ଚାଉଳ ଅଭାବରୁ ମଧ୍ୟାହ୍ନ ଭୋଜନ ବନ୍ଦ : ୮ଦିନ ହେଲା ପିଲା ଉପାସରେ ଫେରୁଛନ୍ତି

ଝରିଗାଁ : ଚାଉଳ ଶେଷ ହୋଇଗଲା। ଫଳରେ ୮ଦିନ ହେଲା ପିଲାଙ୍କୁ ବିନା ମଧ୍ୟାହ୍ନ ଭୋଜନରେ ଘରକୁ ପଠାଇ ଦିଆଯାଉଛି। ଏଭଳି ଅଭିଯୋଗ ଏବେ ଶିକ୍ଷା ବ୍ୟବସ୍ଥାର ଦୁର୍ବଳତାକୁ ପଦାରେ ପକାଇଛି। ପିଲାଙ୍କୁ ବିଦ୍ୟାଳୟ ମୁହାଁ କରିବା ପାଇଁ ସରକାର ସର୍ବଶିକ୍ଷା ଅଭିଯାନ ମାଧ୍ୟମରେ ନାନା ଯୋଜନା କରିଥିବାବେଳେ ମଧ୍ୟାହ୍ନ ଭୋଜନ ଯୋଗୁଁ ଅନେକ ଅଭାବୀ ଓ ଅସହାୟ ପିଲା ସରକାରୀ ବିଦ୍ୟାଳୟକୁ ଟାଣି ହୋଇ ଆସୁଛନ୍ତି। ତେବେ ଚାଉଳ ଯୋଗାଇବା ପାଇଁ ଟେଣ୍ଡର ନେଇଥିବା ସଂସ୍ଥା ସଠିକ୍‍ ଓଜନ ଓ ସଠିକ୍‍ ସମୟରେ ଚାଉଳ ଯୋଗାଇ ଦେଉ ନ ଥିବା ଯୋଗୁଁ ଝରିଗାଁ ବ୍ଲକ୍‍ର ବିଭିନ୍ନ ବିଦ୍ୟାଳୟରେ ରନ୍ଧା ଖାଦ୍ୟ ବନ୍ଦ ରହୁଥିବା ଅଭିଯୋଗ ହୋଇଛି। ଫଳରେ ବିଦ୍ୟାର୍ଥିମାନେ ଭୋକିଲା ପେଟରେ ଘରୁ ଆସି ପୁଣି ଉପାସରେ ଘରକୁ ଫେରୁଛନ୍ତି। ଝରିଗାଁ ବ୍ଲକ୍‍ର ଫୁପୁଗାଁ କ୍ଲଷ୍ଟରର ପ୍ରାଥମିକ ବିଦ୍ୟାଳୟରେ ଏଭଳି ଅଭିଯୋଗ ଦେଖିବାକୁ ମିଳିଛି।

ସୂଚନା ଅନୁଯାୟୀ ପାୱାରବେଲି ପ୍ରାଥମିକ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୪୫ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। ବିଦ୍ୟାଳୟରେ ଚାଉଳ ନଥିବା ହେତୁ ଆଜି ୮ଦିନ ହେବ ମଧ୍ୟାହ୍ନଭୋଜନ ଦିଆଯାଉନାହିଁ। ଏ ନେଇ ଗ୍ରାମବାସୀ ସ୍ଥାନୀୟ ସରପଞ୍ଚ ନିଳାମ୍ବର ସାନ୍ତାଙ୍କୁ ଜଣାଇଥିଲେ। ସରପଞ୍ଚ ଶ୍ରୀ ସାନ୍ତା ଏ ନେଇ ଝରିଗାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇଛନ୍ତି। ଏ ନେଇ ସିଆର୍‍ସିସି ପିତମ ପନକା ସହ ଯୋଗାଯୋଗ କରିବାରୁ ସେ ପିଲାଙ୍କୁ ମଧ୍ୟାହ୍ନ ଭୋଜ୍ନ ଦିଆ ନ ଯିବା କଥାକୁ ସ୍ୱୀକାର କରିଛନ୍ତି। ଏପରିକି ସେ ଏ ନେଇ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁରେଶ ଚନ୍ଦ୍ର ନାୟକଙ୍କୁ ମଧ୍ୟ ଜଣାଇ ଦେଇଥିବା ପ୍ରକାଶ କରିଛନ୍ତି। ଉକ୍ତ ବିଦ୍ୟାଳୟରେ ପ୍ରତି ମାସରେ ୧କ୍ୱିଣ୍ଟାଲ୍‍ ଚାଉଳ ଦରକାର ପଡୁଛି ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ବିଇଓ ଶ୍ରୀ ନାୟକଙ୍କୁ ଯୋଗାଯୋଗ କରିବାରୁ ସେ ମଧ୍ୟ ଏଭଳି ଅନିୟମିତାକୁ ସ୍ୱୀକାର କରିବା ସହ ଚାଉଳ ନାହିଁ, ଆସିଲେ ଦିଆଯିବ ବୋଲି କହିଥିବା ସରପଞ୍ଚ ଅଭିଯୋଗ କରିଛନ୍ତି। ଏ ନେଇ ବିଡିଓ ଦେବେନ୍ଦ୍ର ବାହାଦୂର ସିଂଙ୍କ ସହ ଯୋଗାଯୋଗ କରିବାରୁ ଏ ନେଇ ସେ ଅଭିଯୋଗ ପାଇଥିବା ଓ ଆସନ୍ତାକାଲି ପଦକ୍ଷେପ ଗ୍ରହଣ କରିବେ ବୋଲି କହିଛନ୍ତି। ତେବେ କେବଳ ଏହି ବିଦ୍ୟାଳୟ ନୁହେଁ ସେହିପରି କ୍ଲଷ୍ଟର ବାସୁଦେବଗୁଡା, ପଳୁଗୁଡା, ମଣିବନ୍ଧଗୁଡା ଏବଂ ବେଉଝରି ପ୍ରାଥମିକ ବିଦ୍ୟାଳୟର ମଧ୍ୟ ଚାଉଳ ପ୍ରାୟ ଶେଷ ହୋଇ ପଡିଥିବା ବେଳେ ଟେଣ୍ଡରଧାରୀ ଅଳ୍ପ କିଛିଦିନ ମଧ୍ୟରେ ଚାଉଳ ନ ଯୋଗାଇଲେ ସେଠାରେ ମଧ୍ୟ ମଧ୍ୟାହ୍ନଭୋଜନ ବନ୍ଦ ହେବା ସମ୍ଭାବନା ରହିଛି।

Comments are closed.