ପୁଣିଥରେ ଧୋନୀ ପିନ୍ଧିବେ ନୀଳ ଜର୍ସି

ରାଞ୍ଚିରେ ଧୋନୀଙ୍କ ପାଇଁ ବିଦାୟୀ ମ୍ୟାଚ୍ ଆୟୋଜନ କରିବାକୁ ବିସିସିଆଇକୁ ଅନୁରୋଧ କଲେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ

ରାଞ୍ଚି : ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା ତାରକା କ୍ରିକେଟର ମହେନ୍ଦ୍ର ସିଂହ ଧୋନୀ ଶନିବାର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଛନ୍ତି। ଧୋନୀ ଶେଷ ଥର ପାଇଁ ଜୁଲାଇ ୨୦୧୯ ରେ ବିଶ୍ୱକପ୍ ସେମିଫାଇନାଲରେ ଭାରତ ପାଇଁ ଏକ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ, କିନ୍ତୁ ଏହା ପରେ ଦଳଠାରୁ ଦୂରରେ ଥିଲେ। ହଠାତ ଗତକାଲି ଧୋନୀଙ୍କ ଅବସର ନେବା ନିଷ୍ପତ୍ତି ତାଙ୍କ ପ୍ରଶଂସକଙ୍କ ସମେତ ସମସ୍ତଙ୍କୁ ଚକିତ କରିଛି। ଏହି କାରଣରୁ ଭାରତୀୟ କ୍ରିକେଟ ଇତିହାସର ସଫଳତମ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ପାଇଁ ବିଦାୟୀ ମ୍ୟାଚ ଆୟୋଜନ କରିବାର ଚର୍ଚା ଆରମ୍ଭ ହୋଇଯାଇଛି।


ଏକ ଛୋଟ ସହରରୁ ଭାରତୀୟ କ୍ରିକେଟକୁ ଧୋନୀଙ୍କ ଯାତ୍ରାକୁ ବେଶ ରୋଚକ ରହିଥିଲା। ଭାରତୀୟ କ୍ରିକେଟ ଜଗତର ଜଣେ ସଫଳ ଅଧିନାୟକ ଭାବେ ଧୋନୀ ଭାରତକୁ ସମସ୍ତ ଫର୍ମାଟରେ ବିଶ୍ଵ ବିଜେତା କରିପାରିଥିଲେ । ଭାରତୀୟ କ୍ରିକେଟକୁ ସଫଳତାର ଶିର୍ଷରେ ପହଞ୍ଚିାଇଥିବା ମହେନ୍ଦ୍ର ସିଂହ ଧୋନୀ ହଠାତ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିବେ ତାହା ତାଙ୍କ ପ୍ରଶଂସକ ବିଶ୍ଵାସ କରିପାରୁନାହାନ୍ତି। ସମସ୍ତଙ୍କ ଗୋଟିଏ ଇଚ୍ଛା ଧୋନୀ ଶେଷ ଥର ପାଇଁ ଭାରତୀୟ କ୍ରିକେଟର ନୀଳ ଜର୍ସିରେ ନଜର ଆସନ୍ତୁ ଏବଂ ଏକ ବିଦାୟୀ ମ୍ୟାଚ ଖେଳନ୍ତୁ। ଧୋନୀଙ୍କ ପ୍ରଶଂସକମାନଙ୍କ ସହ ମଧ୍ୟ ଏକମତ ହୋଇଛନ୍ତି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ।


ଶନିବାର ଧୋନୀ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିବା ପରେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ବିସିସିଆଇକୁ ଟ୍ୱିଟ୍ କରି ମହେନ୍ଦ୍ର ସଂହ ଧୋନୀଙ୍କ ପାଇଁ ରାଞ୍ଚିରେ ଏକ ବିଦାୟୀ ମ୍ୟାଚ ଆୟୋଜନ କରିବାକୁ ଦାବି କରିଛନ୍ତି। ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଟ୍ବିଟରେ ଲେଖିଛନ୍ତି ‘ଦେଶ ତଥା ଝାଡଖଣ୍ଡକୁ ଅନେକ ଗର୍ବ ଏବଂ ଉତ୍ସାହ ଦେଇଥିବା ମାହୀ ଅନ୍ତର୍ଜାତୀକ କ୍ରିକେଟରୁ ଅବସର ନେଇଛନ୍ତି। ଧୋନୀଙ୍କ ଭଲପାଉଥିବା ତାଙ୍କର କୋଟି କୋଟି ପ୍ରଶଂସକ ଧୋନୀଙ୍କୁ ଭାରତୀୟ କ୍ରିକେଟ ଦଳର ନୀଳ ଜର୍ସି ପିନ୍ଧି ଖେଳୁଥିବାର ଆଉ ଦେଖିପାରିବେ ନାହିଁ। କିନ୍ତୁ ଦେଶବାସୀଙ୍କ ହୃଦୟ ଏପର୍ଯ୍ୟନ୍ତ ପୂର୍ଣ୍ଣ ହୋଇନାହିଁ ମୋର ବିଶ୍ୱାସ ଯେ ଝାଡଖଣ୍ଡର ସୁପୁତ୍ର ମେହେନ୍ଦ୍ର ସଂହ ଧୋନୀଙ୍କ ପାଇଁ ବିଦାୟୀ ମ୍ୟାଚ୍ ରାଞ୍ଚିରେ ଅନୁଷ୍ଠିତ ହେବ। ଏଥି ପାଇଁ ଝାଡଖଣ୍ଡ ସରକାର ବିସିସିଆଇକୁ ନିବେଦନ କରିଛନ୍ତି।

Comments are closed.