ଝାଡଖଣ୍ଡ ଏକଜିଟ୍‌ପୋଲ ସର୍ଭେ: କ୍ଷମତା​‌ ହରାଇବ ବିଜେପି

ଜେଏମଏମ୍ ନେତୃତ୍ବ ମେଣ୍ଟକୁ ମିଳିବ ବହୁମତ

ନୂଆଦିଲ୍ଲୀ: ଝାଡଖଣ୍ଡ ବିଧାନସଭା ନିର୍ବାଚନରେ ରଘୁବର ଦାସଙ୍କ ନେତୃତ୍ବ ବିଜେପି ସରକାର କ୍ଷମତା ହରାଇବାର ଆଶଙ୍କା ସୃଷ୍ଟି ହୋଇଛି। ଅନ୍ୟପଟେ ହେମନ୍ତ ସୋରେନଙ୍କ ନେତୃତ୍ବ ଜେଏମ୍ଏମ୍-କଂଗ୍ରେସ ଓ ଆରଜେଡି ମେଣ୍ଟ ବହୁମତ ହାସଲ ପୂର୍ବକ ସରକାର ଗଠନ କରିବାର ସମ୍ଭାବନା ରହିଥିବା ଏକଜିଟ୍ ପୋଲ ସର୍ଭେ (ବୁଥ ଫେରନ୍ତା ଜନମତ)ରୁ ଜଣାଯାଇଛି। ଶୁକ୍ରବାର ଅନ୍ତିମ ପର୍ଯ୍ୟାୟ ମତଦାନ ପରେ ପ୍ରକାଶିତ ପୋଲ ଅଫ ଏକଜିଟ୍ ପୋଲ ସର୍ଭେ ଅନୁଯାୟୀ ଜେଏମ୍ଏମ୍-କଂଗ୍ରେସ-ଆରଜେଡି ମେଣ୍ଟ ୪୧ଟି ଆସନ ପାଇ ସରକାର ଗଠନ କରିବ। ଶାସକ ବିଜେପି ୨୯, ଜେଭିଏମ୍ ଏବଂ ଏଜେଏସୟୁ ୩ଟି ଲେଖାଏଁ ଆସନ ପାଇବେ। କେତେକ ଏକଜିଟ୍‌ ପୋଲ ଏଜେନ୍ସି କୌଣସି ଦଳକୁ ବହୁମତ ନ ମିଳିବା ​‌ନେଇ ଆଶଙ୍କା କରିଛନ୍ତି। ୮୧ ଆସନ ବିଶିଷ୍ଟ ବିଧାନସଭାରେ ସଂଖ୍ୟା ଗରିଷ୍ଠତା ପାଇଁ ୪୧ଟି ଆସନ ଆବଶ୍ୟକ। ଆଇଏଏନଏସ୍-ସି ଭୋଟର ସର୍ଭେ ଅନୁଯାୟୀ ଜେଏମଏମ୍-କଂଗ୍ରେସ-ଆରଜେଡି ମେଣ୍ଟ ୩୧ରୁ ୩୯ଟି ଆସନ ପାଇବାକୁ ଥିବାବେଳେ ବିଜେପି ୨୮ରୁ ୩୬ ଆସନ ପାଇବ। ଛୋଟ ଦଳ ଏଜେଏସୟୁ ୩ରୁ ୭ ଓ ବାବୁଲାଲ ମାରାଣ୍ଡିଙ୍କ ଜେଭିଏମ୍‌ ୧ରୁ ୪ଟି ଆସନ ପାଇବ। ଇଣ୍ଡିଆ ଟୁଡେ-ଆକ୍ସିସ ମାଇଁ ଇଣ୍ଡିଆର ସର୍ଭେ ଅନୁଯାୟୀ ବିଜେପି ୨୨ରୁ ୩୨ ଆସନ ପାଇବ ଓ ଜେଏମଏମ-କଂଗ୍ରେସ-ଆରଜେଡି ମେଣ୍ଟ ୩୮ରୁ ୫୦ ଆସନ ପାଇବ। ସେହିପରି ଜେଭିଏମ୍‌ ୨ରୁ ୪ ଓ ଏଜେଏସୟୁ ୩ରୁ ୫ ଆସନ ପାଇବ। ସ୍ବାଧୀନ ଓ ଅନ୍ୟାନ୍ୟ ଦଳ ୪ରୁ ୭ ଆସନ ପାଇବେ। ଟାଇମ୍ସ ନାଓ ଏକଜିଟ୍‌ ପୋଲ ଅନୁଯାୟୀ ଜେଏମଏମ୍ ମେଣ୍ଟ ୪୪ଟି ଆସନ ଓ ବିଜେପି ୨୮ଟି ଆସନ ପାଇବ। ୨୦୧୪ ବିଧାନସଭା ନିର୍ବାଚନରେ ବିଜେପି ଏକାକୀ ୪୪ଟି ଆସନରେ ବିଜୟୀ ହୋଇ ସରକାର ଗଠନ କରିଥିଲା। ଏଜେଏସୟୁ ୨୦୧୪ ନିର୍ବାଚନରେ ବିଜେପି ସହିତ ମେଣ୍ଟ କରି ୫ଟି ଆସନରେ ବିଜୟୀ ହୋଇଥିଲା। ଚଳିତ ବର୍ଷ ନିର୍ବାଚନରେ ଏଜେଏସୟୁ ଏନଡିଏ ମେଣ୍ଟରୁ ଓହରିଯାଇଛି। ତେବେ ଦଳର ମୁଖ୍ୟ ସୁଦେଶ ମହାତୋ କହିଛନ୍ତି ଯେ ବିଜେପି ସହିତ ପୁନର୍ବାର ମେଣ୍ଟ କରିବାରେ କୌଣସି ସମସ୍ୟା ନାହିଁ। ଅତୀତରେ ଝୁଲା ବିଧାନସଭାକୁ ନେଇ କର୍ଣ୍ଣାଟକ ଓ ମହାରାଷ୍ଟ୍ରରେ ରାଜନୈତିକ ନାଟକ ସରଗରମ ହୋଇଥିବାବେଳେ ଝାଡଖଣ୍ଡରେ ଏବେ ଏହା ପୁନରାବୃତ୍ତି ହେବାର ଆଶଙ୍କା କରାଯାଇଛି।

Comments are closed.