ଝରାଫୁଲ ହତ୍ୟାକାଣ୍ଡ : ଗେଷ୍ଟହାଉସ୍‌ରେ ପ୍ରମାଣ ଖୋଜିଲା ସ୍ପେସାଲ୍ ସ୍କ୍ବାଡ୍‌

ସାଇଣ୍ଟିଫିକ୍‌ ଟିମ୍‌ର ୨୦୧ ଶେଯରୁ ନମୁନା ସଂଗ୍ରହ, -ଡଷ୍ଟବିନ୍‌ରେ ଆପତ୍ତିଜନକ ସାମଗ୍ରୀ

ଭୁବନେଶ୍ବର/ରସୁଲପୁର : ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ଯୁକ୍ତ ତିନି ଦ୍ବିତୀୟ ବର୍ଷ ଛାତ୍ରୀ ଝରାଫୁଲ ନାଏକ ଓରଫ ଝିଲିଙ୍କ ହତ୍ୟା ମାମଲାରେ କମିସନରେଟ୍‌ ପୁଲିସ ତନାଘନା ଆରମ୍ଭ କରିିଛି। ସ୍ପେଶାଲ୍ ସ୍କ୍ବାଡ୍‌, ଯାଜପୁର ପୁଲିସ ଏବଂ ସାଇଣ୍ଟିଫିକ୍‌ ଟିମ୍‌ ସହ ଶନିବାର ଗେଷ୍ଟହାଉସ୍‌ରେ ତନାଘନା ଆରମ୍ଭ କରିଛି। ଝିଲିଙ୍କୁ ଜାନୁଆରୀ ୨୬ ରାତିରେ ଧର୍ମବିହାରସ୍ଥିତ ଓୟୋ ଗେଷ୍ଟ ହାଉସ୍‌ରେ ରଖିଥିଲା ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ୱାଇଁ। ସ୍ପେଶାଲ୍‌ ସ୍କ୍ବାଡ୍‌ର ଏସିପିଙ୍କ ନେତୃତ୍ବରେ ଏକ ଟିମ୍‌ ସେଠାରେ ପହଞ୍ଚି ଗେଷ୍ଟହାଉସ୍‌ର ସିସିଟିଭିର ହାର୍ଡଡିସ୍କକୁ ଜବତ କରିଛି। ଗେଷ୍ଟ ହାଉସ୍‌ର ସେମାନେ ରାତିରେ ରହିଥିବା ରୁମ୍‌ ନଂ-୨୦୧କୁ ଶେଯରୁ ସାଇଣ୍ଟିଫିକ୍‌ ଟିମ୍‌ ନମୁନା ସଂଗ୍ରହ କରିବା ଲାଗି ନେଇଯାଇଛି। ତକିଆଖୋଳକୁ ବି ଯାଜପୁର ପୁଲିସ ନେଇଯାଇଛି।
ଉକ୍ତ କୋଠରୀରେ ଥିବା ଡଷ୍ଟ୍‌ବିନ୍‌କୁ ବି ଜବତ କରି ନିଆଯାଇଛି। ଡଷ୍ଟବିନ୍‌ରେ କେତେକ ଆପତ୍ତିଜନକ ଜିନିଷ ଥିବା ଜଣେ ପୁଲିସ ଅଧିକାରୀ କହିଛନ୍ତି। ସେସବୁ ଜିନିଷକୁ ରାକେଶ ବ୍ୟବହାର କରିଛି କି ନାହିଁ ସେଥିରୁ ପ୍ରମାଣ ଖୋଜିବାକୁ ଜବତ କରାଯାଇଛି। କୋଠରୀରେ ସେମାନଙ୍କର ଫିଙ୍ଗର ପ୍ରିଣ୍ଟ ସଂଗ୍ରହ କରାଯାଇଛି। ଯାଜପୁର ଏସ୍‌ଡିପିଓ ଚିନ୍ମୟ ନାୟକ ଗଣାମଧ୍ୟମକୁ ଦେଇଥିବା ସୂଚନା ଅନୁସାରେ ଝିଲିର ମୃତ୍ୟୁର କାରଣ ସମ୍ପର୍କରେ ସ୍ପଷ୍ଟ ହେବା ଲାଗି ତଥ୍ୟ ଓ ପ୍ରମାଣ ସଂଗ୍ରହ କରାଯାଉଛି। ଗେଷ୍ଟହାଉସ୍‌କୁ ଆସିବା ପୂର୍ବରୁ ଏୟାରଫିଲ୍‌ଡ ଥାନା ଅଞ୍ଚଳରେ ଥିବା ଏକ ହୋଟେଲ୍‌ରେ ସେମାନେ ବିରିୟାନି ଖାଇଛନ୍ତି। ଉକ୍ତ ହୋଟେଲ୍‌ର ଟେବୁଲ୍‌ ଉପରେ ଝିଲି ହାମୁଡେଇ ବସିଥିଲେ। ସେଥିରୁ ସେ ଅସୁସ୍ଥ ଥିବା ନେଇ ପୁଲିସ ଅନୁମାନ କରୁଛି। ଏପରିକି ଉକ୍ତ ହୋଟେଲ୍‌ରେ ଝିଲି କାନ୍ଦୁଥିଲା ଏବଂ ପରେ ବାନ୍ତି କରିଥିବା ନେଇ ରାକେଶ ଦେଇଥିବା ବୟାନ ଏବଂ ହୋଟେଲ୍‌ର କର୍ମଚାରୀଙ୍କୁ ପଚରାଉଚରା ବେଳେ ଜଣାପଡିଛି। ଅପରାହ୍ଣ ପ୍ରାୟ ଗୋଟାଏ ପାଖାପାଖି ଦୁହେଁ ଉକ୍ତ ହୋଟେଲ୍‌ରୁ ଏକ ନାଲିରଙ୍ଗର ସ୍କୁଟିରେ ବାହାରିଥିଲେ। ଉକ୍ତ ହୋଟେଲ୍‌ରୁ ମଧ୍ୟ ସିସିଟିଭି ସଂଗ୍ରହ କରାଯାଇଛି। ସେତେବେଳେ କେବଳ ଦୁହେଁ ଥିଲେ।
ଝିଲି ଜାନୁଆରୀ ୨୬ ସକାଳେ ବାଣୀବିହାର ବସ୍‌ଷ୍ଟପ୍‌ରେ ଓହ୍ଲାଇବା ପରେ ଅସୁସ୍ଥ ଏବଂ ପେଟ କାଟୁଥିବା ନେଇ ଜଣାଇଥିଲେ। ପ୍ରକୃତରେ ଝିଲି ଅସୁସ୍ଥ ଥିଲେ ନା ପରବର୍ତ୍ତୀ ସମୟରେ ରାକେଶ ସହ ଦେଖାହେବା ପରେ ସେ ଅସୁସ୍ଥ ହୋଇପଡିଥିଲେ ତାହା ଏବେ ପୁଲିସର ତଦନ୍ତ ପରିସରଭୁକ୍ତ ହୋଇଛି। ଝିଲିଙ୍କୁ ରାକେଶ ମନ୍ଦ ଉଦ୍ଦେଶ୍ୟ ନେଇ କିଛି ଖାଇବାକୁ ଦେଇଥିବା ପୁଲିସ ସନ୍ଦେହ କରୁଛି। ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ସବୁ ସନ୍ଦେହ ଦୂର ହେବ ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି।

Comments are closed.