଶ। ସେଇଭଳି ରାଜ୍ୟରେ ଆଗୁଆ ଜାତିଙ୍କର ଲୋକସଂଖ୍ୟା ୨୫% ହୋଇଥିବାବେଳେ ମୁସଲମାନ, ଖ୍ରୀଷ୍ଟିୟାନ, ତଫସିଲଭୁକ୍ତ ଜାତିର ଲୋକସଂଖ୍ୟା ଯଥାକ୍ରମେ ୧୪%, ୪.୩% ଓ ୧୨.୮ ଶତାଂଶ। ଝାଡ଼ଖଣ୍ଡ ରାଜନୀତିରେ ଆଦିବାସୀଙ୍କ ବିଶେଷ ଗୁରୁତ୍ବ ରହିଆସିଛି। ବିଜେପି ସହ ଏହି ବର୍ଗର କେତେକ ଦଳ ମେଣ୍ଟ କରି ଅତୀତରେ କ୍ଷମତାରେ ରହିଥିଲେ ହେଁ ନୂଆ ସମୀକରଣରେ ସେମାନେ ଦୂରେଇ ଯାଇଛନ୍ତି। ଓବିସି ଓ ଅଣ-ଝାଡ଼ଖଣ୍ଡୀଙ୍କ ପ୍ରାଧାନ୍ୟ ବୃଦ୍ଧି, ମୂଳ ଜନତା, ବିଶେଷକରି ଆଦିବାସୀଙ୍କୁ ଶୋଷଣ ଆଦି କାରଣରୁ ବିଜେପି ନିଶାଣରେ ଥିଲା। ଆହୁରି ମଧ୍ୟ ରାଜ୍ୟର ମୁସଲମାନ, ତଫସିଲଭୁକ୍ତ ଜାତିର ଲୋକ ଓ କେତେକ ଅନଗ୍ରସର ବର୍ଗର ଲୋକମାନେ ରଘୁବର ଦାସଙ୍କ ଶାସନରେ ସନ୍ତୁଷ୍ଟ ନ’ଥିଲେ। ଏହା ବ୍ରାହ୍ମଣ, ରାଜପୁତ, କାୟସ୍ଥ ଓ କିଛି ଓବିସିବର୍ଗର ସରକାର ବୋଲି ସାଧାରଣରେ ଏକ ଧାରଣା ବଦ୍ଧମୂଳ ହୋଇଥିଲା। ସହର ଓ ଗ୍ରାମାଞ୍ଚଳରେ ଦଳପ୍ରତି ଦୁଇପ୍ରକାର ବିଚାର ଥିଲା ଏବଂ ଗାଁ ଲୋକେ ବିଜେପିକୁ ସହରସର୍ବସ୍ବ ଓ ଧନାଢ଼୍ୟଙ୍କ ଦଳଭାବେ ବିଚାର କରୁଥିଲେ। ତେଣୁ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା, କଂଗ୍ରେସ ଓ ଆରଜେଡ଼ି ମିଳିତଭାବେ ଲଢ଼ିବାରୁ ନିଜନିଜର ଭୋଟବ୍ୟାଙ୍କର ସମର୍ଥନରେ ବିଜୟୀ ହୋଇଛନ୍ତି । ମୁସଲମାନ, ଖ୍ରୀଷ୍ଟିୟାନ, ଦଳିତ, ଆଦିବାସୀ, ମହାଦଳିତଙ୍କ ମିଳିତ ଭୋଟ ବିଜେପିକୁ କ୍ଷମତାଚ୍ୟୁତ କରିବାରେ ସଫଳ ହୋଇଛି।
ପାଞ୍ଚପର୍ଯ୍ୟାୟରେ ଏହି ନିର୍ବାଚନ କାଳରେ ଏନ୍‌ଆରସି ଏବଂ ସିଏଏ ପ୍ରତିବାଦ ଓ ଆନ୍ଦୋଳନ ଦେଶବ୍ୟାପୀ ତୀବ୍ର ହୋଇଥିଲା। ଏଇ ସମୟ ମଧ୍ୟରେ ପିଆଜ ଭଳି ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ମୂଲ୍ୟ ଆକାଶଛୁଆଁ ହେବା ସହ ଦେଶର ଅର୍ଥନୈତିକ ସ୍ଥିତି ମଧ୍ୟ ନିମ୍ନମୁଖୀ ଥିଲା। ଏହାଛଡ଼ା ବ୍ୟାପକ ବେକାରୀ ଓ ନିଯୁକ୍ତିର ଅଭାବଜନିତ ପୁଞ୍ଜିଭୂତ ଜନଅସନ୍ତୋଷ ଯେ ନିର୍ବାଚନର ଫଳାଫଳକୁ ପ୍ରଭାବିତ କରିଛି ଏହାକୁ ସ୍ବୀକାର କରିବାକୁ ପଡ଼ିବ। ଦଳରେ ବିଦ୍ରୋହ ଦମନ କରିବାକୁ ଯାଇ ଝାଡ଼ଖଣ୍ଡରେ ବିଜେପି ନେତାଙ୍କ ବହିଷ୍କରଣର ଯେଉଁ ମହାପର୍ବ ଆରମ୍ଭ କରିଥିଲା ତାହା ବୁମେରାଂ ପାଲଟିଛି। ସୁଶାସନ, ସମୃଦ୍ଧଭାରତ, ଗଠନ ଭଳି ବିଜେପିର ଆହ୍ବାନ ତୃଣମୂଳସ୍ତରରେ ଠିକ୍‌ ଭାବେ କାମ କରିନି ଏବଂ ଦଳର ନିର୍ବାଚନ ରଣନୀତି ତ୍ରୁଟିପୂର୍ଣ୍ଣ ଥିଲା, ଏକଥା ଏହାର ନେତାମାନେ ଅବଶ୍ୟ ସ୍ବୀକାର କରିବେ। ପ୍ରାଦେଶିକ ନିର୍ବାଚନରେ ମୋଦୀ ଶାହାଙ୍କର ଯାଦୁ ଆଉ କାମ କରୁନାହିଁ, ଏହା ପ୍ରମାଣିତ ହୋଇଗଲାଣି। ସେଇଭଳି ମିତ୍ରଦଳମାନଙ୍କୁ ବଢ଼ିବାର ସୁଯୋଗ ନ’ଦେଇ ବିଜେପି ପ୍ରାଦେଶିକ ସ୍ତରରେ ରାଜନୈତିକ କାୟାବିସ୍ତାର କରିଚାଲିଥିବାରୁ ଏହାକୁ ସହଯୋଗୀଦଳ ସନ୍ଦେହ ଚକ୍ଷୁରେ ଦେଖିଲେଣି। ମହାରାଷ୍ଟ୍ରରେ ଏହି କାରଣରୁ ବିଜେପିର ପୁନର୍ବାର କ୍ଷମତା ଆରୋହଣ ପର୍ବ ଅଟକିଗଲା। ଓଡ଼ିଶାରେ ନବୀନ ପଟ୍ଟନାୟକ ବହୁ ଆଗରୁ ବିଜେପିର ସାଙ୍ଗ ଏଇଥିପାଇଁ ଛାଡ଼ିବାକୁ ବାଧ୍ୟ ହୋଇଥିଲେ। ଝାଡ଼ଖଣ୍ଡରେ ତାହା ମଧ୍ୟ ପ୍ରମାଣିତ ହୋଇଛି ଏବଂ ବିହାରରେ ନୀତୀଶ କୁମାର ଦ୍ବିତୀୟ ଥର ମଧ୍ୟ ବିଜେପିକୁ ଝଟ୍‌କା ଦେଇପାରନ୍ତି।
କଂଗ୍ରେସମୁକ୍ତ ଭାରତ ଆହ୍ବାନ ଦେଇ ମୋଦୀ-ଶାହା ଯୋଡ଼ି ଯେଉଁ ବିଜୟ ଅଶ୍ବ ଛୁଟାଇଥିଲେ ତାହା ଠୋକର ଖାଇଲାଣି। ଏବେ ବିଜେପି ଓ ଏନ୍‌ଡିଏର କାୟା ସଂକୁଚିତ ହେବାକୁ ଲାଗିଲାଣି। ମିଳିତ ଲଢ଼େଇ ଦ୍ବାରା ବିଜେପିକୁ ହରାଇ ହେବ ଏହା ପ୍ରମାଣିତ ହେଲାଣି। ନିର୍ବାଚନରେ ଜୟପରାଜୟ ବଡ଼ କଥା ନୁହେଁ, ଗୁରୁତ୍ବପୂର୍ଣ୍ଣ ହେଉଛି ଦଳ ପାଇଁ ଏକ ଦୀର୍ଘମିଆଦୀ ରଣନୀତି ପ୍ରସ୍ତୁତ କରିବା ଏବଂ ବିଶ୍ବାସୀ ମିତ୍ରଙ୍କୁ ସାଙ୍ଗରେ ଧରି ଆଗକୁ ବଢ଼ିବା। ବିଜେପି ଏଇ ନିର୍ବାଚନରେ ଫଳାଫଳକୁ ସମୀକ୍ଷା କରିବାବେଳେ ବାସ୍ତବତାକୁ ଖୋଜି ବାହାର କରିବ ବୋଲି ଆଶା।

Comments are closed.